ବାଲିଘର
ଶୁଣନା,
ବଦଳିଯାଇଥିଵା ଆମ ସେ, ପିଲାବେଳ କଥା , ଯେତେବେଳେ ମୁଁ ମନେ ପକେଇ ଖୁସି ହୁଏ ତା ଠୁ ବେଶି ଦୁଃଖୀ ହୁଏ ।
କାହିଁକି ଜାଣିଛ, ଜୀବନ ଟା ଫିଲ୍ମ ଠୁ କୋଉ କମ୍ ଯେ ।
ହାତ ମୁଠା ରୁ ସମୟ କେତେବେଳେ ସରିସରି ସଞ୍ଜ ନେଇ ସାଙ୍ଗରେ ଧରି ଆସି ପହଞ୍ଚିଲାଣି ଜଣା ପଡିଲାନି ।
ସମୟର ଧୂଳି ଝଡ଼ ରେ ସଵୁ ଧୂଆଁ ଧୂଆଁ ହେଇଗଲା ପରି , ଜୀବନର ରିଲ୍ସ ଧିରେ ଘେସେରା ଓ ଅସ୍ପଷ୍ଟ ଦିଶୁଛି ସବୁ ।
ଦୃଶ୍ୟ ମାନେ ନୀଡ଼ ଫେରୁଥିବା ପକ୍ଷୀ। ସେଦିନ ର ବାହାଘର ହେଉ ଅଵା ଯେକୌଣସି ବ୍ରତ ଘରର ଅକେଜନ୍ ଅଵା ସାଙ୍ଗ ମାନଙ୍କ ସହିତ ଭିଡିଓ ଫିଲ୍ମଦେଖ ଧର୍ମେନ୍ଦ୍ର, ହେମାମାଳିନୀ ଅବା ଅମିତାଭ,ଜୟା ହେଉ ଅବା ପୁରୁଣା ନେଗେଟିଭ ରିଲ୍ ରୁ ପଜେଟିଭ୍ ଫଟୋକୁ ବାହାର କରି ଦେଖିଲେ ଲାଗେ ସତେ ଯେମିତି ବେରଙ୍ଗ ଜୀବନରେ ରଙ୍ଗ କିଏ ଭରି ଦେଲା ପରି ,କିଛି ମୁହୁର୍ତ୍ତ ମହ ମହ ବାସ୍ନା ରେ ମହକୁଥାଏ ଠିକ୍ ରଜନୀଗନ୍ଧାର ସତେଜ ଫୁଲ ପରି । ତନୁମନ ଆନମନା ହୁଏ ଅଦେଖା ଅଜଣା ପୁଲକରେ ପୁଲକିତ ହୁଏ। ଏଇ ଯେମିତି ସଙ୍ଗେ ସଙ୍ଗେ ବଞ୍ଚିଥିବା ପର୍ଯ୍ୟନ୍ତସମୟ ବୋଧେ, ସତରେ କେତେ ସୁନ୍ଦର ନ ଥିଲା ସେ ଦିନ ଗୁଡା !!!!!!
ଶୁଣନା ,
ଆମ ସମସ୍ତଙ୍କ ବାଲିଘର ଟା କିଏ ଭାଙ୍ଗିଲା କୁହ ତ,ମୁଁ ଜାଣିନି ସେ, ତୁମେ, ନା ମୁଁ ନା ଆଉ କେହି ।
ନଈ ପରି ଅଙ୍କା ବଙ୍କା ହେଇ ଵହିଯାଉଥିବା ସମୟ ,ସେ ଅନେକ କଥା କୁହେ, ଅନେକ କଥା ସାଇତି ରଖି ଵହିଯାଏ ଚିରସ୍ରୋତା ଝରଣାଟିଏ ପରି।
ଆଉ ,
କ'ଣ, ଜାଣ ତୁମକୁ ମୁଁ ସାରାଂଶ କରି ମନେ ରଖିବି କି ସରଳାର୍ଥ କରି ପଢ଼ିବି ନା ଉପନ୍ୟାସର ମୁଖ୍ୟ ବିଷୟବସ୍ତୁ କରିବି ଅଵା କବିତା ରେ କଵି ହେଇ ଅନାବନା ଏକପଦୀ ପରି ଧାଡିଏ ଇଆଡୁ ସିୟାଡୁ କରି ପୁଳାଏ ଗାରେଇ ଦେବି ,ଭାଵି ପାରେନି।
ତୁମେ କ'ଣ ସତରେ ସେତିକି ରେ ସୀମିତ?????
ନୁହଁ ନା ???
ଆଉ ବେଶି ବେଶି ମନ ପଡେନି ମୁଁ ତୁମର ବା ତୁମେ ମୋର, ଠିକ୍ କହିଲି ନା।
ହେଲେ,
ତୁମେ କାଲି ମନ କଥା ସଵୁ ଶୁଣେଇବା ବେଳେ ମୁଁ ମୁଗ୍ଧ ପ୍ରେମିକା ପରି ନିଶ୍ଚଳ ଭାବେ ଶୁଣୁଥିଲି, ଠିକ୍ ସତେ ଆମର ନୁଆ କିଛି ଗଳ୍ପ ସଂକଳନ,ଵା ଆଗାମୀ ଉପନ୍ୟାସର ଚରିତ୍ରଟିଏ ପରି।
ସତରେ କି ସୁନ୍ଦର ମୂହୁର୍ତ୍ତ ମାନେ ବିତୁଥିଲେ।।
ହଠାତ୍ ନିଦ ଭାଙ୍ଗିଗଲା, ପାଣି ଫୋଟକା ପରି ମିଳେଇ ଗଲା ସେ ସ୍ୱର୍ଗୀୟ ଅନୁଭୂତି ସବୁ , ଯେତେ ଚେଷ୍ଟା କରି ଡାକିଲି, ସେମାନେ କ'ଣ ଆଉ ଫେରିଲେ , ଠିକ୍ ଅପେରା ସମୟ ପରି, ତୁମ ପରି।
ଆଖି ହଳକୁ,
ଯେତେ ମୁଦିଲେବି ଆଉ କି ନିଦ ଆସେ , ଭାବିଲି ପାହାନ୍ତିଆ ସ୍ୱପ୍ନ କାଳେ ସତ ହୁଏ ଟିକିଏ ମନ କୁ ବୁଝାଏ।
ଖୁବ୍ ସୁନ୍ଦର ସେ ସ୍ୱପ୍ନ ମାନ, ଯାହା ଦୁଇ ପଦ ଲେଖିବା ପାଇଁ ମୋତେ ଵାଧ୍ଯ କରି ମୋତେ ହାତ ଧରି ଟାଣିଆଣି ଖାତା ଓ କଲମ ଧରେଇ ପାଖରେ ଜବରଦସ୍ତି ବସେଇ ଦିଏ।
ଦେଖୁନ, ବହୁତ ଦିନ ପରେ ପୁଣି ଥରେ ଆମ କଥା ଟିକେ ଲେଖିବକୁ ଆସିଲି । କିଛି ପାଇଁ ନୁହେଁ ବରଂ ଏମିତି ଏକ ନିର୍ଜନ ରାତିରେ ତୁମେ ଆସିଲ ଟିକେ ମୋ ଭଲମନ୍ଦ ବୁଝିବାକୁ। ଆଉ ତୁମର କିଛି କଥା କହିବାକୁ।
ଯଦିଓ ବାଜି ମାରିଲା ପରି କିଛି କାମ କରିନ ,ତଥପି ତୁମେ କାଇଁ ଏତେ ଭଲ ଲାଗ କେଜାଣି ????
ତୁମକୁ ଲାଗେନି ,
ତୁମ ଅଫିସର ସାମ୍ନା ଝର୍କା ସେପଟେ ଥିବା, ଗୋଟେ ପାଚେରୀ ଉପରେ ଅଜଣା ଗଛର ହାଲ୍କା ଗୋଲାପି ରଙ୍ଗର ଛୋଟ ଫୁଲ ଟେ ଯିଏ କେଵେ କେମିତି ଆନମନା କରେ ତୁମକୁ।
ଆରେ ଆରେ ରାଗିଲ କି, ତୁମ ନାକ ଉପର ରାଗ ସହ ମୁଁ ବେଶ୍ ପରିଚିତ, ଯେମିତିକି ତୁମେ ମୋ ସରଳତାସହ ।
ବୋଧେ ଏଥି ପାଇଁ ମୁଁ ଏସବୁ ଲେଖା ଲେଖେ।ଏହା ଜରୁରୀ ମଧ୍ୟ,କୁହତ ଯଦି ମୁଁ ନଥିବି କେବେ କାହାକୁ ପଢିବ ତୁମେ।
ସେଥିପାଇଁ ଯେତେବେଳେ ଯାହା ଇଚ୍ଛା ହୁଏ ତୁମ ଅବର୍ତ୍ତମାନ ପରେ ତୁମ ଉତ୍ତରଣକୁ ଆବୋରି ନିଏ ମୁଁ ।
ଆଉ ଏମିତି କିଛି।
ଠିକ୍ କହିଲି ନା ?????
ହା ହା ,
ସ୍ୱପ୍ନ ଆମର ବାଲିଘର।।।
ଆର ଥରକୁ ବାକି ରଖିଲି ତୁମ କୁହା କଥା ତକ।।
କ'ଣ ସଵୁ କଥା କହିବାକୁ ଆସିଥିଲ।
..........
Krishnamini Mohanty, ଭୁବନେଶ୍ବର

Editor 


