ବେଆଇନ ବାଲି ଚୋରାଚାଲାଣ ଅଭିଯୋଗରେ ଦୁଇ ଗିରଫ
ଭୁବନେଶ୍ବର,୨୧/୧୦ : ବେଆଇନ ବାଲି ଚୋରାଚାଲାଣ ଅଭିଯୋଗରେ ଦୁଇ ଗିରଫ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବରିମୁଣ୍ଡା ଗ୍ରାମ ନିକଟସ୍ଥ କୁଆଖାଇ ନଦୀ ଶଯ୍ୟା ଅଞ୍ଚଳରେ । ଗିରଫ ଦୁଇ ଅଭିଯୁକ୍ତ ହେଲେ ପ୍ରଶାନ୍ତ କୁମାର ନାୟକ ଓ ବିନୋଦ କୁମାର ପରିଡ଼ା । ଉଭୟଙ୍କୁ ଗିରଫ କରି ପୁଲିସ କୋର୍ଟ ଚାଲାଣ କରିଛି।
ସୂଚନା ଅନୁସାରେ, ଗତକାଲି ମଞ୍ଚେଶ୍ଵର ଥାନାଧିକାରୀଙ୍କ ନିର୍ଦ୍ଦେଶ ମୁତାବକ ସମ୍ପୃକ୍ତ ଥାନାର ଏକ ପାଟ୍ରୋଲିଂ ଟିମ୍ ନିଜ ଅଞ୍ଚଳରେ ରାତ୍ରିକାଳୀନ ପାଟ୍ରୋଲିଂ କରୁଥିବାବେଳେ ଦୁଇ ଅଭିଯୁକ୍ତ ପ୍ରଶାନ୍ତ କୁମାର ନାୟକ ଓ ବିନୋଦ କୁମାର ପରିଡ଼ା ଏବଂ ସେମାନଙ୍କ ସହଯୋଗୀମାନେ ବରିମୁଣ୍ଡା ଗ୍ରାମ ନିକଟସ୍ଥ କୁଆଖାଇ ନଦୀ ଶଯ୍ୟାରୁ ବେଆଇନ ଭାବେ ବାଲି ଚୋରାଚାଲାଣ କରୁଥିବା ନେଇ ବିଶ୍ଵସ୍ତ ସୂତ୍ରରୁ ସୂଚନା ପାଇଥିଲେ ।
ମିଳିଥିବା ସୂଚନା ଆଧାରରେ ପାଟ୍ରୋଲିଂ ଟିମ୍ ଘଟଣାସ୍ଥଳରେ ଅତର୍କିତ ଚଢଉ କରି ଉଭୟ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିବାବେଳେ, ଅନ୍ୟ ଅଭିଯୁକ୍ତମାନେ ଖସି ପଳାଇଯାଇଥିଲେ । ପାଟ୍ରୋଲିଂ ଟିମ୍ ଘଟଣା ସ୍ଥଳରୁ ଦୁଇଟି ଟ୍ରାକ୍ଟର ଏବଂ ଦୁଇଟି ଦୁଇଚକିଆ ଯାନ ଜବତ କରିଥିଲେ । ପଚରାଉଚରାବେଳେ, ଦୁଇ ଅଭିଯୁକ୍ତ ବେଆଇନ ବାଲି ଚାଲାଣ କରୁଥିବା କଥା ସ୍ଵୀକାର କରିଥିଲେ । ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

Editor 


