ମେ’ରେ ସାମନ୍ଥାଙ୍କ କମ୍‌ବ୍ୟାକ୍ ପ୍ରୋଜେକ୍ଟ, ସୋସିଆଲ ମିଡ଼ିଆରେ ସେୟାର କଲେ ପୋଷ୍ଟର

ମେ’ରେ ସାମନ୍ଥାଙ୍କ କମ୍‌ବ୍ୟାକ୍ ପ୍ରୋଜେକ୍ଟ, ସୋସିଆଲ ମିଡ଼ିଆରେ ସେୟାର କଲେ ପୋଷ୍ଟର

ମୁମ୍ବାଇ,୨୩/୨: ବିବାହ ପରେ ବଡ଼ ପରଦାକୁ ଫେରିଛନ୍ତି ଅଭିନେତ୍ରୀ ସାମନ୍ଥା ରୁଥ୍‌ପ୍ରଭୁ । କିଛି ଦିନର ବ୍ୟବଧାନ ପରେ ସେ ‘ମା ଇଣ୍ଟି ବଙ୍ଗାରାମ’ ଜରିଆରେ କମ୍‌ବ୍ୟାକ୍ କରିଛନ୍ତି । ଗତମାସରେ ଏହି ଫିଲ୍ମର ଟିଜର ରିଲିଜ ହୋଇଥିଲା । ଏକ ନୂଆ ପୋଷ୍ଟର ସହ ଏବେ ଫିଲ୍ମର ମୁକ୍ତିଲାଭ ତାରିଖ ଘୋଷଣା ହୋଇଯାଇଛି । ଆସନ୍ତା ମେ’ ୧୫ରେ ଏହି ଫିଲ୍ମ ରିଲିଜ ହେବ । ସାମନ୍ଥା ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଫିଲ୍ମର ନୂଆ ପୋଷ୍ଟର ସେୟାର କରିଛନ୍ତି । ଏଥିସହ ମୁକ୍ତିଲାଭ ତାରିଖ ବି ଉଲ୍ଲେଖ କରିଛନ୍ତି ।କ୍ୟାପ୍‌ସନରେ ସାମନ୍ଥା ଲେଖିଛନ୍ତି, ‘ଏହି ଗରମରେ ଥିଏଟରରେ ଭେଟ ହେବ’ ।

ତେବେ ଫିଲ୍ମଟି ଭାରତ ସମେତ ଅନ୍ୟ ଦେଶମାନଙ୍କରେ ମଧ୍ୟ ରିଲିଜ ହେବ । ସାମନ୍ଥାଙ୍କ ଅଭିନୀତ ‘ମା ଇଣ୍ଟି ବଙ୍ଗାରାମ’କୁ ତାଙ୍କ ସ୍ୱାମୀ ରାଜ ନିଦିମୋରୁ ନିର୍ମାଣ କରିଛନ୍ତି । ତେବେ ନନ୍ଦିନୀ ରେଡ୍ଡୀ ଫିଲ୍ମରେ ନିର୍ଦ୍ଦେଶନା ଦେଇଛନ୍ତି । ‘ଓହଃ ବେବି’ ଫିଲ୍ମ ପରେ ନନ୍ଦିନୀ-ସାମନ୍ଥା ଯୋଡ଼ି ପୁଣି ଫେରିଛନ୍ତି । ସାମନ୍ଥାଙ୍କ ସହ ଫିଲ୍ମରେ ଗୁଲଶନ ଦେବେୟା ଏବଂ ଦିଗନ୍ତ ମୁଖ୍ୟ ଭୂମିକାରେ ଅଛନ୍ତି । ଅଭିନେତ୍ରୀ ଗୌତମୀ ଏବଂ ମଞ୍ଜୁଷା ପ୍ରମୁଖ ଭୂମିକାରେ ନଜର ଆସିବେ ।