ମୋ ପ୍ରଭୁ ଜଗନ୍ନାଥ

ମୋ ପ୍ରଭୁ ଜଗନ୍ନାଥ

ମୋ ପ୍ରଭୁ ଜଗନ୍ନାଥ ଜଗତର ନାଥ। ଅନାଥ ର ନାଥ। ଅଗତି ର ଗତି। ସେ ଅନାଦି, ଅବ୍ୟକ୍ତ, ପରମାନନ୍ଦ।ପତିତ ମାନଙ୍କର ଉଦ୍ଧାର କର୍ତ୍ତା ପତିତପାବନ। ମୋ ପ୍ରଭୁଙ୍କୁ କିଏ କେତେ ନାଁ ରେ ଡାକେ। କିଏ କହେ କାଳିଆ ସାଆନ୍ତ, କିଏ କହେ ଚକା ଡୋଳା, କିଏ କହେ ଜଗା, କିଏ କହେ ଜଗବନ୍ଧୁ, କିଏ କହେ ଦାରୁ ଦେବତା, କିଏ କହେ କଳା ଠାକୁର, ଏମିତି ଭକ୍ତ ତା ଇଚ୍ଛା ଅନୁସାରେ, ତାକୁ ଯାହା ଭଲ ଲାଗେ ସିଏ ସେଇ ନାଁ ରେ ଡାକେ। ଯିଏ ଯୋଉ ନାଁ ରେ ଡାକୁ ଠାକୁର ଗୋଟିଏ। ଯିଏ କାନ ଡେରି ଶୁଣେ। ନ କହିଲେ ବି ମନ କଥା ବୁଝେ। ମନ ଜାଣି ସିଏ ସବୁ ବ୍ୟବସ୍ଥା କରିଛନ୍ତି। ମନୁଆ ଠାକୁର ସିଏ।

 ଭକ୍ତ ର ଭଗବାନ୍ ସିଏ। ଭକ୍ତ ବିନା ସିଏ ରହି ପାରିବେନି। ଭକ୍ତ ତାଙ୍କ ପାଇଁ ଯେତିକି ବ୍ୟାକୁଳ,ସିଏ ଭକ୍ତ ପାଇଁ ତାଠୁ ଅଧିକ ବ୍ୟାକୁଳ। ଭକ୍ତ ପାଇଁ ସେ ଯୁଗ ସୃଷ୍ଟି କରି ଥାଆନ୍ତି। ଭକ୍ତ ପାଇଁ ରତ୍ନ ସିଂହାସନ ରୁ ବି ଓହ୍ଲେଇ ଆସନ୍ତି। ଭକ୍ତ ର ଆଖିରୁ ଲୁହ ବୋହିଲେ ପ୍ରଭୁ ଜଗନ୍ନାଥଙ୍କ ଆଖି ରୁ ବି ଲୁହ ବୋହି ଥାଏ।ଭକ୍ତ ସଙ୍ଗ ତାଙ୍କୁ ଭାରି ଆନନ୍ଦ ଦିଏ। ଭକ୍ତ ଯାହା ବି ଅର୍ପଣ କରେ ପ୍ରଭୁ ନିଜେ ହାତ ବଢ଼େଇ ଗ୍ରହଣ କରନ୍ତି। ଭକ୍ତ ଦାସିଆ ବାଉରୀ ଠୁ ନଡ଼ିଆ ଗ୍ରହଣ କରିଥିଲେ। ସୁଦାମା,ତାଙ୍କ ବନ୍ଧୁ ଏବଂ ଭକ୍ତ ମଧ୍ଯ, ତାଙ୍କ ହାତରୁ ଖୁଦ ଭଜା ଛଡ଼େଇ ଖାଇଥିଲେ।ଭକ୍ତ ପାଇଁ ସେ ଜାତି ଅଜାତି କିଛି ମାନନ୍ତି ନାହିଁ। ତାଙ୍କ ପାଖରେ ଜାତି, ଧର୍ମ,ବର୍ଣ୍ଣ କୌଣସି ର ଭେଦ ଭାବ ନାହିଁ। ଛୁଆଁ ଛୁତି ର ପ୍ରଶ୍ନ ନାହିଁ।ତାଙ୍କ ପାଇଁ ସମସ୍ତେ ସମାନ। କାରଣ ଘୋଷ ଯାତ୍ରା ସମୟରେ ଠାକୁର ରାଜା ସ୍ଵୟଂ ତିନୋଟି ରଥର ଛେରା ପହଁରା କରିଥାନ୍ତି। ତାଙ୍କ ପାଖରେ କେହି ବଡ଼ ନୁହେଁ କି କେହି ସାନ ନୁହେଁ।କ୍ଷୁଦ୍ର ରୁ କ୍ଷୁଦ୍ର ଜୀବ କୁ ସେ ଦୟା କରିଥାନ୍ତି। ଅପର ତାଙ୍କର କରୁଣା।

