ମୁଁ ମିଛ କହିବାର କଳା ଓ କୌଶଳ ଜାଣେ ନି

ମୁଁ ମିଛ କହିବାର କଳା ଓ କୌଶଳ ଜାଣେ ନି

ଜୀବନର ସଂଘର୍ଷ ତାଙ୍କୁ ଆଜି ଆଗକୁ ନେଇଛି । ସାମଜ ପାଇଁ ସେ ସବୁବେଳେ ନିଜକୁ ଉତ୍ସର୍ଗୀକୃତ କରିଥାନ୍ତି । ଯାହା ବି ସକ୍ଷମ ସେଥିରେ ଅନ୍ୟ ପାଇଁ କିଛି କରିବାକୁ ମନ ବଳାନ୍ତି । ସେ ମିଛ କହି ପାରନ୍ତି ନି, ସେ କଳା ବି ତାଙ୍କ ପାଖରେ ନାହିଁ । ଯଦି ଥାନ୍ତା ଆଜି ସେ ରାଜନୀତିରେ ପାଦ ଦେଇଥାନ୍ତେ ବୋଲି କୁହନ୍ତି । ମନରେ କିନ୍ତୁ ତାଙ୍କର ଅନ୍ୟ ପାଇଁ କାମ କରିବାର ଇଛା ଶକ୍ତି ଅଛି । ଆଜିର ମହିଳା ଦିବସରେ ‘ଓଡ଼ିଶା ଅପଡେଟ୍’ ଟିମ୍ ଯେତେବେଳେ ତାଙ୍କ ସହ କଥା ହୋଇଥିଲା ସେଥିରେ ଗୋଟିଏ କଥା ନଜର ଆସିଥିଲା ତାଙ୍କର ସମାଜପ୍ରତି ଥିବା ଭଲପାଇବା । ସେ କେବେ ଭାବିନଥାନ୍ତି ମୁଁ ଏକା । ସେ ଭାବନ୍ତି ସମାଜର ମୁଁ ଜଣେ ପରିପକ୍ବ ନାରୀ । ଏଭଳି ଜଣେ ନାରୀ ହେଉଛନ୍ତି ମୀନା କୁମାରୀ ପ୍ରଧାନ । ଆସନ୍ତୁ ତାଙ୍କ ସହ କଥା ହେବା ଆଜିର ଅନ୍ତର୍ଜାତୀୟ ମହିଳା ଦିବସରେ, ଆଉ ଜାଣିବା ତାଙ୍କ ବିଷୟରେ …

ସମାଜସେବାର ଅର୍ଥ କ'ଣ ?

ମଣିଷକୁ ମଣିଷ ପରି ବଞ୍ଚିବାର ଅଧିକାର ଦେବା ପାଇଁ ଯେଉଁ କାମ କରିବା ଦରକାର, ସେଇ କାମ କରିବା ହିଁ ସମାଜ ସେବା। ସେ ବ୍ୟକ୍ତି ବା ବର୍ଗ ବା ପରିବାର ବା ବର୍ଗ ହୁଅନ୍ତୁ। ପାଖରେ ଠିଆ ହେବା ଓ ସମୟ, ଅର୍ଥ ଓ ଶିକ୍ଷା ସହ ମୂଲ୍ୟବୋଧ ଭିତ୍ତିକ ସେମାନଙ୍କୁ ମଣିଷ ପରି ବଞ୍ଚିବାର ଅଧିକାର ପାଇଁ ପ୍ରେରଣା ହିଁ ସମାଜ ସେବା।

ଆପଣ ଜଣେ ଶିକ୍ଷୟିତ୍ରୀ ଏବଂ ସମାଜସେବା କ୍ଷେତ୍ରରେ ନିୟୋଜିତ ଅଛନ୍ତି କେମିତି ଏହାକୁ ତୁଲାନ୍ତି ?

ପ୍ରଥମରୁ ହିଁ ଶିକ୍ଷକ ବା ଶିକ୍ଷୟିତ୍ରୀ ହିଁ ସମାଜର ଆଦର୍ଶ ଓ ସେମାନଙ୍କ ମାନସିକତା ହିଁ ସେବା। ପିଲାବେଳେ ଯେମିତି ସେ ଗଢା ହେବେ, ଦେଶ ପାଇଁ ଅନୁଚିନ୍ତା ହିଁ ସେଇ ପ୍ରକାରର ହେବ କାରଣ ସେମାନେ ଦେଶର ଭବିଷ୍ୟତ। ବିଦ୍ୟାଳୟ ବ୍ୟତୀତ ଯେଉଁ ସମୟ ବଳେ ଓ ତାହା ବ୍ୟତୀତ ଛୁଟି ଦିନ ହିଁ ମୋର ସମାଜ ସେବା କରିବାକୁ ମନ ହୁଏ। ମନ ଥିଲେ ସମୟ ଅଭାବ ରହେନି। ଯେହେତୁ ମୋର ପାରିବାରିକ ଜଞ୍ଜାଳ ନାହିଁ ଓ ମୁଁ ଏକ ବଡ଼ ଯୌଥ ପରିବାରରେ ଅଛି, ତେଣୁ ସମୟ ବହୁତ୍ ମିଳେ ଓ ପରିବାର ଲୋକେ ମୋତେ ମାନସିକ, ଶାରୀରିକ ଭାବରେ ସାହାଯ୍ୟ କରନ୍ତି।

