ତୁମ ନୀରବତା.....
ମା - ମାଟି, ବା - ବାୟୁ, ପା – ପାଣି । ଏହି ତିନିଟି ବିନା ଜୀବନ ଅସମ୍ଭବ । ସେହି ମାଆ ବାପା ଯିଏ ଆମକୁ ଜୀବନ ଦେଇଥାନ୍ତି, ଆମ ମୁହଁରେ ହସ ଫୁଟାଇବାକୁ ରକ୍ତକୁ ଝାଳ ପରି ବୁହାଇବାକୁ ଟିକେ ଦୁଃଖ ବି କରିନଥାନ୍ତି, ମାଆ ଯଦି କାଖରେ ବସାଇ ଦୁନିଆ ଦେଖାନ୍ତି, ବାପା କାନ୍ଧକୁ ଚଢାଇ ଦୁନିଆ ଦେଖାଇ ଥାଆନ୍ତି,ସବୁ ଜାଗାରେ ଆମର ଢାଲ ସାଜି ଥାନ୍ତି, ଦୁନିଆରେ ଆମକୁ ଭଲ ଜାଗାରେ ଠିଆ କରିବାରେ ଟଙ୍କାକୁ ହିସାବ ମଧ୍ୟ କରନ୍ତି ନାହିଁ, ଯେତେବେଳେ ଆମେ ବଡ଼ ହୋଇ ଯାଉଛେ , ନିଜକୁ ନିଜେ ସମ୍ଭାଳି ପାରିବାର କ୍ଷମତା ହାସଲ କରି ଦେଉଛେ ,ସେହି ମାଆ ବାପାଙ୍କର ସବୁ ତ୍ୟାଗ ଯେମିତି ଆମ ପାଇଁ ମୂଲ୍ୟହୀନ ହୋଇଯାଉଛି।ତାଙ୍କର ପରିଣତ ବୟସରେ ଦାୟିତ୍ଵ ବହନ କରିବା ଦୂରର କଥା, ପଦିଏ କଥାହେବା ପାଇଁ ଆମେ ସମୟ ଦେଇପାରୁନେ।
ଯେଉଁ ମାଆ ବାପା ଆମେ ନ କହିବା ଆଗରୁ ଆମ ମନ ଜାଣି ସବୁ କରି ଦେଉଥିଲେ,ସେହି ମାନଙ୍କ ମନକୁ ବୁଝିବା ଆମ ପକ୍ଷେ ସମ୍ଭବପର ହେଉନାହିଁ। ସମୟ ନ ଥିବା, ବ୍ୟସ୍ତ ରହୁ ଥିବା ପରି ଅନେକ ବାହାନା କରି ଆମ ପାଖରେ ଥାଇ ମଧ୍ୟ ଆମେ ତାଙ୍କୁ ଅନେକ ଦୂରରେ ଛାଡି ଦେଉଛେ। ଅନେକ ଜାଗାରେ ଦେଖିବାକୁ ମିଳୁଛି,ପିଲାମାନଙ୍କର ଜୀବନଶୈଳୀରେ କୌଣସି ସମସ୍ୟା ନହେବା ପାଇଁ,ଯେତେ ଅସୁବିଧା ହେଉନା କାହିଁ କି ,ସେ ସବୁକୁ ନିଜ ମନଭିତରେ ରଖି ମାଆ ବାପା ରହିଯାଆନ୍ତି। ତାଙ୍କର ସେ ନିରୀହ ଚାହାଣି, ଶୁଖି ଯାଇଥିବା ମୁହଁ ଓ ଥରୁ ଥିବା ହାତ, କେତେ ଯେ କଥା କହିବାକୁ ଅପେକ୍ଷାରତ, ଆମେ ଜାଣି ବି ଅଜଣା ରାଇଜରେ ଥିବା ଭଳି ଅଭିନୟ କରୁଛେ। ତାଙ୍କରି ରାଗ ଓ ଅଭିମାନ ଆମ ପାଇଁ ଆଶୀର୍ବାଦ, ତାକୁ ହୃଦୟଙ୍ଗମ ନକରି ଟିକେ ଟିକେ କଥାରେ ତାଙ୍କରି ପାଖରୁ ଦୂରେଇ ଯାଉଛେ। ଦରକାର ପଡ଼ିଲେ ଅନେକ ମାଆ ବାପା ଙ୍କୁ ବୋଝ ବୋଲି ଭାବି ନିଅନ୍ତି, ସେଥିପାଇଁ ତ ବୃଦ୍ଧାଶ୍ରମ ର ଆଜିକାଲି ଅଭାବ ନାହିଁ।
ଦୀର୍ଘାୟୁ ହେବା ପାପ ନୁହେଁ, ବରଂ ତଳ ପିଢ଼ି ପାଇଁ ଅନୁ ଭୂତିରଏକ ପେଡ଼ି । ଯେତେଦିନ ଯାଏଁ ସାଇତି ରଖି ପାରିବା ଅନେକ କିଛି ଶିକ୍ଷା ଗ୍ରହଣ ମଧ୍ୟ କରିପାରିବା। ସମୟ ସୁଅରେ ତାଙ୍କ ନୀରବତା ଆମ ପାଇଁ ପଶ୍ଚାତାପର ଅଗ୍ନିଶିଖା ହୋଇ ଜଳିବା ବ୍ୟତୀତ ଅନ୍ୟ କିଛି ହେଵ ନାହିଁ।
ସଂଯୁକ୍ତା ଦାଶ
କଳିଙ୍ଗ ବିହାର, ଭୁବନେଶ୍ୱର

Editor 


