'ସେବା ପର୍ବ' ଏବଂ ସ୍ଵସ୍ଥ ନାରୀ, ସଶକ୍ତ ପରିବାର ଅଭିଯାନ ଅଧୀନରେ ଆଇଆଇଟି ଭୁବନେଶ୍ୱର ପକ୍ଷରୁ ସ୍ୱାସ୍ଥ୍ୟ ପରୀକ୍ଷଣ ଶିବିର ଆୟୋଜିତ

'ସେବା ପର୍ବ' ଏବଂ ସ୍ଵସ୍ଥ ନାରୀ, ସଶକ୍ତ ପରିବାର ଅଭିଯାନ ଅଧୀନରେ ଆଇଆଇଟି ଭୁବନେଶ୍ୱର ପକ୍ଷରୁ ସ୍ୱାସ୍ଥ୍ୟ ପରୀକ୍ଷଣ ଶିବିର ଆୟୋଜିତ

ଭୁବନେଶ୍ୱର,୨୩/୯ :  'ସେବା ପର୍ବ' ଏବଂ 'ସ୍ୱସ୍ଥ ନାରୀ, ସଶକ୍ତ ପରିବାର ଅଭିଯାନ'ର ଅଂଶ ସ୍ୱରୂପ, ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଆଇଟି) ଭୁବନେଶ୍ୱର ପକ୍ଷରୁ ୨୧ ସେପ୍ଟେମ୍ବର ୨୦୨୫ ରେ ପ୍ରତିଷ୍ଠାନର ମହିଳା ସଦସ୍ୟା; ପ୍ରବାସୀ ଶ୍ରମିକ କଲୋନୀର ବାସିନ୍ଦା ଏବଂ କ୍ୟାମ୍ପସର ସାନିଟାରୀ କର୍ମଚାରୀଙ୍କ ପାଇଁ ଏକ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜିତ ହୋଇଥିଲା। ଆଇଆଇଟି ଭୁବନେଶ୍ୱରର ଉନ୍ନତ ଭାରତ ଅଭିଯାନ (ୟୁବିଏ), ମହିଳା କଲ୍ୟାଣ କମିଟି (ଡବ୍ଲ୍ୟୁୁଡବ୍ଲୁସି), ଟିମ୍ ଏନଏସଏସ, ସଞ୍ଜୀବନ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଟିମ୍ ଲିଟେରାରୀ ମିଶନ ଏହି ଶିବିରକୁ ମିଳିତ ଭାବେ ପରିଚାଳନା କରିଥିଲେ।

