ବର୍ଷର ଶେଷ ଅନୁଭୂତି

ବର୍ଷର ଶେଷ ଅନୁଭୂତି

ଖାଦ୍ୟ ଜୀବନ ବଞ୍ଚିବା ନିମନ୍ତେ ନିହାତି ଆବଶ୍ୟକ। ମନୁଷ୍ୟ ଠାରୁ ଆରମ୍ଭ କରି, ପଶୁ-ପକ୍ଷୀ, କୀଟ-ପତଙ୍ଗ ଓ ବୃକ୍ଷ-ଲତା ସମସ୍ତେ ବିଭିନ୍ନ ଉପାୟରେ ଖାଦ୍ୟ ଗ୍ରହଣ କରିଥାଆନ୍ତି। ସେହି ଖାଦ୍ୟ ଜୀବନ ଦେଇଥାଏ, ଅନେକ ସ୍ଥାନରେ ବିଷାକ୍ତ ଖାଦ୍ୟକୁ ଖାଇ ଜୀବନ ଚାଲିଯାଉଥିବାର ଶୁଣିବାକୁ ମଧ୍ୟ ମିଳେ। କିଛି ଖାଦ୍ୟକୁ ଦେଖିଲେ ମନକୁ ଆନନ୍ଦ ମିଳେ ଆଉ କିଛି କୁ ଦେଖିଲେ ଘୃଣା ମଧ୍ୟ ଲାଗିଥାଏ।

ସେହି ପରି ଏଇ ବର୍ଷ ଆମ ସରକାର ଓଡ଼ିଆ ଖାଦ୍ୟକୁ ନେଇ ଯେଉଁ ଖାଦ୍ୟ ମହୋତ୍ସବର ଆୟୋଜନ କରିଥିଲେ ସେଠାରେ ସମସ୍ତଙ୍କ ମନ କିଣି ନେଉଥିବା ଓଡ଼ିଆ ଖାଦ୍ୟର ଷ୍ଟଲ ଗୋଟିଏ ଗୋଟିଏ ଦେଖିବାକୁ ମିଳୁଥିବା ବେଳେ ଫାଷ୍ଟ ଫୁଡ୍ ଷ୍ଟଲ ବହୁତ ମାତ୍ରାରେ ଦେଖିବାକୁ ମିଳିଥିଲା। କିନ୍ତୁ ମହୋତ୍ସବର ନାମ ଥିଲା ଓଡ଼ିଶା ଖାଦ୍ୟ ମହୋତ୍ସବ। କୌଣସି ଜାତି, ବର୍ଣ୍ଣ କିମ୍ବା ଧର୍ମକୁ ନେଇ ମୁଁ କିଛି ବର୍ଣ୍ଣନା କରୁନାହିଁ କିନ୍ତୁ ପିଲାଟି ଦିନରୁ ଏପର୍ଯ୍ୟନ୍ତ ଓଡ଼ିଶାର କୌଣସି ପର୍ବ ପର୍ବାଣୀରେ ‘ହଲାଲ୍ ଫୁଡ୍’ ର ନା ଶୁଣିବାକୁ ମିଳିନଥିଲା। ହେଲେ ଓଡ଼ିଶା ଖାଦ୍ୟ ମେଳାରେ ଦେଖିବାକୁ ମିଳିଲା। ଆମ ସରକାର ହିନ୍ଦୁତ୍ୱକୁ ବଜାୟ ରଖୁଥିବା ବେଳେ ଜଗନ୍ନାଥ ସଂସ୍କୃତିକୁ ସମ୍ମାନ ଦେଉଥିବା ବେଳେ ଏହିସବୁ ଫାଷ୍ଟ୍ ଫୁଡ୍ ତିଆରି ହେଉଥିବା ଷ୍ଟଲ ପାଖା ପାଖି ତିନି ଠାକୁରଙ୍କ ଫଟୋଚିତ୍ର ଥାଇ ପ୍ରଭୁଙ୍କର ପ୍ରିୟ ବ୍ୟଞ୍ଜନର ଷ୍ଟଲ ଦେଖିବାକୁ ମିଳିଥିଲା। ସେତିକି ନୁହେଁ ଜଗନ୍ନାଥ ସଂସ୍କୃତି ଉପରେ ଗବେଷଣା କରୁଥିବା ମାନ୍ୟ ଗନ୍ୟ ବ୍ୟକ୍ତିଙ୍କର ଆଲୋଚନା ଚକ୍ର ମଧ୍ୟ ଆୟୋଜିତ ହୋଇଥିଲା। ଯାହା ଦ୍ଵାରା କିଛି ବ୍ୟକ୍ତି ବିଶେଷଙ୍କୁ ଏସବୁ ଦେଖି ଆଘାତ ଲାଗିଥିଲା ଏବଂ ଓଡ଼ିଶାର ପାରମ୍ପାରିକ ଖାଦ୍ୟ ଖାଇବାକୁ ଯାଇ ନିରାଶ ହୋଇ ମଧ୍ୟ ଫେରିଥିଲେ। ତେଣୁ ଆଗାମୀ ବର୍ଷକୁ ଯଦି ସରକାର ଏଥି ପ୍ରତି ଅଧିକ ଯତ୍ନବାନ ହେବେ ଓ ଆମ ଲୋକମାନଙ୍କ ସଚେତନତା ରହିବ ତେବେ ହିଁ ଆମେ ଆମର ଓଡ଼ିଆ ଅସ୍ମିତା ଓ ଜଗନ୍ନାଥ ସଂସ୍କୃତିର ସମ୍ମାନକୁ ଆମେ ନିଜେ ବଞ୍ଚାଇ ରଖିପାରିବା।

ସଂଯୁକ୍ତା ଦାଶ 

ଭୁବନେଶ୍ୱର