‘ଟ୍ରାନ୍ସଜେଣ୍ଡର ବ୍ୟକ୍ତି ଅଧିକାର ସୁରକ୍ଷା ଆଇନ’କୁ ନେଇ ଦୁଇ ଦିନିଆ ସଚେତନତା ଓ କ୍ଷମତା ବିକାଶ କାର୍ଯ୍ୟକ୍ରମ

‘ଟ୍ରାନ୍ସଜେଣ୍ଡର ବ୍ୟକ୍ତି ଅଧିକାର ସୁରକ୍ଷା ଆଇନ’କୁ ନେଇ ଦୁଇ ଦିନିଆ ସଚେତନତା ଓ କ୍ଷମତା ବିକାଶ କାର୍ଯ୍ୟକ୍ରମ

ଭୁବନେଶ୍ୱର,୨୬/୨ : ମିନିଷ୍ଟ୍ରି ଅଫ୍ ସୋସିଆଲ୍ ଜଷ୍ଟିସ୍ ଏଣ୍ଡ ଏମ୍ପାୱରମେଣ୍ଟ, ଭାରତ ସରକାରଙ୍କ ଅଧୀନରେ ନ୍ୟାସନାଲ୍ ଇନ୍‌ଷ୍ଟିଟ୍ୟୁଟ୍ ଅଫ୍ ସୋସିଆଲ୍ ଡିଫେନ୍ସ (NISD) ଙ୍କ ସହଯୋଗରେ ଏବଂ ସଖା, ଓଡ଼ିଶାର ମିଳିତ ସହଯୋଗରେ ୨୫ ଓ ୨୬ ଫେବୃଆରୀ ୨୦୨୬ ତାରିଖରେ ଭୁବନେଶ୍ୱର ସ୍ଥିତ ହୋଟେଲ୍ ତାଜ୍‌ରେ “ଟ୍ରାନ୍ସଜେଣ୍ଡର ପର୍ସନ୍ସ (ପ୍ରୋଟେକ୍ସନ୍ ଅଫ୍ ରାଇଟ୍ସ) ଆକ୍ଟ, ୨୦୧୯ ଓ ରୁଲ୍ସ, ୨୦୨୦” ବିଷୟରେ ଦୁଇ ଦିନିଆ ସଚେତନତା ଓ କ୍ଷମତା ବିକାଶ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ଏହି ଗୁରୁତ୍ୱପୂର୍ଣ୍ଣ ସେମିନାରରେ ପ୍ରାୟ ୫୦ରୁ ଅଧିକ ଡିଜିଟାଲ୍ ମିଡିଆ ପ୍ରତିନିଧି ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ଟ୍ରାନ୍ସଜେଣ୍ଡର ନ୍ୟାସନାଲ୍ ପୋର୍ଟାଲ୍ ମାଧ୍ୟମରେ ପ୍ରମାଣପତ୍ର ପାଇଁ ଆବେଦନ ପ୍ରକ୍ରିୟା, ‘ନ୍ୟାସନାଲ୍ କାଉନସିଲ୍ ଫର୍ ଟ୍ରାନ୍ସଜେଣ୍ଡର ପର୍ସନ୍ସ’ର ଭୂମିକା ଏବଂ ସେମାନଙ୍କ ସୁରକ୍ଷା ପାଇଁ ଥିବା ଆଇନଗତ ବ୍ୟବସ୍ଥା ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ବିଶେଷ କରି ସମାଜରେ ଘଟୁଥିବା ଅସଦବ୍ୟବହାର, ଯୌନ ଉତ୍ପୀଡ଼ନ କିମ୍ବା ଅପମାନଜନକ ଟିପ୍ପଣୀ ବିରୁଦ୍ଧରେ କିପରି ଅଭିଯୋଗ କରିହେବ, ସେ ନେଇ ବିଶେଷଜ୍ଞମାନେ ସୂଚନା ପ୍ରଦାନ କରିଥିଲେ।

ଏହି ଅବସରରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଟ୍ରାନ୍ସଜେଣ୍ଡର ସମୁଦାୟ ସମ୍ବନ୍ଧୀୟ ଖବର ପରିବେଷଣ ସମୟରେ ଅଧିକ ସମ୍ବେଦନଶୀଳ ହେବାକୁ ପରାମର୍ଶ ଦିଆଯାଇଥିଲା। ଡିଜିଟାଲ୍ ପ୍ଲାଟଫର୍ମରେ ବ୍ୟବହୃତ ଭାଷା, ଶୀର୍ଷକ ଏବଂ ଥମ୍ବନେଲ୍ ଯେପରି କାହାର ସମ୍ମାନକୁ ହାନି ପହଞ୍ଚାଇବ ନାହିଁ, ସେଥିପାଇଁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯାଇଥିଲା।

ଏହି କାର୍ଯ୍ୟକ୍ରମରେ ସଖାର ପ୍ରତିଷ୍ଠାତା ମୀରା ପରିଡ଼ା, ବରିଷ୍ଠ ସାମ୍ୱାଦିକ ଦେବ ଚୌଧୁରୀ ଓ ବିଭୂତି ବିଶ୍ୱାଳ, ଭୁବନେଶ୍ୱର ଡିଜିଟାଲ ମିଡିଆ ସଭାପତି ବିକାଶ ବେହେରାଙ୍କ ସମେତ ବିଭିନ୍ନ ଗଣମାଧ୍ୟମର ବରିଷ୍ଠ ପ୍ରତିନିଧି, ପରାମର୍ଶଦାତା ଏବଂ ବିଶିଷ୍ଟ ସମାଜସେବୀମାନେ ଉପସ୍ଥିତ ରହି ନିଜ ନିଜର ମତ ରଖିଥିଲେ। ସମସ୍ତଙ୍କ ସକ୍ରିୟ ସହଭାଗିତା ଯୋଗୁଁ ଏହି କାର୍ଯ୍ୟକ୍ରମଟି ଅତ୍ୟନ୍ତ ପ୍ରଭାବଶାଳୀ ହୋଇପାରିଛି ବୋଲି ସଖାର ସଭାପତି ନେହା ମହାପାତ୍ର କହିବା ସହ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।