ସେଇ ପୁନେଇ ଜହ୍ନ
ତିଳୋତ୍ତମାଙ୍କ ଛାତି ମଝିଟା ଠେସି ଦେଲାଭଳି ଲାଗୁଥାଏ । କଷ୍ଟଟା ଧୀରେ ଧୀରେ ସୁଣ୍ଡ ଆଡ଼କୁ ଚାଲିଆସିଲା ଭଳି ଲାଗୁଛି । କିନ୍ତୁ ସେ ନିରୁପାୟ । ତାଙ୍କୁ ଚାଲିବାକୁ ପଡ଼ିବ ଆହୁରି ଅଧ କିଲୋମିଟ୍ର ପ୍ରାୟ । ଆଗରେ ପୁରୁଷ ଦଳ ମଝିରେ ପିଲା ଓ ଯୁବତୀମାନେ । ତା’ ପଛରେ ବୋହୂ ଓ ବୟସ୍କ ମାଇପିମାନେ । ଆଉ ସମ୍ଭାଳି ପାରିଲେନି ତିଳୋତ୍ତମା । ଓଦା ଲୁଗାଟା ତାଙ୍କ ବକ୍ଷ ଉପରେ ପଡ଼ିଥାଏ ।
ସେହିଭଳି ବସି ପଡ଼ିଲେ । କ’ଣ ହେଲା ବୋଲି ସମସ୍ତେ ଘେରିଗଲେ । ତିଳୋତ୍ତମା ପାଟି ଖନି ମାରିଗଲା । ଚାପିଧରିବା ପାଇଁ ଛାତି ଆଡ଼େ ହାତ ପଳେଇ ଯାଉଛି ତାଙ୍କର, ତାଙ୍କ ଝିଅ ଦୌଡ଼ି ଆସି ମା ପିଠିକୁ ଆଉଁସିବାକୁ ଲାଗିଲା । କେହି ଜଣେ ବଡ଼ ପାଟି କଲେ ଅପେକ୍ଷା କରନାହିଁ, ହାର୍ଟ ଆଟାକ୍ ହେଲାଣି । ପ୍ରାୟ, ଗାଁ ମଝିଟାରେ ସମସ୍ତେ ପହଁଞ୍ଚିଛନ୍ତି । ଦଶାହ ଆଜି ସଦା ବାବୁଙ୍କ ସପ୍ତର ଦଶାହ କ୍ରିୟାକର୍ମ ଚାଲିଛି । ତିଳୋତ୍ତମା ତାଙ୍କ ବୋହୂ । ସେହି ମୁଖ୍ୟତଃ ସବୁ କାମ ତଦାରଖ କରୁଥିଲେ । କିନ୍ତୁ ହଠାତ୍ ତାଙ୍କଦେହ ଏପରି ଅବସ୍ଥା । କ’ଣ କରାଯିବ ବର୍ତ୍ତମାନ । ଦୁଇଜଣ ଲୋକ ମଟରସାଇକେଲ୍ଟିଏ ଆଣି ତାଙ୍କୁ ମଝିରେ ବସାଇ ନେଇଗଲେ ହସ୍ପିଟାଲ୍ । ଏଇ ପନ୍ଦର ବର୍ଷ ହେବ ବାହାଘର ହୋଇଛି ତାଙ୍କର, ବଡ଼ ବୋହୂ ସେ ଘରର । ଘରର ଦାୟିତ୍ୱ ସେ ଅଜିପର୍ଯ୍ୟନ୍ତ ସୁରୁଖୁରୁରେ ତୁଲାଇ ଆସିଛନ୍ତି, ମେଡିକାଲ୍ରେ ତୃତୀୟ ବର୍ଷ ଛାତ୍ରୀ ଥିବାବେଳେ ବାହାଘର ହୋଇଥିଲା । ସ୍ୱାମୀ ଚାଟାର୍ଡ ଆକାଉଣ୍ଟାଣ୍ଟ, ସମ୍ବଲପୁର ଘର, କିନ୍ତୁ ବାହାଘର ଗଞ୍ଜାମ ଜିଲ୍ଲାରେ ହୋଇଥିଲା । ଏ ବାହାଘରେ ତିଳୋତ୍ତମା ଜମା ବି ରାଜି ନଥିଲେ । ବାପାଙ୍କ ଜିଦ୍ ଆଗରେ ସେ ହାର ମାନିଥିଲେ । ଆଜି ତିଳୋତ୍ତମାଙ୍କର ଯେଉଁ ଅବସ୍ଥା । ସେଦିନ ବାପାଙ୍କର ମଧ୍ୟ ସେହି ଅବସ୍ଥା । ସେ ଦିନ ବାପାଙ୍କର ମଧ୍ୟ ସେହି ଅବସ୍ଥା ତା’ର ବାହାଘରକୁ ନେଇ ହୋଇଥିଲା, ମା’ ନେହୁରାହୋଇ ହାତଯୋଡ଼ିଥିଲେ ଝିଅ ଆଗରେ ।
