ଓଡ଼ିଶା ସିନେ ୱାର୍କର୍ସ ଓ ଅଲ୍ ଇଣ୍ଡିଆନ ସିନେ ୱାର୍କର୍ସ ଆସୋସିଏଶନର ଦ୍ୱାଦଶ ଚଳଚ୍ଚିତ୍ର ପୁରସ୍କାର ଓ କବି କଳାକାର ମହାକୁମ୍ଭ

ଓଡ଼ିଶା ସିନେ ୱାର୍କର୍ସ ଓ ଅଲ୍ ଇଣ୍ଡିଆନ ସିନେ ୱାର୍କର୍ସ ଆସୋସିଏଶନର ଦ୍ୱାଦଶ ଚଳଚ୍ଚିତ୍ର ପୁରସ୍କାର ଓ କବି କଳାକାର ମହାକୁମ୍ଭ

ଭୁବନେଶ୍ବର,୧/୩ : ସ୍ଥାନୀୟ ଜୟଦେବ ଭବନଠାରେ ଓଡ଼ିଶା ସିନେ ୱାର୍କର୍ସ ଆସୋସିଏଶନ ଓ ଅଲ୍ ଇଣ୍ଡିଆନ ସିନେ ୱାର୍କର୍ସ ଆସୋସିଏଶନର ଦ୍ୱାଦଶ ଚଳଚ୍ଚିତ୍ର ପୁରସ୍କାର ଓ କବି କଳାକାର ମହାକୁମ୍ଭ ମହାଆଡ଼ମ୍ବରରେ ପାଳିତ ହୋଇଯାଇଛି । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡିଶା ସାହିତ୍ୟ ଏକାଡେମୀର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଅଶ୍ରୁ୍ମୋଚନ ମହାନ୍ତିଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ବାଚସ୍ପତି ସୁରମା ପାଢ଼ୀ ଯୋଗଦେଇ ସଭାକୁ ଉଦଘାଟନ କରିଥିଲେ । 

ଅନୁଷ୍ଠାନର ବାର୍ଷିକ ପତ୍ରିକା ସିନେ ସମାଚାରକୁ ବାଚସ୍ପତି ଉନ୍ମୋଚନ କରି ଶୁଭେଚ୍ଛା ଜଣାଇଥିଲେ । ପରେ ଅନୁଷ୍ଠାନ ସମ୍ବଦ୍ଧରେ ଖୁବ୍ ଲମ୍ବା ସମୟ ପ୍ରଶଂସା କରିବା ସହିତ ସମ୍ପାଦକ ଡ଼. ପୂର୍ଣ୍ଣ ଚନ୍ଦ୍ର ବେହେରାଙ୍କୁ ସାଧୁବାଦ ଜଣାଇଥିଲେ । ଶେଷରେ ମା 'ଶୀର୍ଷକ କବିତା ପାଠ କରି କବି ମହାକୁମ୍ଭକୁ ସ୍ୱାଗତ ଜଣାଇଥିଲେ । ତିରିଶି ଜିଲ୍ଲାରୁ ଆସିଥିବା ଏକ ହଜାରରୁ ଊର୍ଦ୍ଧ୍ବ କବି କଳାକାରଙ୍କୁ ଧନ୍ୟବାଦ ଜଣାଇଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ସମ୍ପାଦକ ଡ଼. ବେହେରା ସମ୍ପାଦକୀୟ ବିବରଣୀ ପାଠ କରିବା ସହ ସିନେ ଶ୍ରମିକମାନଙ୍କ ପାଇଁ କେନ୍ଦ୍ର ସରକାର ଯୋଗାଉଥିବା ଯୋଜନା ବିଷୟରେ ଆଲୋକପାତ କରିଥିଲେ । ଏହି ମହାକୁମ୍ଭରେ ଅନ୍ୟତମ ଅତିଥି ଭାବେ ବରିଷ୍ଠ ବିଜେପି ନେତା ପୂର୍ଣ୍ଣ ଚନ୍ଦ୍ର ମଲ୍ଲିକ, ଜଗନ୍ନାଥ ପ୍ରଧାନ, ଓଡିଶା ସାହିତ୍ୟ ଏକାଡେମୀର ସଚିବ ଡ଼. ଚନ୍ଦ୍ରଶେଖର ହୋତା, ଓଡିଶା ଧ୍ୟାନଯୋଗ ଟ୍ରଷ୍ଟର ପ୍ରତିଷ୍ଠାତା ଇପ୍ସିତା ପୂଜାରୀ, ଓଡିଶା ବିଜେପି ସାଂସ୍କୃତିକ ପ୍ରକୋଷ୍ଠର ସହ ସଂଯୋଜକ କୃତିବାଷ ରଥ, ଯୋଗଦେଇଥିଲେ ।