ସମାଜସେବା କରିବାକୁ ପଇସା ଦରକାର ନା ମନୋବଳ ?

ସମାଜ ସେବା କରିବାକୁ ମନୋବଳ ଦୃଢ଼ ଦରକାର ଓ ଆର୍ଥିକ ବି। ଯେହେତୁ ମୋର ପାରିବାରିକ ଜଞ୍ଜାଳ ନାହିଁ ତେଣୁ ମୋ ପାଖରେ ଯାହା ପଇସା ମିଳେ, ତାହା ସମାଜ ସେବା ନିମିତ୍ତ ଖର୍ଚ୍ଚ କରେ।

ଆଗକୁ ରାଜନୀତିରେ ପ୍ରବେଶ କରିବାକୁ ଇଚ୍ଛା ରଖିଛନ୍ତି କି ?

ଭବିଷ୍ୟତରେ ରାଜନୀତି ପାଇଁ ଇଚ୍ଛା ନାହିଁ। କାରଣ ମିଛ କହିବାର କଳା ଓ କୌଶଳ ଜାଣେ ନି। ମିଛ କହିବାର କଳା ଶିଖି ପାରିଥିଲେ ହୁଏତ ରାଜନୀତି ପାଇଁ ଇଚ୍ଛା ହୁଅନ୍ତା। ଆଉ ଅଧା ଶତ୍ରୁ ଅଧା ମିତ୍ର ଆଡ଼କୁ ମନ ନ ବଳେଇ ସମସ୍ତଙ୍କର ସାମର୍ଥ୍ୟ ଅନୁଯାୟୀ ସେବା କରିବାକୁ ମୋର ଇଚ୍ଛା। ସେବା ପାଇଁ ରାଜନୀତି ଆଦୌ ଗ୍ରହଣୀୟ ନୁହେଁ।

ସମାଜସେବା କରିବାକୁ କାହା ପାଖରୁ ପ୍ରେରଣା ପାଇଛନ୍ତି ?

ସମାଜ ସେବା ନିମିତ୍ତ ପ୍ରେରଣା ମୁଁ ମୋ ପରିବାରରୁ ପାଇଛି। ତା ପରେ ଅବହେଳିତ ଲୋକ ମାନଙ୍କୁ ଦେଖି ଦେଖି, ଓ ଗାଁର ଅଭାବୀ ଲୋକ ମାନଙ୍କୁ ଦେଖି ୟେ କ୍ଷେତ୍ରରେ ଯିବାକୁ ସ୍ଥିର କଲି।

ଜୀବନରେ କିଛି ଅଭୁଲା ସ୍ମୃତି ବିଷୟରେ କୁହନ୍ତୁ, ଯାହା ଆପଣଙ୍କୁ ସବୁବେଳେ କଷ୍ଟ ଦିଏ ?

ସିଟି ପରୀକ୍ଷା ପୂର୍ବରୁ ବାହାଘର ଓ ଏକ ପରୀକ୍ଷା ଫଳ ବାହାରିବା ପୂର୍ବରୁ ସ୍ଵାମୀଙ୍କ ମୃତ୍ୟୁ ଓ ସେତେବେଳର ମାନସିକ ଅବସ୍ଥା ହିଁ କଷ୍ଟ ଦିଏ। ଏବଂ ସମାଜ ସେବା ନିମିତ୍ତ ପ୍ରେରଣା ଅଧିକ ମିଳେ।

ଆଗକୁ କ‘ଣ କରିବାକୁ ଲକ୍ଷ୍ୟ ରଖିଛନ୍ତି ?

ଏବେ କିଛି ସଂଗଠିତ ସାମାଜିକ କ୍ଷେତ୍ରରେ କାମ କରୁଛି ଓ ଭବିଷ୍ୟତରେ ସେଇ ସଂଗଠନକୁ ଆଗକୁ ବଢ଼ିବାରେ ସହଯୋଗ ପାଇଁ କାମ କରିବି ଓ ତାହାକୁ ବ୍ୟାପକ କରିବି ଯେଉଁଥିରେ ଆହୁରି ଅଧିକ ଲୋକ ମାନଙ୍କୁ ସେବା କରି ପାରିବି।