ଧନ ତୋ’ ବାପାଙ୍କ ସମ୍ମାନ ରଖ ..... । ତୋ ବାପାଙ୍କର କ’ଣ ହେଲେ ଜୀବନସାରା ମୋତେ ତୁ ପାଇବୁନି । ଏଇ ପଦିଏ କଥା ଜୀବନର ସମସ୍ତ ନିଷ୍ପତ୍ତି, ଇଛା ଆଗ୍ରହ ଓ ପ୍ରେମକୁ ଜଳାଞ୍ଜଳି ଦେଇଥଲା ସେଦିନ । ଆଜି ଏହା ଭିତରେ ଅନେକ ବର୍ଷ ବିତି ଅଭିମାନ ଲୁହ, ହସ, କାନ୍ଦ ସବୁ ଭିତରେ ବି ତାଙ୍କର ଉଇଁଆସେ, ଖୁବ୍ ଛାତିରେ ଯନ୍ତ୍ରଣା ହେଉଛି ଆଜି ତାଙ୍କୁ । କାହିଁ କେଜାଣି ସେହି ଦୁଃଖ ସମୟରେ ମଧ୍ୟ ଅତୀତ ଉଙ୍କିମାରୁଛି । ପହଁଞ୍ଚିଗଲେ ଡ଼ାକ୍ତରଖାନା, ଘରପାଖରୁ ପ୍ରାୟ କୋଡ଼ିଏ କିଲୋମିଟର୍ । ଶାଶୂଙ୍କ ଦଶାହ ଶ୍ରାଦ୍ଧ ତୁଠରୁ ଏହିପରି ଅବସ୍ଥା ହେଲା ତାଙ୍କର । କାର୍ଡ଼ିଓଲୋଜି ବିଭାଗକୁ ରେଫର କରି ଇସିଜି ପାଇଁ ପଶିଥିଲେ ସେ । ବାହାରେ ଅପେକ୍ଷା କରିଥିଲେ ଦୁଇଜଣ । ଜଣେ ସମ୍ପର୍କରେ ଦିଅର । ଆରଜଣଙ୍କ କୁଟୁମ୍ବର ଲୋକ । ରୁମ୍ ଭିତରୁ ଜଣେ ଷ୍ଟାଫ୍ ଆସି ମେଡ଼ିସିନ୍ ପାଇଁ ପ୍ରେସ୍କିପ୍ସନ୍ ବଢାଇଦେଲା ଓ କହିଲା ଶିଘ୍ର ଆଣ । ଡାକ୍ତର ପ୍ରବେଶ କଲେ ଇସିଜି ପାଇଁ । ପେସେଣ୍ଟକୁ ଶୁଆଇ ତା’ର ଛାତିରୁ ବସ୍ତ୍ର କାଢିବାକୁ କହିଲେ । ସିଷ୍ଟର କାଢ଼ୁଥିବାବେଳେ ଯନ୍ତ୍ରଣାରେ, ଏପଟ ସେପଟ ହେଉଥିବାବେଳେ ଡାକ୍ତର କହିଲେ ଧୈର୍ଯ୍ୟଧରନ୍ତୁ ମାଡାମ୍ । ଏମିତି ହେଲେ ହେବ । କ’ଣ ଏମିତି ହୋଇଛି ଯେ ..... ।
