ଟି-୨୦ ବିଶ୍ୱକପ୍ ; ନାମବିୟାକୁ ହରାଇଲା ଭାରତ
ନୂଆଦିଲ୍ଲୀ,୧୨/୨ : ଚଳିତ ଟି-୨୦ବିଶ୍ୱକପ କ୍ରିକେଟରେ ଭାରତ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି । ନାମବିୟା ବିପକ୍ଷ ମ୍ୟାଚକୁ ଭାରତ ୯୩ରନରେ ଜିତି ନେଇଛି । ଈଶାନ କିଶାନ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଭାରତ ୨୧୦ରନର ବିଜୟ ଲକ୍ଷ୍ୟ ନାମବିୟା ଆଗରେ ରଖିଥିଲା । ଜବାବରେ ନାମବିୟା ୧୮.୨ ଓଭରରେ ୧୧୬ରନ କରି ଅଲଆଉଟ ହୋଇଯାଇଥିଲା । ଲୌରେନ ଷ୍ଟିନକ୍ୟାମ୍ପ ୨୯ ଓ ଜ୍ୟାନ ଫ୍ରାଲିଙ୍ଗ ୨୨ ରନ କରିଥିଲେ । ନାମ୍ବିଆର ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଭାରତୀୟ ବୋଲରଙ୍କ ଉଚିତ ମୁକାବିଲା କରିପାରି ନ ଥିଲେ । ବରୁଣ ଚକ୍ରବର୍ତ୍ତି ୩ଟି ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଓ ଅକ୍ଷର ପଟେଲ ୨ଟି ଲେଖାଏଁ ୱିକେଟ ନେଇଥିଲେ ।
ଟସ୍ ଜିତି ନାମବିୟା ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲା । ଭାରତ ୨୦ ଓଭରରେ ୯ ୱିକେଟ ହରାଇ ୨୦୯ ରନ ସଂଗ୍ରହ କରିଥିଲା । ଈଶାନ ୨୪ ବଲରେ ୬୧ ରନ କରିଥିଲେ । ଏଥିରେ ୬ ଚୌକା ଓ ୫ଛକା ରହିଥିଲା । ହାର୍ଦ୍ଦିକ ୨୮ ବଲରେ ୫୨ ରନ ସଂଗ୍ରହ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଞ୍ଜୁ ସାମସନ ୨୨, ତିଳକ ବର୍ମା ୨୫, ସୂର୍ଯ୍ୟକୁମାର ଯାଦବ ୧୨ ଓ ଶିବମ ଦୁବେ ୨୩ ରନ କରିଥିଲେ । ଶେଷ ଭାଗରେ ଦ୍ରୁତ ରନ ସଂଗ୍ରହ କରିବା ଲକ୍ଷ୍ୟରେ ଭାରତ ୫ଟି ୱିକେଟ ୪ ରନ ମଧ୍ୟରେ ହରାଇ ଦେଇଥିଲା । ଗେରହାଡ ଇରାସମୁସ ଚମତ୍କାର ବୋଲିଂ ପ୍ରଦର୍ଶନ କରି ୫ଟି ୱିକେଟ ନେଇଥିଲେ ।

Editor 