ବିଶିଷ୍ଠ ଅତିଥି ଭାବେ ସିନେ କଳାକାର ବରିଷ୍ଠ କଣ୍ଠଶିଳ୍ପୀ ପମି ମିଶ୍ର, କଳାହାଣ୍ଡିର କଟାପା ସୁନିଲ ମହାନନ୍ଦା, ପାର୍ଶ୍ୱ ଅଭିନେତ୍ରୀ ଐସୁର୍ୟା ବେହେରା, କମେଡିଆନ ଶଙ୍କର୍ଷଣ ପ୍ରଧାନ, ନିରଞ୍ଜନ ଆଚାର୍ଯ୍ୟ, ବରିଷ୍ଠ ଅଭିନେତା ନୀଳମଣି ସାହୁ, ବିଶାଳଙ୍କ ସହିତ ଅନେକ ଆଗଧାଡିର କଳାକାର ଯୋଗଦେଇଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ମା’ମଙ୍ଗଳା ଭାରତ ଲୀଳା, ଖୋର୍ଦ୍ଧା, ମେଘ ମହ୍ଲାର ଭଜନ ସନ୍ଧ୍ୟା, ଖୋର୍ଦ୍ଧା, ସରସ୍ବତୀ କଳା ପରିଷଦ କନ୍ଦରପୁର ଓ ତ୍ରିଶକ୍ତି ଅନୁଷ୍ଠାନ କଟକର କଳାକାରମାନେ କଳା ପରିବେଷଣ କରିଥିଲେ । ପମି ମିଶ୍ର ଓ ପୂର୍ଣ୍ଣଚନ୍ଦ୍ରଙ୍କ ଢଗଢମାଳି ଗୀତରେ ଦୁଇ କଣ୍ଠ ଶିଳ୍ପୀ ଓ କଳାହାଣ୍ଡିର କଟାପା ନୃତ୍ୟ କରି ଦର୍ଶକ ଙ୍କ ମନ ମୋହିଥଲେ । 

ଏହି ଅବସରରେ ବରିଷ୍ଠ ଘୋଡାନାଚ ଗୁରୁ ଗୋପାଳ ବେହେରାଙ୍କୁ ଗାୟକ ସୁରଭି ସମ୍ନାନ, ମା’ ମଙ୍ଗଳା ଭାରତଲୀଳାର ପରିଚାଳକ ଓଁ ପ୍ରକାଶ ମହାଦେବଙ୍କୁ କଳନିଧି ସମ୍ନାନ, ବିଚିତ୍ରା ନନ୍ଦ ରୟଗୁରୁ ମହାପାତ୍ରଙ୍କୁ ସାହିତ୍ୟ ସୁରଭି ସମ୍ନାନ, ବିଜୟ ଜେନାଙ୍କୁ ସେବନିଧି ସମ୍ନାନ, ସିନେ କଳାକାରମାନଙ୍କୁ ଉତ୍କଳ କେଶରୀ ଚଳଚ୍ଚିତ୍ର ସମ୍ନାନ, ନୃତ୍ୟକାରୀମାନଙ୍କୁ ନୃତ୍ୟ ମଞ୍ଜରୀ ସମ୍ନାନ ଓ ବରଗଡ଼ରୁ ଆସିଥିବା ଡ଼. ବିକ୍ରମ ସାହୁ ଓ କୁନି କଂସଙ୍କୁ କଳାନିଧି ସମ୍ନାନରେ ସମ୍ନାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିବା ସମସ୍ତ କଳାକାରମାନଙ୍କୁ ପ୍ରମାଣ ପତ୍ର ଦିଆଯାଇଥିଲା ।