ଏହି ସମୟରେ ଡାକ୍ତରଙ୍କ ନଜର ପଡ଼ିଗଲା ତିଳୋତ୍ତମାଙ୍କ ମୁହଁ ଉପରେ । ଗୋଟେ ସେକେଣ୍ଡରେ ସେ ପଳେଇଯିବାକୁ ବାହାରିଲାବେଳେ ସିଷ୍ଟର କହିଲେ ସାର ରେଡ଼ି... ହଁ ... ହଁ ତୁମେ ଯାଅ ବାହାରକୁ । ତିଳୋତ୍ତମା ଆଖି ବନ୍ଦ କରିଥାନ୍ତି । ବିପିନ୍ ଷ୍ଟେଥୋ ବୁଲାଇବାକୁ ଲାଗିଲେ ଓ ତିଳୋତ୍ତମାଙ୍କ କପାଳରେ ହାତ ମଧ୍ୟ । ଆଖି ଖୋଲି ଦେଇଥିଲେ ତିଳୋତ୍ତମା । କାଳେ ଚିହ୍ନିଦେବେ ବୋଲି ଡାକ୍ତର ବିପିନ୍ ମଧ୍ୟ ମାସ୍କଟାଏ ମୁହଁରେ ପିନ୍ଧିଦେଇଥିଲେ । ତିଳୋତ୍ତମାଙ୍କ କପାଳରେ ଏହି ହାତରେ ସ୍ପର୍ଶ ବାଜି ଅନେକ ଶାନ୍ତି ଲାଗୁଥିଲା । କିଏ ଏହି ଦେବଦୂତ । ହାତର ସ୍ପର୍ଶ ମୋ ସମ୍ପୂର୍ଣ୍ଣ ଆବୟବକୁ ହଲଚଲ କରିଦେଉଛି । ସେ ନିଜେ ବି ତ ଡାକ୍ତରୀ ଛାତ୍ରୀ ଥିଲେ । ତେଣୁ ପରିଚୟ ମାଗିଲେ । ଡାକ୍ତର ପାଟିରେ ଆଙ୍ଗୁଠି ଦେଇ ଚୁପ୍ ରହିବାକୁ ଇସାରା ଦେଲେ, ଇସିଜି ସରିଲା । ତିଳୋତ୍ତମା ନିଜ ବସ୍ତ୍ର ସଜାଡ଼ୁଥଲେ । ଏବଂ ପଚାରିଲେ କ’ଣ ହେଇଛି ଡାକ୍ତର । ବ୍ଲକେଜ୍ ଟିକେ ବେଶ ଅଛି । ଇମିଡିୟେଟ୍ ଏନ୍ଜିଓଗ୍ରାମ କରିବାକୁ ପଡ଼ିବ, ଠିକ୍ ଅଛି, ମୁଁ କିଛି ଦିନ ପରେ ଆସିବି । ଏବେ ଶାଶୂଙ୍କର ଶ୍ରାଦ୍ଧ କାମ ସରିଯାଉ, କହି ଉଠିଆସୁଥିବାବେଳେ ନଜର ପଡ଼ିଗଲା ଡାକ୍ତରଙ୍କ ବ୍ରେସଲେଟ୍ ଉପରେ । ଦୁଇଟି ହାର୍ଟ ସେପର୍ ବ୍ରେସ୍ଲେଟ୍ । ଚମ୍କି ପଡ଼ି ଚାହିଁଲେ ଡାକ୍ତରଙ୍କ ମୁହଁକୁ ପୁଣି ହାତକୁ । ଗୋଟିଏ ହାର୍ଟ ତାଙ୍କର ଅନ୍ୟଟି ତାଙ୍କ ସବୁଠୁ ପ୍ରିୟ ମଣିଷର କହି ସେ ଦିନ ସୁନାର ଡ୍ରେସଲେଟ୍ଟିଏ ଉପହାର ଦେଇଥିଲେ ତିଳୋତ୍ତମା ବିପିନ୍ଙ୍କୁ । ଆଉ ଅପେକ୍ଷା ନ କରି ଡାକ୍ତରଙ୍କ ମୁହଁରୁ ମାସ୍କଟି ଟାଣିଦେଲେ । ଓହୋ...ହେ ଭଗବାନ୍ .... ପୁଣି ବସିଗଲେ ସେ । ଦ୍ୱିତୀୟଥର ହାର୍ଟ ଆଟାକ୍ ବାହାରିବା ମାତ୍ରେ ଡାକ୍ତର ବିପିନ୍ ଏନଜିଓପ୍ଲାଷ୍ଟ ପାଇଁ ଅପରେସନ୍ ଥିଏଟରକୁ ନେଇଗଲେ । ଘରଲୋକ ଆସିବା ପୂର୍ବରୁ ସରିଯାଇଥିଲା ତାଙ୍କର ଏନ୍ଜିଓପ୍ଲାଷ୍ଟ । ପାଖରେ କେବଳ ଡାକ୍ତର ବିପିନ୍ । ଏ ପର୍ଯ୍ୟନ୍ତ ତିଳୋତ୍ତମା ଗୋଟିଏ ପଦ ହେଲେ କଥା କହୁ ନାହାନ୍ତି । ଡଃ ବିପିନ୍ଙ୍କୁ ବହୁତ କଷ୍ଟ ହୋଇଛି ସତ : ତିଳୋତ୍ତମାଙ୍କ ଠାରୁ ଅଲଗାହୋଇ । କିନ୍ତୁ ଏଥିରେ ବି ତିଳୋତ୍ତମାଙ୍କର ଦୋଷ ନାହିଁ, ବୋଲି ସେ ସ୍ପଷ୍ଟ ହୋଇସାରିଛନ୍ତି କାରଣ ତାଙ୍କ ମା’ ନିଜେ ଯାଇ ବିପିନ୍ଙ୍କୁି ଭିକ୍ଷା ମାଗିଛନ୍ତି ଝିଅକୁ । ଆଜି ତାଙ୍କୁ ବହୁବର୍ଷ ପରେ ସୁଯୋଗ ମିଳିଛି ନିଜ ଛାତି ତଳେ ଘର କରିଥିବା ପ୍ରିୟା ପାଇଁ କିଛି କରିବାର । ନର୍ସକୁ ସୁପ୍ ଆଣିବା ପାଇଁ କହି ନିଜେ ଉଠାଇ ପିଆଇବାକୁ ନେଲାବେଳେ ତିଳୋତ୍ତମା ଧରି ଦେଇଥିଲେ ବାଉଲ୍ଟାକୁ ଦିଅନ୍ତୁ ମୁଁ ପିଇଦେବି । ଓଃ ବେବି ତୁମେ କଥା କହିଲ ତ ..... ତିଳୋତ୍ତମା ମୁଣ୍ଡପୋତି କହୁଥାନ୍ତି ‘ତୁମର ସେ ବେବି ମୁଁ ଆଉ ନୁହଁ ।’
ଏହି ସମୟରେ ତିଳୋତ୍ତମାଙ୍କ ଝିଅ ଲିପ୍ସା ପ୍ରବେଶ କରି ମାଙ୍କୁ କୁଣ୍ଢାଇ ପକାଉଥିବାବେଳେ, ଡାକ୍ତରଙ୍କୁ ସେଠାରେ ଦେଖି ନମସ୍କାର ମୁଦ୍ରାରେ ଚାହୁଥିବାବେଳ ଡଃ ବିପିନ୍ ଟାଣି ଧରିଥିଲେ ଝିଅକୁ ଖୁବ୍ ଜୋରରେ ଅନାବିଳ ସ୍ନେହରେ । ସତେ କି ବହୁଦିନରୁ ଅପେକ୍ଷା ଥିଲା ଏହି ମୁହୂର୍ତ୍ତ ପାଇଁ । ଖୁବ୍ ଆନନ୍ଦରେ ଖସି ପଡୁଥିଲା ତିଳୋତ୍ତମାଙ୍କ ଆଖିରୁ କେତେଟୋପା ଅଶ୍ରୁ । ସିଷ୍ଟର୍ ଖାଦ୍ୟ ଆଣି ଝରକା ଖୋଲି ଦେଇ କହୁଥିଲେ .... । ମାଡାମ୍ ଏଇ ଝରକା ପାଖକୁ ଆସନ୍ତୁ । କିଛି ଚିନ୍ତା କରନ୍ତୁନି । ଟିକେ ଖାଇ ନିଅନ୍ତୁ । ନ ହେଲେ ଡାକ୍ତର ସାର୍ ରାଗିବେ । ଏଇ ପୁନେଇ ଜହ୍ନକୁ ଟିକେ ଦେଖନ୍ତୁ .... । ଡାକ୍ତର ବିପିନ୍ ଆଶ୍ଚର୍ଯ୍ୟହୋଇ ଚାହିଁ ରହିଥିଲେ ସିଷ୍ଟର୍ଙ୍କୁଡ ଇଏ କିପରି ଜାଣିଲେ ଗୋଟେ ପୁନେଇ ଜହ୍ନରେ ଆମ ମିଳନ ହୋଇଥିଲା ବୋଲି ..... ।
ରାଜଲକ୍ଷ୍ମୀ ତ୍ରିପାଠୀ, ଭୁବନେଶ୍ବର,
ଫୋନ୍: ୮୯୧୭୪୬୭୭୮୭

Editor 


