ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି
ଭୁବନେଶ୍ବର,୩/୩ : ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ସାଂସଦ ସୁଜିତ୍ କୁମାରଙ୍କୁ ଦଳ ପ୍ରାର୍ଥୀ ଘୋଷଣା କରିଛି । ଏ ସଂପର୍କରେ ଦଳ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ମନମୋହନଙ୍କୁ ଦଳ ପୁରସ୍କାର ଦେଇଛି। ଓଡ଼ିଶାରେ ବିଜେପିକୁ ସରକାରକୁ ଆଣିବାରେ ମନମୋହନଙ୍କର ବଡ଼ ଭୂମିକା ଥିଲା । ପରଦା ପଛର ନାୟକ ଭାବେ ଦଳ ତାଙ୍କୁ ରାଜ୍ୟସଭା ଟିକଟ ଦେଇଛି । ସୁଜିତ କୁମାରଙ୍କ କାର୍ଯ୍ୟକାଳ ଏପ୍ରିଲରେ ସରୁଥିଲାବେଳେ ବିଜେପି ପୁଣି ତାଙ୍କୁ ଭରସା କରିଛି । ଏପରିକି ନୂଆପଡ଼ା ଉପନିର୍ବାଚନରେ ସୁଜିତ୍ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିଲେ । ସଂସଦରେ ଜଣେ ଦକ୍ଷ ସାଂସଦ ଭାବେ ସୁଜିତଙ୍କ ପରିଚୟ ଅଛି ।
ମନମୋହନ ରାଜ୍ୟ ରାଜନୀତିର ଜଣେ ଦକ୍ଷ ନେତା। ତୃଣମୂଳସ୍ତରରୁ ତାଙ୍କର ସାଂଗଠନିକ ଦକ୍ଷତା ରହିଛି। ଧାମନଗରରୁ ବିଧାୟକ ଭାବେ ନିର୍ବାଚିତ ହୋଇ ମନମୋହନ ରାଜ୍ୟ ସରକାରରେ ମନ୍ତ୍ରୀ ଭାର ସମ୍ଭାଳିଥିଲେ। ଦଳର ବହୁ ପଦ ପଦବୀର ଭାର ମୁଣ୍ଡାଇ ସେ ନିଷ୍ଠାର ସହ ତୁଲାଇଥିଲେ। ନିର୍ବାଚନ ପୂର୍ବରୁ ସଭାପତି ଭାର ତୁଲାଉଥିବା ମନେମାହନଙ୍କୁ ଦଳ ପୁଣି ସଭାପତି ପଦ ଦେଇଥିଲା। ରାଜ୍ୟରେ ବିଜେପି ସରକାର ଗଢ଼ିବାରେ ତାଙ୍କର ଗୁରୁ ଦାୟିତ୍ବ ଥିଲା।

Editor 


