ବିବାହ ପରେ ହଲିକପ୍ଟରରେ ବିଦା ହେଲେ କନ୍ୟା
ନୂଆଦିଲ୍ଲୀ,୨୩/୨: ହରିୟାଣା ନୁହ ଜିଲ୍ଲାର ତାୱଡୁରେ ରବିବାର ଏକ ନିଆରା ବିବାହ ଉତ୍ସବ ଦେଖିବାକୁ ମିଳିଛି । ସେଠାରେ ଜଣେ ଝିଅ ବିବାହ ପରେ ହେଲିକପ୍ଟରରେ ଶାଶୂଘର ଅଭିମୁଖେ ବିଦା ହୋଇଛନ୍ତି । ହେଲିକପ୍ଟରଟି ତାୱଡୁର ଅନାଜମଣ୍ଡି ପରିସରରେ ଓହ୍ଲାଇବା ପରେ ତାକୁ ଦେଖିବାକୁ ଆଖପାଖ ଗାଁର ଶତାଧିକ ଲୋକ ଜମା ହୋଇଯାଇଥିଲେ । କିଛି ଲୋକ ହେଲିକପ୍ଟର ସହ ଫଟୋ ଉଠାଇଥିଲେ । ସୁରକ୍ଷାକୁ ଦୃଷ୍ଟିରେ ରଖି ସେଠାରେ ପୁଲିସ ବ୍ୟବସ୍ଥା ସହ ଅଗ୍ନିଶମ ବିଭାଗର ଟିମ୍ ମଧ୍ୟ ମୁତୟନ ହୋଇଥିଲା ।
ସୂଚନା ଅନୁସାରେ, ଗୁରୁଗ୍ରାମ କାଦରପୁର ନିବାସୀ ରୋହିତ ଡାଗରଙ୍କ ବିବାହ ତାୱଡୁର ଜଟୱାଡ଼ା ମୋହଲ୍ଲା ବାସିନ୍ଦା ଦେବେନ୍ଦ୍ରଙ୍କ କନ୍ୟା ସ୍ୱାତୀଙ୍କ ସହ ସ୍ଥିର ହୋଇଥିଲା । ସେଥିଲାଗି ଗତକାଲି ସକାଳେ ବରଯାତ୍ରୀ ଦଳ ଜଟୱାଡ଼ା ମୋହଲ୍ଲା ପହଞ୍ଚିଥିଲେ । ସେଠାରେ ବିବାହ ସଂପନ୍ନ ହେବା ପରେ ଦ୍ୱିପ୍ରହରରେ କନ୍ୟା ହେଲିକପ୍ଟରରେ ଶାଶୂଘର ଅଭିମୁଖେ ବିଦା ହୋଇଥିଲେ । ବର ରୋହିତ ଡାଗର କହିଛନ୍ତି, ବିବାହ ପରେ ବୋହୂ ହେଲିକପ୍ଟରରେ ତାଙ୍କ ଘରକୁ ଆସୁ ବୋଲି ପିତାଙ୍କର ଦୀର୍ଘ ଦିନର ଇଚ୍ଛା ଥିଲା । ସେହି ସ୍ୱପ୍ନ ପୂରଣ ଲାଗି ଜୀବନସାଥୀଙ୍କୁ ହେଲିକପ୍ଟରରେ ଆଣିବାକୁ ସେ ନିଷ୍ପତ୍ତି ନେଇଥିଲେ ।

Editor 


