ବ୍ୟବସାୟ କରନ୍ତି ପରିବେଶକୁ ଭଲପାଆନ୍ତି

ବ୍ୟବସାୟ କରନ୍ତି ପରିବେଶକୁ ଭଲପାଆନ୍ତି । ଗାଁ ପଡ଼ିଆ ହେଉ କିମ୍ବା ଆମ୍ବତୋଟା, ସବୁଠି ଗଛ ଲଗାଇଛନ୍ତି । କିଛି ବଡ଼ ବଡ଼ ହୋଇଗଲାଣି ତ ଆଉ କିଛି ଏବେ ନୂଆ ନୂଆ ଲାଗୁଛି । ବ୍ୟବସାୟ ଏବଂ ଗଛ ଲଗାଇବା ଉଭୟକୁ ସାଙ୍ଗରେ ଧରି ଚାଲିଥାନ୍ତି । ପାହାଳ ନିକଟସ୍ଥ ଜୋହଳ ଗାଁର ପ୍ରମୋଦ କୁମାର ଷଡ଼ଙ୍ଗୀଙ୍କ ସହ ଓଡ଼ିଶା ଅପଡେଟ୍ ଟିମର ଏହି ସ୍ବତନ୍ତ୍ର ସାକ୍ଷାତକାର ।
କେମିତି ଅଛନ୍ତି ?
ଜୟ ଜଗନ୍ନାଥ। ଭଗବାନଙ୍କ କୃପାରୁ ଭଲ ଅଛି ।
କେବେଠୁ ବ୍ୟବସାୟ ଆରମ୍ଭ କଲେଣି ?
ମୁଁ ୧୪-୧୫ ବର୍ଷ ହେବ ବ୍ୟବସାୟ ଆରମ୍ଭ କଲିଣି।
ବ୍ୟବସାୟ କରିବାକୁ କାହିଁକି ମନ ବଳାଇଲେ ଆପଣ ?
ପ୍ରଥମେ ବ୍ୟବସାୟ ଏକ ବ୍ୟକ୍ତିଗତ କାମରୁ ଆରମ୍ଭ ହୋଇଛି । ମୋ ଖୁଡ଼ିଙ୍କ ପରଲୋକ ପରେ ଶୁଦ୍ଧି କ୍ରିୟା କରିବା ପାଇଁ ଏକ ଟେଣ୍ଟହାଉରୁ ବାସନ କୁସନ ଆଣିବାକୁ ଯାଇଥିଲି। କିନ୍ତୁ ସେହି ବାସନ କୁସନରେ ବିବାହ ଆମିଷ ଭୋଜି ମଧ୍ୟ ହେଉଥିଲା । ମନକୁ ଟିକେ ଭଲ ନ ଲାଗିବାରୁ ନିଜେ କିଛି ବାସନ କିଣି ଆଣିଥିଲି ଖୁଡିଙ୍କ ଶୁଦ୍ଧି କ୍ରିୟା କରିବା ପାଇଁ। ଧିରେ ଧିରେ ତାହା ବଢିଥିଲା ଏବଂ ବ୍ୟବସାୟରେ ପରିଣତ ହୋଇଥିଲା ।
ପ୍ରଥମେ ଯେତେବେଳେ ଆରମ୍ଭ କଲେ ସେତେବେଳେ ଆଉ ଏବେ କେମତି ଲୋକଙ୍କ ପ୍ରତିକ୍ରିୟା ରହିଛି ?
ପ୍ରଥମେ ବ୍ୟବସାୟ ଆରମ୍ଭ ବେଳେ ସମସ୍ତେ କହିଥିଲେ ପାଖାପାଖି ଏତେ ଟେଣ୍ଟ ହାଉସ ଅଛି। ତମ ଏହି ବ୍ୟବସାୟ ଚାଲିବନି। କିନ୍ତୁ ଏବେ ସମସ୍ତେ ଆମ ପାଖକୁ ବାସନ କୁସନ ନେବାକୁ ଆସୁଛନ୍ତି। ଖାସ୍ କରି ଶୁଦ୍ଧ ନିରାମିଷ ଭୋଜି ପାଇଁ ଆମର ଲୋକପ୍ରିୟ। ମନ୍ଦିର, ଜନ୍ମ ଦିନ, ଶ୍ରାଦ୍ଧ ଭୋଜି ପାଇଁ ଲୋକେ ନେଇଥାନ୍ତି। ଆମ ବାସନରେ ପିଆଜ ରସୁଣ ମଧ୍ୟ ହୁଏନାହିଁ।
ବ୍ୟବସାୟ ବ୍ୟତୀତ ଆପଣ ଗଛ ଲଗାଇବାକୁ କାହିଁକି ମନ ବଳାଇଲେ ?
