କଥା ହେବାବେଳେ ଫୋନ ଝାମ୍ପି ନେଲା ଦୁର୍ବୃତ୍ତ, ଅଭିଯୁକ୍ତ ଗିରଫ

କଥା ହେବାବେଳେ ଫୋନ ଝାମ୍ପି ନେଲା ଦୁର୍ବୃତ୍ତ, ଅଭିଯୁକ୍ତ ଗିରଫ

ଭୁବନେଶ୍ବର,୧୭/୧୨ : କଥା ହେଲାବେଳେ ଫୋନ୍ ଝାମ୍ପିନେଲେ ଦୁର୍ବୃତ୍ତ, ଅଭିଯୁକ୍ତ ଗିରଫ । ଏଭଳି ଏକ ଘଟଣା ଘଟିଛି ପାୱାର ହାଉସ ଛକ ନିକଟରେ । ଅଭିଯୁକ୍ତ ଜଣଙ୍କ ହେଲା ବୁଦ୍ଧିଆ ପାତ୍ର(୨୬) । କ୍ୟାପିଟାଲ ଥାନା ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । 

ସୂଚନାଯୋଗ୍ୟ ଯେ, ସୁମନ୍ ନାୟକ ନାମକ ଜନୈକ ଯୁବତୀ ଧଉଳି ଥାନା ଅନ୍ତର୍ଗତ ନୂଆଗାଁରେ ପରିବାର ସହ ରୁହନ୍ତି । ଗତକାଲି ଅର୍ଥାତ୍ ମଙ୍ଗଳବାର ଅପରାହ୍ନରେ ସେ ଡିଏସବିଏମ କଲେଜରୁ କ୍ଲାସ୍ ସାରି ଘରକୁ ଫେରୁଥିବାବେଳେ, ପାୱାର ହାଉସ ଛକ ନିକଟରେ ତାଙ୍କ ଫୋନକୁ ଏକ କଲ୍ ଆସିଥିଲା । ସେ ଫୋନରେ କଥା ହେଉଥିବାବେଳେ, ହଠାତ୍ ଦୁଇ ଜଣ ଅଜଣା ଯୁବକ ଏକ ସ୍କୁଟିରେ ପିଛା କରି ଆସି ତାଙ୍କ ହାତରୁ ତାଙ୍କ ମୋବାଇଲ୍ ଫୋନକୁ ଜୋର ଜବରଦସ୍ତ ଛଡ଼ାଇ ନେଇ ଦ୍ରୁତଗତିରେ ସେଠାରୁ ଫେରାର ହୋଇଯାଇଥିଲେ । ଏ ନେଇ ସେ ଥାନାରେ ଅଭିଯୋଗ କରିଥିଲେ ।

ଅଭିଯୋଗ ଆଧାରରେ ପୁଲିସ ମାମଲାର ତଦନ୍ତ କରିବା ସହ ଏକ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନାକ୍ରମେ ୟୁନିଟ୍-୪ ମାର୍କେଟ ଅଞ୍ଚଳରେ ଅତର୍କିତ ଚଢ଼ଉ କରି ମୋବାଇଲ ଲୁଟରେ ସମ୍ପୃକ୍ତ ଅଭିଯୁକ୍ତ ବୁଦ୍ଧିଆ ପାତ୍ରଙ୍କୁ କାବୁ କରିବାରେ ସକ୍ଷମ ହୋଇଥିବାବେଳେ ତାଙ୍କ ହେପାଜତରୁ ସମ୍ପୃକ୍ତ ଲୁଟ୍ ମୋବାଇଲକୁ ଜବତ କରିଥିଲେ । ପଚରାଉଚରାବେଳେ ଅଭିଯୁକ୍ତ ବୁଦ୍ଧିଆ ନିଜ ଦୋଷ ସ୍ଵୀକାର କରିଥିଲେ । କ୍ୟାପିଟାଲ ଥାନା ପୁଲିସ୍ ତରଫରୁ ସମସ୍ତ ଆଇନଗତ ଔପଚାରିକତା ପାଳନ ପରେ ଅଭିଯୁକ୍ତ ବୁଦ୍ଧିଆପାତ୍ରକୁ ଆଜି କୋର୍ଟଚାଲାଣ କରାଯାଇଛି । ମାମଲାର ଅଧିକ ତଦନ୍ତ ପ୍ରକ୍ରିୟା ବର୍ତ୍ତମାନ ଜାରି ରହିଛି ।