ପାରିବାରିକ କଳହର କରୁଣ ପରିଣତି, ନିଆଁ ଲଗାଇ ସ୍ତ୍ରୀ ଓ ଝିଅଙ୍କୁ ମାରିବାକୁ ସ୍ବାମୀର ଉଦ୍ୟମ, କାବୁ କଲା ପୋଲିସ

ପାରିବାରିକ କଳହର କରୁଣ ପରିଣତି, ନିଆଁ ଲଗାଇ ସ୍ତ୍ରୀ ଓ ଝିଅଙ୍କୁ ମାରିବାକୁ ସ୍ବାମୀର ଉଦ୍ୟମ, କାବୁ କଲା ପୋଲିସ

ଭୁବନେଶ୍ବର,୧୬/୧୨ : ନିଆଁ ଲଗାଇ ସ୍ତ୍ରୀ ଓ ଝିଅଙ୍କୁ ମାରିବାକୁ ସ୍ବାମୀର ଉଦ୍ୟମ । ଏଭଳି ଏକ ଅଭାବନୀୟ ଘଟଣା ନଜରକୁ ଆସିଛି ଭୁବନେଶ୍ବରସ୍ଥିତ ଏୟାରଫିଲ୍ଡ ଥାନା ଅଞ୍ଚଳରେ । ଘରେ ନିଆଁ ଲଗାଇ ଅଭିଯୁକ୍ତ ସ୍ବାମୀ ଅଜିତ ମଲ୍ଲିକ(୩୬) ସ୍ତ୍ରୀ ଓ ଝିଅଙ୍କୁ ମାରିବାକୁ ଉଦ୍ୟମ କରିଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଭିଯୁକ୍ତକୁ କାବୁ କରିଛି । ଅଭିଯୁକ୍ତକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।   

ସୂଚନା ଅନୁସାରେ, ବବିତା ମଲ୍ଲିକ ପରିବାର ସହ ଏୟାରଫିଲ୍ଡ ଥାନା ଅନ୍ତର୍ଗତ କୁହା ଅଞ୍ଚଳରେ ରୁହନ୍ତି । ସ୍ୱାମୀଙ୍କ ସହ ତାଙ୍କର ଦୀର୍ଘ ଦିନ ହେବ ଦାମ୍ପତ୍ତ୍ୟ ବିବାଦ ଲାଗି ରହିଥିଲା । ଏହି ପ୍ରସଙ୍ଗକୁ କେନ୍ଦ୍ର କରି ଏୟାରଫିଲ୍ଡ ଥାନାରେ ପୂର୍ବରୁ ଏକ ମାମଲା ମଧ୍ୟ ରୁଜୁ ହୋଇ ଏହାର ତଦନ୍ତ ପ୍ରକ୍ରିୟା ବର୍ତ୍ତମାନ ଜାରି ରହିଛି । ମଙ୍ଗଳବାର ଭୋର ପ୍ରାୟ ୪ଟା ସମୟରେ ଜଣେ ବ୍ୟକ୍ତି ନିଜ ଘରେ ନିଆଁ ଲଗାଇ ଦେଇଥିବା ନେଇ, ପୋଲିସ କଣ୍ଟ୍ରୋଲ ରୁମକୁ ସୂଚନା ମିଳିଥିଲା । ସୂଚନା ପାଇ ପୋଲିସ ଟିମ୍, ଅଗ୍ନିଶମ ବାହିନୀ ସହିତ ମିଶି ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିବାବେଳେ, ଅଭିଯୋଗକାରିଣୀଙ୍କ ସ୍ୱାମୀ ତଥା ଅଭିଯୁକ୍ତ ଅଜିତ ମଲ୍ଲିକଙ୍କୁ ସେଠାରେ ଗଣ୍ଡଗୋଳ କରୁଥିବାର ଦେଖିବାକୁ ପାଇଥିଲେ ।

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସେ ତାଙ୍କ ପତ୍ନୀ ଏବଂ ତାଙ୍କ ଝିଅମାନଙ୍କୁ ପୋଡ଼ି ମାରିଦେବା ଉଦ୍ଦେଶ୍ୟରେ ଘରେ ନିଆଁ ଲଗାଇ ଦେଇଥିବା ଜାଣାପଡ଼ିଥିଲା । ସେ ତାଙ୍କ ପତ୍ନୀଙ୍କୁ ଉକ୍ତ ନିଆଁରେ ପୋଡ଼ି ହତ୍ୟା କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସୌଭାଗ୍ୟବଶତଃ, ସେ ସେଠାରୁ ଖସି ପଳାଇ ଯାଇ ନିଜ ଜୀବନ ରକ୍ଷା କରିଥିଲେ । ପରେ ଅଭିଯୁକ୍ତ ଏକ କୁରାଢ଼ି ଆଣି ତାଙ୍କ ପାଖକୁ ଯିଏ କେହିବି ଆସିବ ତାଙ୍କୁ ସେ ହତ୍ୟା କରିବେ ବୋଲି ଧମକ ଦେଇଥିଲେ ଏବଂ ପତ୍ନୀଙ୍କୁ ଜୀବନରେ ମାରି ଦେବା ପାଇଁ ତାଙ୍କର ପିଛା କରିଥିଲେ । ବହୁ ପ୍ରୟାସ ପରେ ପୋଲିସ ଅଭିଯୁକ୍ତ ଅଜିତ ମଲ୍ଲିକକୁ ଘଟଣାସ୍ଥଳରୁ କାବୁ କରିବାରେ ସକ୍ଷମ ହୋଇଥିଲେ । ଅଭିଯୋଗକାରିଣୀଙ୍କ ଅଭିଯୋଗ କ୍ରମେ ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତ ସ୍ବାମୀଙ୍କୁ ଗିରଫ କରିଥିଲା। ବର୍ତ୍ତମାନ ମାମଲାର ଅଧିକ ତଦନ୍ତ ଜାରି ରହିଛି ।