ଗଛ ମୋତେ ଭାରି ଭଲ ଲାଗେ । ଆମର ଅନେକ ଆମ୍ବ ତୋଟା ଅଛି । ମୋ ନନା ଲଗାଇଥିଲେ । ଏବେ ସେଥିରୁ ଅନେକ ଲୋକ ଆସି ଆମ୍ବ ନେଇଥାନ୍ତି । ପଶୁ ପକ୍ଷୀମାନେ ଗଛ ଛାଇରେ ବୁଲନ୍ତି । ଏହା ମୋତେ ଗଛ ଲଗାଇବାକୁ ପ୍ରେରଣା ଦେଇଥିଲେ । ଯଦି ଆମେ ସମସ୍ତେ କିଛି କିଛି ଗଛ ଲଗାଇବା ଏଥିରେ କେବଳ ଲୋକେ ନୁହଁନ୍ତି, ପଶୁ ପକ୍ଷୀ ସମସ୍ତେ ଉପକାର ପାଇପାରିବେ ।
କେଉଁ କେଉଁ ଗଛ ଆପଣ ଲଗେଇଛନ୍ତି ?
ଆମ୍ବ, ପିଜୁଳି, ନଡିଆ, ରାଧାଚୁଡା, କୃଷ୍ଣ ଚୁଡା, ବରକୋଳି ଗଛ, ବର ଗଛ, ଓସ୍ତ ଗଛ, କରଞ୍ଜ, ପଣସ, ଲିଚୁ କୋଳି, ଜାମୁ ରଳ, ଜାମୁ କୋଳି ଗଛ ଇତ୍ୟାଦି..
ଏ ସବୁ କାମରେ ଆପଣଙ୍କୁ ଘରୁ କିଭଳି ସପୋର୍ଟ ମିଳିଥାଏ ?
ଘର ଲୋକେ ସମସ୍ତେ ଭାରି ସପୋର୍ଟ କରିଥାନ୍ତି । ସମସ୍ତଙ୍କୁ ଗଛ ଲଗାଇବା ଏବଂ ଏହାକୁ ଦେଖାରଖା କରିବା ବହୁତ ପସନ୍ଦ । ତେଣୁ ସମସ୍ତେ ଏହି କାମରେ ମୋତେ ଭାରି ସପୋର୍ଟ କରିଥାନ୍ତି ।
ଆଜିକାଲିର ଯୁବପିଢ଼ୀଙ୍କୁ ଆପଣ କଣ କହିବାକୁ ଚାହିଁବେ ?
ସମସ୍ତେ ପାଠ ପଢିବା ସହିତ କିଛି ହାତ କଳା ଶିଖନ୍ତୁ । ଯାହା ସେମାନଙ୍କୁ କେବେ ଭୋକିଲା ରଖିବନି । ଆଉ ସମସ୍ତେ ସତ୍ ପଥରେ ଚାଲି ପରିଶ୍ରମ କରି ଧନ ଅର୍ଜନ କରିବାକୁ ଚେଷ୍ଟା କରନ୍ତୁ । କାହିଁକି ନା କଠିନ ପରିଶ୍ରମର କିଛି ବିକଳ୍ପ ନାହିଁ । ହୁଏତ ବିଳମ୍ବ ହୋଇପାରେ କିନ୍ତୁ ସତ୍ ପଥରେ ପରିଶ୍ରମକୁ ଆଶ୍ରା କରି ବାଟ ଚାଲିଲେ ନିଶ୍ଚୟ ଦିନେ ନା ଦିନେ ସଫଳତା ମିଳିବ ।
ଆମ ଗାଁ ଯୋହଳ ଛମାଣକୁ ଆସି ପ୍ରମୋଦ ଭାଇନା ବୋଲି ପଚାରିଲେ କେହି ବି ମୋ ଘରକୁ ବାଟ କହିଦେଇପାରିବେ । କିମ୍ବା ଫୋନ୍ ନମ୍ବର- ୭୮୭୩୦୭୬୧୯୭ରେ ଯୋଗାଯୋଗ ମଧ୍ୟ କରିପାରିବେ ।