ରାଜ ରାସ୍ତାରେ ପୋଷ୍ଟାଲ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ

ରାଜ ରାସ୍ତାରେ ପୋଷ୍ଟାଲ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ

ଖୁଣ୍ଟା, ୧୫/୧୨ : ଖୁଣ୍ଟା ଥାନା ଅଧିନ ତଥା ବାରିପଦା - ଖୁଣ୍ଟା -ଉଦଳା ରାଜ୍ୟ ରାଜପଥରେ ଜଣେ ପୋଷ୍ଟାଲ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ନେଇ ସଂପୃକ୍ତ କର୍ମଚାରୀ ଜଣକ ଅଭିଯୋଗ କରିଛନ୍ତି । ଅଭିଯୋଗରୁ ପ୍ରକାଶ ଯେ , ଉଦଳା ସବ୍ ପୋଷ୍ଟ ଅଫିସ୍ ର ପୋଷ୍ଟାଲ ଆସିଷ୍ଟାଣ୍ଡ ସ୍ନେହାଷିସ ପରିଡ଼ା ଶନିବାର ସକାଳ ସମୟରେ ବାରିପଦାରୁ ନିଜ ଗାଡ଼ି ଯୋଗେ ଉଦଳା ତାଙ୍କ କାର୍ଯ୍ୟାଳୟକୁ ଯାଉଥିଲେ । ତେବେ ଖୁଣ୍ଟା ଥାନା ଅଧୀନ ତଥା ରାଜପଥର ପୁରୁଣାପାଣି ଛକ ନିକଟରେ ଜନୈକ ବାଇକ ଚ଼ାଳକ ସ୍ନେହାଷିସଙ୍କ ଗାଡ଼ିକୁ ଧକା ଦେଇଥିଲା । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ପରବର୍ତ୍ତୀ ସମୟରେ ଅଫିସ୍ ପହଞ୍ଚିବାରେ ବିଳମ୍ବ ହେବା ଆଶଙ୍କା କରି ସ୍ନେହାଷିସ ଉଦଳା ଅଭିମୁଖେ ବାହାରିଥିଲେ । ମାତ୍ର ସଂପୃକ୍ତ ଯୁବକ ଜଣକ ତାଙ୍କୁ ପିଛା କରି ଆସିଥିଲା । ଏବଂ ଉକ୍ତ ରାଜପଥର ଖୁଣ୍ଟା - କହ୍ନେଇବନ୍ଦ ରାସ୍ତାରେ ସ୍ନେହାଷିସଙ୍କ ଗାଡ଼ିକୁ ଅଟକାଇ ଗାଡ଼ି ଭାଙ୍ଗି ଦେବା ଉଦ୍ୟମ କରିବା ସଙ୍ଗେ ସଙ୍ଗେ ତାଙ୍କ ଉପରକୁ ମରଣାନ୍ତକ ଆକ୍ରମଣ କରିଥିଲା ।

କୌଶଳ କ୍ରମେ ସ୍ନେହାଷିସ ସଂପୃକ୍ତ ସ୍ଥାନରୁ ପଳାଇ ଆସିଥିଲେ । ପୁଣି ଉକ୍ତ ବାଇକ ଚାଳକ ଜଣକ ତାଙ୍କୁ ପିଛା କରିବା ସହ ବି.ସି.ପୁର ଛକ ନିକଟରେ ଥିବା ପୋଲ ଉପରେ ଗାଡ଼ି ଅଟକାଇବା ସଙ୍ଗେ ସଙ୍ଗେ ମୁହଁ ଓ ମୁଣ୍ଡକୁ ଆକ୍ରମଣ କରିଥିଲେ । ଏପରିକି ସ୍ନେହାଷିସଙ୍କ ସାର୍ଟ ଗଞ୍ଜି ଇତ୍ୟାଦି ଛିଣ୍ଡି ଯାଇଥିବା ଦେଖିବାକୁ ମିଳିଥିଲା । ଏହାକୁ ନେଇ ସେ ଚିତ୍କାର କରିଥିଲେ । ସେହି ସମୟରେ ସଂପୃକ୍ତ ରାଜରାସ୍ତାରେ ଯାଉଥିବା ଜଣେ ଅପରିଚିତ ବ୍ୟକ୍ତି ସ୍ନେହାଷିସଙ୍କୁ ଆକ୍ରମଣକାରୀଙ୍କ ଠାରୁ ରକ୍ଷା କରିଥିଲେ । ଏବଂ ଆକ୍ରମଣକାରୀ ଜଣକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।  

ତେବେ ଉକ୍ତ ରାଜ ରାସ୍ତାର ପୃଥକ ପୃଥକ ସ୍ଥାନରେ ଆକ୍ରମଣରେ ଶିକାର ହୋଇ ଥିବା ସ୍ନେହାଷିସ ନିଜ ଜୀବନ ପ୍ରତି ବିପଦ ଥିବା ଆଶଙ୍କା କରି ଉଦଳା କାର୍ଯ୍ୟାଳୟକୁ ଯିବା ଉଚ଼ିତ ଭାବିନଥିଲେ । ଘଟଣା ସମ୍ପର୍କରେ ଖୁଣ୍ଟା ଥାନାରେ ଅଭିଯୋଗ କରିଛନ୍ତି । ଯାହାକୁ ନେଇ ସ୍ଥାନୀୟ ଥାନାରେ କେସ୍ ନମ୍ବର ୩୯୦/୨୪ରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ପୋଲିସ ସ୍ନେହାଷିସଙ୍କୁ ପ୍ରାଥମିକ ଚିକିତ୍ସା କରାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି l ସ୍ପଷ୍ଟ ଦିବା ଲୋକରେ ପୋଷ୍ଟାଲ କର୍ମଚାରିଙ୍କୁ ଏଭଳି ମରଣାନ୍ତକ ଆକ୍ରମଣ ଘଟଣା ଏବେ ସଂପୃକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।