ମୁଁ ପୁରା ଦେଶୀ ଖାଦ୍ୟରେ ଟିଫିନ୍ ପ୍ରସ୍ତୁତ କରୁଛି

ମୁଁ ପୁରା ଦେଶୀ ଖାଦ୍ୟରେ ଟିଫିନ୍ ପ୍ରସ୍ତୁତ କରୁଛି

ହଠାତ୍ ରାସ୍ତାରେ ଯାଉ ଯାଉ ନଜର ଆସିଲା ଜଣେ ମହିୟଶୀ ମହିଳାଙ୍କ ଉପରେ । ସେ ରାସ୍ତାକଡ଼ରେ ଏକ ଖାଦ୍ୟ ଷ୍ଟଲ୍ କରି ଠିଆ ହୋଇଥାନ୍ତି, ତାଙ୍କ ଚାରିପାଖରେ ଲୋକଙ୍କ ଭିଡ଼ ଜମିଥାଏ । ଏହାରି ଭିତରେ ଆମର ବି ଇଛା ହେଲା ସେଠି ଯାଇ ଦେଖିବାକୁ କ’ଣ ସେ ବିକ୍ରି କରୁଛନ୍ତି । ଦେଖିବା ବେଳକୁ ପୁରା ଘରୋଇ ଖାଦ୍ୟର ସମ୍ଭାର ଧରି ସେ ବସିଛନ୍ତି । ସକାଳୁ ସକାଳୁ ଆମର ବି ଖାଇବାକୁ ଇଛା ହେଲା। ବହୁତ ସ୍ବାଦିଷ୍ଟ ଥିଲା । ଯାହା ଥରେ ଖାଇଲେ ମନ ବୁଝିବ ନାହିଁ । ନାଁ ତାଙ୍କର ପ୍ରମୋଦିନୀ ସେନାପତି। ଆମେ ଚେଷ୍ଟା କଲୁ ତାଙ୍କ ଠାରୁ କିଛି ଜାଣିବାକୁ । ଆଜିର ସ୍ବତନ୍ତ୍ର ସାକ୍ଷାତକାରରେ ଆମ ସହ ଅଛନ୍ତି ମହିଳା ଉଦ୍ୟୋଗୀ ପ୍ରମୋଦିନୀ ସେନାପତି । ଆସନ୍ତୁ ଜାଣିବା ସେ କାହିଁକି ଦେଇଛନ୍ତି ଏଭଳି ଘରୋଇ ଖାଦ୍ୟର ଷ୍ଟଲ୍ …

ଟିଫିନ୍ ଷ୍ଟଲ କାହିଁକି କରିବାକୁ ଚିନ୍ତା କଲେ ?

ପିଠାପଣା ଜାତୀୟ ଅର୍ଥାତ୍ ଘରୋଇ ଖାଦ୍ୟ ମିଳିବା ଅତ୍ୟନ୍ତ କଷ୍ଟ ସାଧ୍ୟ ହେଇଗଲାଣି । ଏହି ଟିଫିନ୍ ଷ୍ଟଲ୍ ଦ୍ଵାରା ଜୀବିକା ନିର୍ବାହ କରିବା ସହ ଲୋକମାନଙ୍କୁ ମଧ୍ୟ ପିଠାପଣା ଜାତୀୟ ଖାଦ୍ୟ ଯୋଗାଇପାରିବି ବୋଲି ଭାବି ଏହି ଷ୍ଟଲ୍ ଖୋଲିବାକୁ ଚିନ୍ତା କଲି । 

ଜଣେ ମହିଳା ଭାବେ କିଭଳି ଚିନ୍ତାଧାରା ଆସିଲା ଟିଫିନ ଷ୍ଟଲ କରିବାକୁ ?

ଆଜିର ବ୍ୟସ୍ତତା ପୂର୍ଣ୍ଣ ଜୀବନରେ ଲୋକମାନଙ୍କୁ ଘରେ ଟିଫିନ୍ କରିବା ପାଇଁ ସମୟ ମିଳୁ ନାହିଁ । ଫଳରେ ଲୋକମାନଙ୍କର ବହୁତ୍ କିଛି ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଉଛି। ଚାଇନିଜ୍ ଫୁଡ୍ ବିଭିନ୍ନ ରୋଗର ବଡ଼ କାରଣ ସାଜିଛି । ସେଥିପାଇଁ ମୁଁ ପୁରା ଦେଶୀ ଖାଦ୍ୟରେ ଟିଫିନ୍ ପ୍ରସ୍ତୁତ କରୁଛି । ଯାହାକୁ ଖାଇଲେ କିଛି ବି ସ୍ବାସ୍ଥ୍ୟଗତ ସମସ୍ୟା ଦେଖା ଯିବ ନାହିଁ ।

ଜଣେ ମହିଳା ଭାବେ ଆପଣ ବ୍ୟବସାୟ କରୁଛନ୍ତି କେତେ କଷ୍ଟ ସହିବାକୁ ପଡ଼େ ?

ନିହାତି ଭାବେ କଷ୍ଟ ତ ଲାଗେ । ମାତ୍ର କଷ୍ଟ ସବୁକୁ ପଛରେ ପକାଇ ଉଭୟ ପରିବାରକୁ ଏବଂ ବ୍ୟବସାୟକୁ ବି ସମୟ ଦେବାକୁ ପଡ଼େ । କିନ୍ତୁ ପ୍ରଭୁ ଜଗନ୍ନାଥଙ୍କ କୃପାରୁ ସବୁ କିଛି ଠିକ୍ ଠାକ୍ ଚାଲିଛି ।

ଯେତେବେଳେ ବ୍ୟବସାୟ କରିବାକୁ ଆପଣ ମନସ୍ଥ କଲେ ଘରୁ କିଭଳି ସପୋର୍ଟ ମିଳିଥିଲା ?

ଘର, ପରିବାର ଲୋକଙ୍କର ଶତପ୍ରତିଶତ ସପୋର୍ଟ ରହିଛି । ସେଥିଲାଗି ମୁଁ ଆଜି ଏତେବାଟ ଆଗେଇ ପାରିଛି । ଯେଉଁଥିପାଇଁ ମୁଁ ବହୁତ ଖୁସି ଅଛି । 

ଆପଣଙ୍କ ଷ୍ଟଲ କେଉଁଠି ଦେଇଛନ୍ତି ?

ରସୁଲ୍ ଗଡ଼ର GGP କେନାଲ ରୋଡ଼ର, ଚଣ୍ଡୀ ମନ୍ଦିର କଡ଼ରେ ମୋର ଷ୍ଟଲ୍ ରହିଛି।

ଯଦି ଦାମର କଥା ଆସେ ତେବେ କେତେ ପ୍ରାଇସ ରହିଛି ଗୋଟିଏ ପ୍ଲେଟ କୁ ?

ଗୋଟିଏ ପ୍ଲେଟ୍କୁ ମାତ୍ର ୩୦ଟଙ୍କା ଦାମ୍ ରହିଛି।

କ'ଣ କ'ଣ ସବୁ ଆଇଟମ ରଖିଛନ୍ତି ଆପଣଙ୍କ ଷ୍ଟଲରେ ?

ମେଥି, ଉଷୁନା ଚାଉଳରେ ମୁଆଁ ପିଠା, ମାଣ୍ଡିଆ ଯାଉ, ମାଣ୍ଡିଆ ଚକୁଳି, କାକରା ଇତ୍ୟାଦି........।