୬ ମାସ ହେବ ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ପଦ ଖାଲି ; ନେତୃତ୍ୱ ସଙ୍କଟକୁ ନେଇ ଚର୍ଚ୍ଚା ଜୋରଦାର
ଭୁବନେଶ୍ବର,୧୨/୨ : ୬ ମାସ ହେବ ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ପଦ ଖାଲି । ପୂର୍ବତନ ସଭାପତି ଉଦିତ ନାରାୟଣ ପ୍ରଧାନଙ୍କୁ ଦଳ ନିଲମ୍ବନ କରିଥିଲା। ଏହାପରେ କାହାର ନାଁ ଘୋଷଣା ହୋଇନାହିଁ । ଯାହାକୁ ନେଇ ଏବେ ଅନ୍ତଃ କନ୍ଦଳ ଦେଖିବାକୁ ମିଳିଛି । କେହି ବାହାରକୁ ଆସି କହୁନଥିବାବେଳେ ଭିତରେ କିନ୍ତୁ ଅସନ୍ତୋଷର ବହ୍ନି ଜଳିବାରେ ଲାଗିଛି । ଯାହା ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିବାକୁ ଲାଗିଲାଣି । ଏହା ମଧ୍ୟରେ ନେତୃତ୍ୱ ସଙ୍କଟକୁ ନେଇ ଚର୍ଚ୍ଚା ଜୋରଦାର ଜାରି ରହିଛି ।
ଗତ ୬ ମାସ ଧରି ରାଜ୍ୟ ଛାତ୍ର କଂଗ୍ରେସ ନେତୃତ୍ୱ ସଙ୍କଟରେ ପଡ଼ିଥିବା ଦେଖାଯାଉଛି । ପୂର୍ବତନ ସଭାପତି ଉଦିତ ନାରାୟଣ ପ୍ରଧାନଙ୍କୁ ଏକ ମହିଳାଙ୍କ ଅଭିଯୋଗକୁ ଆଧାର କରି ଦଳରୁ ନିଲମ୍ବନ କରାଯାଇଥିଲା। ପରେ ନ୍ୟାୟାଳୟ ତାଙ୍କୁ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ଘୋଷଣା କରି ଖଲାସ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ପଦ ଖାଲି ରହିଛି । ଏକ ସମୟରେ ଶ୍ରୀ ପ୍ରଧାନଙ୍କ ନେତୃତ୍ୱରେ ଛାତ୍ର କଂଗ୍ରେସ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ସୁରକ୍ଷା ପାଇଁ ରାଜରାସ୍ତାରେ ଆନ୍ଦୋଳନ କରୁଥିଲା । କିନ୍ତୁ ବର୍ତ୍ତମାନ ନେତୃତ୍ୱ ଅଭାବରୁ ସଂଗଠନ ନିଷ୍କ୍ରିୟ ହୋଇପଡ଼ିଛି ବୋଲି କର୍ମୀମାନଙ୍କ ମଧ୍ୟରେ ମତ ପ୍ରକାଶ ପାଉଛି ।
ଓଡ଼ିଶାରେ ରାଜ୍ୟ ଛାତ୍ର କଂଗ୍ରେସକୁ ପୁର୍ନଜୀବନ ଦେବା ପାଇଁ ଶ୍ରୀ ପ୍ରଧାନଙ୍କୁ ପୁନର୍ବାର ସଭାପତି ଭାବେ ଘୋଷଣା କରାଯାଉ ବୋଲି ଦଳର ବିଭିନ୍ନ ପଦାଧିକାରୀ, କର୍ମୀ ଓ ସାଧାରଣ ମହଲରେ ଚର୍ଚ୍ଚା ଜୋର ଧରିଛି । ଏହି ପରିପ୍ରେକ୍ଷିତରେ ରାଜ୍ୟ ଛାତ୍ର କଂଗ୍ରେସର ରାଜ୍ୟ ସମ୍ପାଦକ ଓ ସାଧାରଣ ସମ୍ପାଦକମାନେ ରାଜ୍ୟ କଂଗ୍ରେସ ନେତୃତ୍ବଙ୍କୁ ସତର୍କ କରି କହିଛନ୍ତି ଯେ, ଯଦି ଖୁବଶୀଘ୍ର ରାଜ୍ୟ ସଭାପତିଙ୍କ ନାମ ଘୋଷଣା ନ କରାଯାଏ, ତେବେ ସେମାନେ ନିଜ ନିଜ ପଦରୁ ଇସ୍ତଫା ପ୍ରଦାନ କରିବେ ।

Editor 


