ମହଙ୍ଗା ପଡ଼ିଲା ସ୍କୁଟି ଚୋରି କରିବା, ଯୁବକ ଗିରଫ
ଭୁବନେଶ୍ବର,୨୩/୧୨ : ଭୁବନେଶ୍ବରରେ ଗାଡ଼ି ପାର୍କିଂ କରୁଥିଲେ ସାବଧାନ । ନିଜ ଦାୟିତ୍ବରେ ରଖନ୍ତୁ ନଚେତ୍ ଆଖି ପିଛୁଳାକେ କେଉଁଆଡ଼େ ଉଭାନ ହୋଇଯିବ ଗାଡ଼ି । ପାର୍କ ପାଖରେ ଗାଡ଼ି ପାର୍କିଂ କରିଥିଲେ ହେଲେ ଗାଡ଼ି ପାଖକୁ ଆସିବାବେଳକୁ ଗାଡ଼ି ପାଇନଥିଲେ । ଏଭଳି ଏକ ଘଟଣା ଘଟିଛି ଫରେଷ୍ଟ ପାର୍କ ଅଞ୍ଚଳରେ । ଅଭିଯୁକ୍ତ ହେଲା ମନୋଜ ମଲ୍ଲିକ(୨୮) । ଅଭିଯୁକ୍ତକୁ ଏୟାରଫିଲ୍ଡ ଥାନା ଗିରଫ କରି କୋର୍ଟ ଚାଲାଣ କରିଛି ।
ସୂଚନା ଅନୁସାରେ, ଆଶିଷ କୁମାର ବୈରିଗଞ୍ଜନ ନାମକ ବ୍ୟକ୍ତି ଶାସ୍ତ୍ରୀନଗର ଅଞ୍ଚଳରେ ରୁହନ୍ତି । ଗତକାଲି ସନ୍ଧ୍ୟାରେ ସେ ନିଜ ସ୍କୁଟି ଯୋଗେ ଫରେଷ୍ଟ ପାର୍କ ନିକଟକୁ ଯାଇଥିବା ବେଳେ, ପାର୍କ ପଛ ପାଖରେ ସ୍କୁଟିକୁ ପାର୍କିଂ କରିଥିଲେ । ସନ୍ଧ୍ୟା ପ୍ରାୟ ୭.୪୫ ରୁ ୮.୨୦ମଧ୍ୟରେ କୌଣସି ଅଭିଯୁକ୍ତ ଅଭିଯୋଗକାରୀଙ୍କ ଅନୁପସ୍ଥିତିର ସୁଯୋଗ ନେଇ ତାଙ୍କ ସ୍କୁଟିକୁ ଡୁପ୍ଲିକେଟ ଚାବି ସାହାଯ୍ୟରେ ଚୋରୀ କରି ନେଇ ଯାଇଥିଲେ । କାମ ସାରି ଅଭିଯୋଗକାରୀ ନିଜ ସ୍କୁଟି ପାଖକୁ ଆସିଥିଲେ ମଧ୍ୟ ତାହା ସେଠାରେ ନ ଥିବା ଦେଖିବାକୁ ପାଇଥିଲେ । ଆଖପାଖ ଅଞ୍ଚଳରେ ବହୁତ ଖୋଜାଖୋଜି କରିଥିଲେ ମଧ୍ୟ ଆଉ ପାଇ ନ ଥିଲେ । ପରେ ସେ ଗାଡ଼ି ଚୋରୀ ସମ୍ପର୍କରେ ଥାନାରେ ଅଭିଯୋଗ କରିଥିଲେ ।
ତଦନ୍ତ ସମୟରେ, ଅଭିଯୁକ୍ତ ମନୋଜ ମଲ୍ଲିକ ଏକ ଚୋରା ସ୍କୁଟି ଯୋଗେ ପଳାଶପଲ୍ଲୀ ଅଞ୍ଚଳରେ ଘୁରି ବୁଲୁଥିବା ନେଇ ପୁଲିସ ଏକ ବିଶ୍ଵସ୍ତ ସୂତ୍ରରୁ ସୂଚନା ପାଇଥିଲା । ମିଳିଥିବା ସୂଚନା ଆଧାରରେ ପୁଲିସ ଘଟଣାସ୍ଥଳରେ ଅତର୍କିତ ଚଢଉ କରି ଅଭିଯୁକ୍ତ ମନୋଜକୁ କାବୁ କରିବାରେ ସକ୍ଷମ ହୋଇଥିଲା । ପଚରାଉଚରା ସମୟରେ ଅଭିଯୁକ୍ତ ଫରେଷ୍ଟପାର୍କ ପଛ ପାଖରୁ ଉକ୍ତ ସ୍କୁଟିକୁ ଚୋରୀ କରିଥିବା କଥା ସ୍ଵୀକାର କରିଥିଲା। ପୁଲିସ ଅଭିଯୁକ୍ତକୁ ଗିରଫ କରିବା ସହ ତା’ ହେପାଜତରୁ ସ୍କୁଟିକୁ ଜବତ କରିଥିଲା । ଅଭିଯୁକ୍ତ ମନୋଜ ନାଁରେ ପୂର୍ବରୁ ମଧ୍ୟ ମଧୁପାଟଣା ଥାନାରେ ଏକ ଚୋରି ମାମଲାରେ ଜଡ଼ିତ ଅଛି । ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଜାରି ରହିଛି ।

Editor 


