ଖୁଣ୍ଟା ଅଞ୍ଚଳର ବରିଷ୍ଠ ବିଜେପି ନେତାଙ୍କ ବିୟୋଗ

ଖୁଣ୍ଟା,୧୯/୧୦ : ଖୁଣ୍ଟା ଅଞ୍ଚଳର ବିଶିଷ୍ଟ ଷ୍ଟୁଡିଓ ବ୍ୟବସାୟୀ ତଥା ବିଜେପି ଦଳର ଜଣେ ବରିଷ୍ଠ ନେତା ନିରଞ୍ଜନ ବେହେରାଙ୍କ ୬୫ବର୍ଷ ବୟସରେ ପରୋଲକ । ଶ୍ରୀ ବେହେରା ସଂପୃକ୍ତ ଅଞ୍ଚଳର ପ୍ରଥମ ଫଟୋଗ୍ରାଫର ଭାବେ ବେଶ ସୁନାମ ଅର୍ଜନ କରିଥିଲେ । ସେ ବିଜେପି ଦଳର ଜଣେ ଦୃଢ ସଂଗଠକ ଭାବେ ୧୯୯୫ମସିହାରୁ କାର୍ଯ୍ୟ କରି ଆସୁଥିଲେ । ଦଳର ବ୍ଲକ ସଭାପତି ଏବଂ ୨୦୦୦ମସିହାରେ ଖୁଣ୍ଟା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇ ମନ୍ତ୍ରୀ ଥିବା ସ୍ବର୍ଗତ ଗୋଲକ ବିହାରୀ ନାୟକଙ୍କ ମନ୍ତ୍ରୀ ପ୍ରତିନିଧି ଭାବେ ଦକ୍ଷତାର ସହ କାର୍ଯ୍ୟ ତୁଲାଇ ଆସିଥିଲେ ।
ସେ ଜଣେ ମିଷ୍ଟ ଭାଷୀ ପରୋପକାରୀ ବ୍ୟକ୍ତି ଭାବେ ଖୁଣ୍ଟା ଓ ଗୋପବନ୍ଧୁନଗର ବ୍ଲକ ଦ୍ୱୟରେ ବେଶ ସୁନାମ ଅର୍ଜନ କରିପାରିଥିଲେ । ତେବେ ଶ୍ରୀ ବେହେରା ଶୁକ୍ରବାର ସକାଳ ସମୟରେ ଗୁରୁତର ହୋଇ ପଡ଼ିଥିଲେ । ପରିବାର ଲୋକେ ଶ୍ରୀ ବେହେରାଙ୍କୁ ଖୁଣ୍ଟା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିବାବେଳେ ତାଙ୍କର ସ୍ୱାସ୍ଥ୍ୟ ବସ୍ଥା ଉଦବେଗ ଜନକ ଥିବାରୁ ତାଙ୍କୁ ବାରିପଦା ପିଆରଏମ ମେଡ଼ିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଥିଲା l ମାତ୍ର ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି ।
ତାଙ୍କ ମରଶରୀର ବାରଡାଙ୍ଗୁଆ ବାସ ଭବନରେ ପହଞ୍ଚିବା ପରେ ବହୁ ବିଶିଷ୍ଟ ଲୋକ ଶ୍ରୀ ବେହେରାଙ୍କ ଶେଷ ଦର୍ଶନ କରିବା ସହ ମୃତ ପରିବାରଙ୍କୁ ସମବେଦନା ଜ୍ଞାପନ କରିଥିଲେ । ଶ୍ରୀ ନିରଞ୍ଜନ ଖୁଣ୍ଟା ଅଞ୍ଚଳର ବରିଷ୍ଠ ସାମ୍ବାଦିକ ଦେବରଞ୍ଜନ ବେହେରାଙ୍କ ବଡ଼ ଭାଇ ହୋଇଥିବାବେଳେ ନିରଞ୍ଜନଙ୍କ ମୃତ୍ୟୁକୁ ନେଇ ବଣିକ ସଂଘ ପକ୍ଷରୁ ଶୋକ ପ୍ରକାଶ କରାଯିବା ସହ ଖୁଣ୍ଟା ଥାନା ଛକରେ ଥିବା ବ୍ୟବସାୟିକ ପ୍ରତିଷ୍ଠାନ ଗୁଡ଼ି଼କ ବନ୍ଦ କରାଯାଇଥିଲା ।