ପିଏମ ଶ୍ରୀ ହାଇସ୍କୁଲରେ ରାଗିଂ ଭିଡ଼ିଓ ଭାଇରାଲ, ୭ମ ଶ୍ରେଣୀର ଛାତ୍ରଙ୍କୁ ରାଗିଂ କଲେ ୯ମ ଶ୍ରେଣୀର ଛାତ୍ର
ଖୁଣ୍ଟା,୨୮/୨ : ମୟୂରଭଞ୍ଜ ଜିଲ୍ଲା ଗୋପବନ୍ଧୁ ନଗର ବ୍ଲକ ଅଧିନ ଖୁଣ୍ଟାସ୍ଥିତ ପିଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ହଷ୍ଟେଲରେ ରହି ପାଠ ପଢ଼ୁଥିବା ତଳ ଶ୍ରେଣୀର ଛାତ୍ରଙ୍କୁ ଉପର ଶ୍ରେଣୀରେ ପଢ଼ୁଥିବା କିଛି ଛାତ୍ର ନିର୍ଯାତନା ବା ରାଗିଂ ଦେଇଥିବା ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି l ତେବେ ଏହି ଘଟଣା ଶୁକ୍ରାବାର ଘଟିଥିବା ଅଭିଯୋଗ ହୋଇଛି । ଯାହା ଏବେ ଚର୍ଚ୍ଚାର ବିଷୟ ହୋଇଛି ।
ସୂଚନା ଅନୁଯାୟୀ , ଖୁଣ୍ଟା ପିଏମ ଶ୍ରୀ ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ ଥିବା ହଷ୍ଟେଲରେ ରହି ପାଠ ପଢୁଥିବା ୨ଜଣ ୭ମ ଶ୍ରେଣୀର ଛାତ୍ର ଶୁକ୍ରବାର ଅପରାହ୍ନ ସମୟରେ ବିଦ୍ୟାଳୟର ପରିସରରେ ଖେଳୁଥିଲେ । ତେବେ ଏହି ଘଟଣାକୁ ନେଇ ସଂପୃକ୍ତ ଛାତ୍ରମାନଙ୍କୁ ଉକ୍ତ ହଷ୍ଟେଲରେ ରହି ୯ମ ଶ୍ରେଣୀରେ ପଢ଼ୁଥିବା ଅନ୍ୟ ୨ଜଣ ଛାତ୍ର ରାଗିଂ କରିବା ସହ ହଷ୍ଟେଲ ବାରଣ୍ଡାରେ ଦୀର୍ଘ ସମୟ ଧରି ଆଣ୍ଠେଇ ଦେଇଥିଲେ। ତେବେ ହଷ୍ଟେଲରେ ରହୁଥିବା ସମସ୍ତ ଅନ୍ତେବାସୀଙ୍କ ସମ୍ମୁଖରେ ଏଭଳି ଭାବେ ୨ଛାତ୍ରଙ୍କୁ ଦୀର୍ଘ ସମୟ ଧରି ଏଭଳି ଆଣ୍ଠେଇ ଦିଆଯାଇଥିବା ଭିଡ଼ିଓ ରାଗିଂରେ ଶିକାର ହୋଇଥିବା ଜନୈକ ଛାତ୍ରଙ୍କ ଅଭିଭାବକ ଦେଖିବାକୁ ପାଇଥିଲେ । ଉକ୍ତ ରାତିରେ ବିଦ୍ୟାଳୟକୁ ଆସିବା ସହ ଘଟଣା ସଂପର୍କରେ ଛାତ୍ରଙ୍କୁ ପଚ଼ାରି ବୁଝିଥିଲେ । ସେମାନଙ୍କୁ ନବମ ଶ୍ରେଣୀର ୨ ଜଣ ଛାତ୍ର ମାଡ଼ ମାରିବା ସହିତ ଆଣ୍ଠେଇଥିବା ନେଇ ଛାତ୍ର ଜଣକ ତାଙ୍କର ଅଭିଭାବକଙ୍କ ନିକଟରେ ପ୍ରକାଶ କରିଥିଲା l
ତେବେ ଏଭଳି ଏକ ସମ୍ବେଦନଶୀଳ ଘଟଣା ଘଟି ଯାଇଥିଲେ ମଧ୍ୟ ଛାତ୍ରାବାସ ଦାୟିତ୍ଵରେ ଥିବା କର୍ମଚାରୀଙ୍କ ଦୃଷ୍ଟି ନ ପଡ଼ିବା ସଭିଙ୍କୁ ଚକିତ କରିଛି । ଏପରିକି ଉକ୍ତ ବିଦ୍ୟାଳୟ ସ୍ଥାପନ ହେବା ୬ଦଶନ୍ଧିରୁ ଊର୍ଦ୍ଧ୍ବ ସମୟ ଅତିକ୍ରାନ୍ତ ହୋଇଯାଇଥିଲେ ମଧ୍ୟ ଏଭଳି ଘଟଣା ପ୍ରଥମ ବୋଲି ସାଧାରଣରେ ଆଲୋଚନା ହେଉଛି । ଯାହା ଏବେ ଚର୍ଚ୍ଚାର ବିଷୟ ହୋଇଛି । ତେବେ ଛାତ୍ରାବାସରେ ଘଟିଥିବା ଏଭଳି ଘଟଣା ସଂପର୍କର ପ୍ରଧାନ ଶିକ୍ଷକ ସାବିତ୍ରୀ ପାତ୍ରଙ୍କୁ ମତାମତ ଲୋଡ଼ାଯାଇ ଥିବା ବେଳେ ଉକ୍ତ ରାତିରେ ଏହି ଘଟଣା ଜାଣିବାକୁ ପାଇ ଏହାର ତଦନ୍ତ କରିଥିବାବେଳେ ଘଟଣାରେ ସତ୍ୟତା ଥିବା ଜଣାପଡ଼ିଥିଲା । ପରବର୍ତ୍ତୀ ସମୟରେ ଏହି ଘଟଣାର ସଂପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଥିବା ପ୍ରକାଶ କରିଥିଲେ । ସେହିପରି ଡ଼ବ୍ଲୁଇଓ ସତ୍ୟଭାନୁ ସର୍ଦ୍ଧାର ସିଂ ଘଟଣାର ଉପଯୁକ୍ତ ତଦନ୍ତ କରାଯାଇ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି ।

Editor 


