ଅଶ୍ଳୀଳ ଭାଷାରେ ଗାଳି କରି ମୋବାଇଲ୍ ଛଡ଼ାଇନେବା ପଡ଼ିଲା ମହଙ୍ଗା, ବନ୍ଧାହେଲା ଦୁର୍ବୃତ୍ତ
ଭୁବନେଶ୍ବର,୧୭/୧୨ : ଅଶ୍ଳୀଳ ଭାଷାରେ ଗାଳି କରି ମୋବାଇଲ୍ ଛଡ଼ାଇନେବା ପଡ଼ିଲା ମହଙ୍ଗା । ନୟପଲ୍ଲୀ ଥାନା ପୋଲିସ ଅଭିଯୁକ୍ତକୁ ଗିରଫ କରି ସେମାନଙ୍କଠାରୁ ଲୁଟ ମୋବାଇଲ ଫୋନ ଓ ଏକ ମୋଟରସାଇକେଲ ଜବତ କରିଛି । ଅଭିଯୁକ୍ତ ହେଲା ଅଭିଷେକ ସାହୁ(୨୧) ।
ସୂଚନା ଅନୁସାରେ, ନିରଦ କୁମାର ସ୍ବାଇଁ ନାମକ ଜନୈକ ବ୍ୟକ୍ତି ନୟାପଲ୍ଲୀ ବେହେରା ବସ୍ତିରେ ରୁହନ୍ତି । ଗତ ୧୫ତାରିଖ ରାତିରେ ସେ ନିଜ କର୍ମସ୍ଥଳରୁ ଘରକୁ ଫେରୁଥିବାବେଳେ ରାଜଧାନୀ ଗ୍ଯାସ ନିକଟରେ ଦୁଇ ଅଜଣା ଦୁର୍ବୁତ୍ତ ଏକ ମୋଟରସାଇକେଲରେ ଆସି ତାଙ୍କୁ ରାସ୍ତାରେ ଜୋରଜବରଦସ୍ତ ଅଟକାଇ ୫୦୦ଟଙ୍କା ମାଗିଥିଲେ । ଟଙ୍କା ଦେବା ଲାଗି ମନା କରିବାରୁ ଦୁଇ ଦୁର୍ବୁତ୍ତ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳି କରିବା ସହ ହଠାତ୍ ତାଙ୍କ ହାତରୁ ତାଙ୍କ ମୋବାଇଲ ଫୋନ ବଳ ପୂର୍ବକ ଛଡ଼ାଇ ନେଇ ଫେରାର ହୋଇଯାଇଥିଲେ ।
ଅଭିଯୋଗ ଆଧାରରେ ପୁଲିସ ମାମଲାର ତଦନ୍ତ କରିବା ସମୟରେ ଉପରୋକ୍ତ ଦୁଇ ଦୁର୍ବୁତ୍ତ ମୋଟରସାଇକେଲ ଯୋଗେ ରେଣ୍ଟାଲ୍ କଲୋନୀ ପାର୍କ ଅଞ୍ଚଳରେ ବୁଲାବୁଲି କରୁଥିବା ନେଇ ସୂଚନା ପାଇଥିଲେ । ମିଳିଥିବା ସୂଚନା ଆଧାରରେ ପୁଲିସ ଟିମ୍ ଘଟଣା ସ୍ଥଳରେ ଅତର୍କିତ ଚଢଉ କରି ଉଭୟଙ୍କୁ କାବୁ କରିବାରେ ସକ୍ଷମ ହୋଇଥିବାବେଳେ ସେମାନଙ୍କ ନିକଟରୁ ମୋଟରସାଇକେଲକୁ ଜବତ କରିଥିଲେ । ପଚରାଉଚରାବେଳେ ଉଭୟଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତ ଅଭିଷେକ ସାହୁ ଏବଂ ଅନ୍ୟ ଜଣକ ନାବାଳକ ଥିବା ଜଣାପଡ଼ିଥିଲା । ଉଭୟ ଗତ ୧୫ ତାରିଖ ଦିନ ଅଭିଯୋଗକାରୀଙ୍କଠାରୁ ମୋବାଇଲ ଲୁଟ୍ କରି ୟୁନିଟ-୫ ଅଞ୍ଚଳର ଅନ୍ୟ ଜଣେ ନାବଳକଙ୍କୁ କମଦାମରେ ବିକ୍ରି କରିଥିବା ପ୍ରକାଶ କରିଥିଲେ ।
ଉଭୟଙ୍କ ନିକଟରୁ ପ୍ରାପ୍ତ ସୂଚନା ଆଧାରରେ ପୁଲିସ ପୁନର୍ବାର ୟୁନିଟ-୫ ଅଞ୍ଚଳରେ ଚଢଉ କରି ସମ୍ପୃକ୍ତ ନାବାଳକଙ୍କୁ କାବୁ କରିବା ସହ ତାଙ୍କ ନିକଟରୁ ଲୁଟ୍ ମୋବାଇଲ ଫୋନକୁ ମଧ୍ୟ ଜବତ କରିଥିଲେ । ପରବର୍ତ୍ତୀ ସମୟରେ ପୁଲିସ ଅଭିଯୁକ୍ତ ଅଭିଷେକ ସାହୁକୁ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ, ଅନ୍ୟ ଦୁଇ ନାବାଳକଙ୍କୁ ଜୁଭେନାଇଲ ଜଷ୍ଟିସ ବୋର୍ଡଙ୍କ ନିକଟରେ ହଜାର କରିଛନ୍ତି । ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

Editor 


