ସାଇକେଲ ଚୋର ଗାଣ୍ଡୁ ଗିରଫ, ପୂର୍ବରୁ ରହିଛି ୧୪ରୁ ଅଧିକ ଅପରାଧିକ ମାମଲା

ସାଇକେଲ ଚୋର ଗାଣ୍ଡୁ ଗିରଫ, ପୂର୍ବରୁ ରହିଛି ୧୪ରୁ ଅଧିକ ଅପରାଧିକ ମାମଲା

ଭୁବନେଶ୍ବର,୨୩/୭ : ସାଇକେଲ ଚୋରକୁ ଧରିବାରେ ସଫଳ ହୋଇଛି ଶ୍ରୀ ଲିଙ୍ଗରାଜ ଥାନା ପୋଲିସ । ଗିରଫ ଜଣଙ୍କ ହେଲା ନୟାଗଡ଼ ଜିଲ୍ଲାର ନିରଞ୍ଜନ ପ୍ରଧାନଙ୍କ ପୁଅ ରକି ଓରଫ ଗାଣ୍ଡୁ ଓରଫ ସୁରେଶ । 

     ସୂଚନା ଅନୁଯାୟୀ, ଗ୍ୟାରେଜ ଛକଠାରେ ଥିବା ପାରିଜାତ ଏନକ୍ଲେଭରେ ଅଭିଯୋଗକାରୀ ସ୍ମୃତି ରଞ୍ଜନ ପଣ୍ଡା ପରିବାର ସହ ରୁହନ୍ତି । ଗତ ୧୪ତାରିଖ ଅପରାହ୍ନରେ ଗାଣ୍ଡୁ ଅପାର୍ଟମେଣ୍ଟର ତଳ ମହଲାରେ ପଶି ସେଠାରେ ଥିବା ଏକ ସାଇକେଲକୁ କୌଶଳ କରି ଚୋରି କରି ନେଇଯାଇଥିଲା । ଘଟଣାସ୍ଥଳରେ ଲାଗିଥିବା ସିସିଟିଭି ଫୁଟେଜରୁ ପୁଅର ସାଇକେଲ ଚୋରୀ ସମ୍ପର୍କରେ ଜାଣିବା ପରେ ସ୍ମୃତି ଏ ନେଇ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଘଟଣାର ଅଭିଯୋଗ ପରେ ପୋଲିସ ମାମଲାର ତଦନ୍ତ କରିବା ସହିତ ବିଶ୍ଵସ୍ତ ସୂତ୍ରରୁ ସୂଚନାପାଇ ଚଢଉ ଜରିଆରେ ଅଭିଯୁକ୍ତକୁ କ୍ୟାପିଟାଲ ହସ୍ପିଟାଲ ପଛ ପାଖରୁ କାବୁ କରିବାରେ ସକ୍ଷମ ହୋଇଥିବା ବେଳେ, ତା’ ହେପାଜତରୁ ଏକ ଚୋରା ସାଇକେଲ ଜବତ କରିଥିଲେ । 

ପଚରାଉଚରାବେଳେ ଅଭିଯୁକ୍ତ ଜଣକ ନିଜର ଦୋଷ ସ୍ଵୀକାର କରିଥିଲେ । ଏ ନେଇ କେଶ ନଂ ୭୭/୨୪ରେ ଏକ ମାମଲା ରୁଜୁ ହୋଇଛି । ଅଭିଯୁକ୍ତ ରକି ପ୍ରଧାନ ଓରଫ ଗାଣ୍ଡୁ ଓରଫ ସୁରେଶଙ୍କ ନାମରେ ପୂର୍ବରୁ ମଧ୍ୟ ଭୁବନେଶ୍ଵରର ବିଭିନ୍ନ ଥାନାରେ ୧୪ଟିରୁ ଅଧିକ ଅପରାଧିକ ମାମଲା ମାନ ରହିଥିବା ତଦନ୍ତ ବେଳେ ଜଣାପଡିଛି ।