କେଡ଼େ ସୁନ୍ଦର ତାଙ୍କ ଶ୍ରୀ ମୁଖ। ଥରେ ଦେଖିଲେ ମନ ଭରେ ନାହିଁ। ଆଖି ଲାଖି ଯାଏ। ଆଖିରୁ ଆନନ୍ଦାଶ୍ରୁ ବୋହି ଯାଏ। ଯେତେ ଦେଖିଲେ ଆତ୍ମା ଶାନ୍ତି ହୁଏନି। ଚକା ଡୋଳା ଚତୁର୍ଦୀଗ କୁ ଚାହିଁ ଥାଆନ୍ତି। କାଳେ କୋଉ ଭକ୍ତ କୋଉଠି ଆଢ଼ୁଆଳରେ ରହି ଯିବକି। ଦୁଇ ହସ୍ତ ପ୍ରସାରି ପ୍ରଭୁ ସମସ୍ତଙ୍କୁ ଆଲିଙ୍ଗନ କରନ୍ତି। ପାପୀ ତପି ସମସ୍ତଙ୍କୁ ସେ କୋଳେଇ ନିଅନ୍ତି। ମୋ ପ୍ରଭୁ ହାତ ଠାରି ଡାକୁଛନ୍ତି ଆଉ କହୁଛନ୍ତି ରେ ବାଇଆ ତୁ ପଥ ହୁଡ଼ି ଯାଆନା। ମୁଁ ପରା ତୋ ସାଥିରେ ଅଛି। ତୋ ହାତ ଧରିଛି। ତୁ ଭାବୁଛୁ କି ମୋ କାନ ନାହିଁ ବୋଲି ତୋ ଡାକ ମୁଁ ଶୁଣି ପାରୁନି। ମୁଁ ସବୁ ଶୁଣୁଛି, ସବୁ ଜାଣୁଛି। ତୁ ନ କହିଲେ ବି ତୋ ହୃଦୟକୁ ମୁଁ ପଢ଼ି ପାରୁଛି। ତୁ କାହିଁକି ଏତେ ଚିନ୍ତା କରୁଛୁ। ତୁ ପରା ତୋ ନିଜକୁ ମତେ ସମର୍ପି ଦେଇଛୁ। ତଥାପି ତୁ ବ୍ୟସ୍ତ ହେଉଛୁ। ପତିତପାବନ ବାନା ଉଡ଼େଇ ପ୍ରଭୁ ଉଦ୍ ଘୋଷଣା କରୁଛନ୍ତି ମୁଁ ତୋରି ପାଇଁ ତ ବର୍ଷକୁ ଥରେ ନନ୍ଦିଘୋଷ ଚଢ଼ି ଯାତ୍ରା କରି, ବଡ଼ ଦାଣ୍ଡରେ ଚହଳ ପକେଇ ମାଉସୀ ମା ଘରକୁ ଯାଏ। ଯୋଉଠି କିଛି ନିୟମ ନ ଥାଏ, ନଥାଏ କଡ଼ା ଆକଟ, ନଥାଏ ବାଛ ବିଚାର। ଯେ କେହି ବି ମତେ ଦର୍ଶନ କରି ପାରିବ। ମତେ ସ୍ପର୍ଶ କରି ପାରିବ। ମତେ ଅନୁଭବ କରି ପାରିବ। ମୁଁ ଭାବକୁ ନିକଟ କିନ୍ତୁ ଅଭାବେ ଅଭେଟ। ମୁଁ ତୋ ଭାବରେ ଅଛି। ଥରେ ମୋ ସହିତ ଭାବ କରିକି ଦେଖେ। ମୁଁ ଭାବରେ ବନ୍ଧା। ସେଇଥି ପାଇଁ ମୋ ପ୍ରଭୁ ଜଗନ୍ନାଥ ଭାବର ଠାକୁର। କିଏ କହେ ପ୍ରଭୁ ଙ୍କ ପାଦ ନାହିଁ, କିନ୍ତୁ ସେ ସର୍ବତ୍ର ବିଦ୍ୟମାନ। ତାଙ୍କୁ ଯିଏ ଯୋଉ ରୂପରେ ଆଉ ଯେଉଁଠି ଚାହିଁଲା ସେଇଠି ସେଇ ରୂପରେ ହିଁ ଦର୍ଶନ କରିଥାଏ।ମୋ ପ୍ରଭୁ ଜଗନ୍ନାଥଙ୍କ ନାଲି ନାଲି ଓଠେ କି ସୁନ୍ଦର ତାଙ୍କ ହସ। ସେ ହସ ସବୁ ଦୁଃଖ ହରି ନିଏ। ଯେତେ କାଷ୍ଟ ଥିଲେ ବି ଥରେ ସେଇ ହସ ହସ ମୁହଁ ଦେଖି ଦେଲେ ସବୁ କଷ୍ଟ କୁଆଡ଼େ ଉଭେଇ ଯାଏ।

ମୋ ପ୍ରଭୁ ଙ୍କ ପାଖରେ ଷାଠିଏ ପଉଟି ଭୋଗ ଲାଗି ହୁଏ। କୋଠ ଭୋଗ ଖିଆ ପ୍ରଭୁ ମୋର। ତାଙ୍କ ପାଖକୁ କେହି ଗଲେ କେବେ ବି ଭୋକରେ ରହେ ନାହି। ନ ମାଗିଲେ ବି ମନ ଜାଣି ଦେଇଥାନ୍ତି। ବାର ମାସରେ ତେର ପର୍ବ ମହା ଆଡ଼ମ୍ବରରେ ଶ୍ରୀ ମନ୍ଦିରରେ ମୋ ପ୍ରଭୁଙ୍କୁ ନେଇ ପାଳିତ ହୁଏ। କେତେ ମିଷ୍ଟାନ୍ନ,କେତେ ପିଠା ପଣା ଭୋଗ ଲାଗେ। ରାତି ଦିନ ଉତ୍ସବ ଲାଗି ରହିଥାଏ। ମୋ ପ୍ରଭୁ ମହା ଆନନ୍ଦରେ ରତ୍ନ ସିଂହାସନରେ ବସି ସାରା ସଂସାରକୁ ଚଳାଇଥାନ୍ତି।ଯୋଉ ଜାତିର ନେତା ସ୍ଵୟଂ ଜଗନ୍ନାଥ ସେ ଜାତି ଅନାଥ ନୁହେଁ। ଯେଉଁ ଦେଶର ରାଜା ସ୍ଵୟଂ ପରଂବ୍ରହ୍ମ ସେ ଦେଶ ପାଇଁ କୌଣସି ରକ୍ଷକ ର ଆବଶ୍ୟକତା ନାହିଁ। ସେଇଥି ପାଇଁ କୁହାଯାଏ

    ଉତ୍କଳେ ନେତା ନାହିଁ ପ୍ରୟୋଜନ

    ଉତ୍କଳେ ନେତା ନିଜେ ନାରାୟଣ।।

ସକଳ ଶକ୍ତିର ଆଧାର, ସର୍ଵ ଜ୍ଞାତା, ସର୍ବ ବିଦ୍ୟମାନ, ସୃଷ୍ଟି କର୍ତ୍ତା, ସଂହାର କର୍ତ୍ତା, ସମସ୍ତ ଜୀବ ମଧ୍ୟରେ ଯିଏ ପ୍ରାଣ, ବିଶ୍ବ ବ୍ରହାଣ୍ଡ କୁ ଯିଏ ସ୍ଵୟଂ ଧାରଣ କରିଛନ୍ତି, ସିଏ ଆଉ କେହି ନୁହଁନ୍ତି, ସିଏ ମୋ ପ୍ରଭୁ ଜଗନ୍ନାଥ। ମୁଁ ଅର୍ଥ ଜୀବ। ଅର୍ଥାତ୍ ସମସ୍ତ ସଚରାଚର ଜୀବ ଙ୍କ ନାଥ ପ୍ରଭୂ ଜଗନ୍ନାଥ।

 କୃଷ୍ଣପ୍ରିୟା ବେହେରା (ଅଧ୍ୟାପିକା)

  ଈମର୍ତ୍ତୀ ଦେବୀ ମହିଳା ମହାବିଦ୍ୟାଳୟ

    କଟକ

     ଫୋନ୍ ନଂ:୯୯୩୭୪୩୪୯୨୨