ସ୍ୱାସ୍ଥ୍ୟ ଶିବିରର ଏକ ଅଂଶ ଭାବରେ, ସଞ୍ଜୀବନ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଅନୁ ବନସଲ ମହିଳା ଅଂଶଗ୍ରହଣକାରୀଙ୍କ ପାଇଁ ସ୍ତନ, ଗର୍ଭାଶୟ ଏବଂ ମୁଖ କର୍କଟ ଉପରେ ଏକ ସଚେତନତା ବକ୍ତବ୍ୟ ପ୍ରଦାନ କରିଥିଲେ। ସେ ଏହି ରୋଗଗୁଡ଼ିକର ପ୍ରାରମ୍ଭିକ ଚିହ୍ନଟ ଉପରେ ଗୁରୁତ୍ୱାରୋପ କରିଥିଲେ, ସେ ମହିଳା ଅଂଶଗ୍ରହଣକାରୀମାନଙ୍କୁ ଗର୍ଭାଶୟ କର୍କଟ ରୋଗ ସୃଷ୍ଟି କରୁଥିବା ହ୍ୟୁମାନ ପାପିଲୋମାଭାଇରସ୍ (ଏଚପିଭି) ସଂକ୍ରମଣରୁ ନିଜକୁ ରକ୍ଷା କରିବା ପାଇଁ ଏଚପିଭି ଟୀକାକରଣ କରିବାକୁ ମଧ୍ୟ ଅନୁରୋଧ କରିଥିଲେ। କାର‌୍ୟ୍ୟକ୍ରମରେ ରକ୍ତଚାପ, ରକ୍ତ ଶର୍କରା, ହିମୋଗ୍ଲୋବିନ୍ ଆକଳନ ଭଳି ଜରୁରୀ ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ପରେ ଡାକ୍ତରଙ୍କ ପରାମର୍ଶ ଅନ୍ତର୍ଭୁକ୍ତ ଥିଲା। ପରାମର୍ଶ ପରେ ଅଂଶଗ୍ରହଣକାରୀମାନଙ୍କୁ ମାଗଣାରେ ଔଷଧ ବଣ୍ଟନ କରାଯାଇଥିଲା। ଶିବିରରେ ଅଂଶଗ୍ରହଣ କରିଥିବା ମା'ମାନଙ୍କୁ ଶିଶୁ ଯତ୍ନ ଏବଂ ପୁଷ୍ଟିସାର ସମ୍ପର୍କିତ ପରାମର୍ଶ ମଧ୍ୟ ପ୍ରଦାନ କରାଯାଇଥିଲା। ମହିଳା ଅଂଶଗ୍ରହଣକାରୀମାନଙ୍କୁ ମାସିକ ଋତୁସ୍ରାବ ପରିଷ୍କାର ପରିଚ୍ଛନ୍ନତାର ଗୁରୁତ୍ୱ ବିଷୟରେ ପରାମର୍ଶ ଦିଆଯାଇଥିଲା ଏବଂ ସେମାନଙ୍କୁ ମାଗଣାରେ ପୁନଃବ୍ୟବହାରଯୋଗ୍ୟ ସାନିଟାରୀ ପ୍ୟାଡ୍ ମଧ୍ୟ ବଣ୍ଟନ କରାଯାଇଥିଲା। ଏହି ସ୍ୱାସ୍ଥ୍ୟ ଶିବିର ଦ୍ୱାରା ପ୍ରାୟ ୭୫ ଜଣ ବ୍ୟକ୍ତି ଉପକୃତ ହୋଇଥିଲେ। ସ୍ୱାସ୍ଥ୍ୟ ଶିବିରର ସୁଗମ ଆୟୋଜନରେ ଏନଏସଏସ ଏବଂ ୟୁବିଏର ସ୍ୱେଚ୍ଛାସେବୀମାନେ କାର୍ଯ୍ୟ କରିଥିଲେ।

ଏହି ଅବସରରେ, ଡକ୍ଟର ସୀମା ବାହିନୀପତି, ପ୍ରଫେସର-ଇନ-ଚାର୍ଜ (ସ୍ୱାସ୍ଥ୍ୟ ସେବା); ଡକ୍ଟର ମଧୁସ୍ମିତା ଦାଶ, ସଂଯୋଜିକା (ୟୁବିଏ); ଡକ୍ଟର ଅନସୁୟା ରୟଚୌଧୁରୀ, ଅଧ୍ୟକ୍ଷା (ଡବ୍ଲ୍ୟୁୁଡବ୍ଲୁସି); ଏନଏସଏସ ସଂଯୋଜକ ଡକ୍ଟର ଶିବାୟା ବାଥୁଳ ଏବଂ ସଞ୍ଜୀବନ ସ୍ୱାସ୍ଥ୍ୟ କେନ୍ଦ୍ରର ବରିଷ୍ଠ ଚିକିତ୍ସା ଅଧିକାରୀ ଡକ୍ଟର ମନସୁର ଅହମ୍ମଦ ଖାନ ଉପସ୍ଥିତ ଥିଲେ।

ଉଲ୍ଲେଖ କରାଯାଇପାରେ ଯେ ବିକଶିତ ଭାରତ ୨୦୪୭ ର ଦୃଷ୍ଟିକୋଣ ଦ୍ୱାରା ପରିଚାଳିତ, ସେବା ପର୍ବ, ସେବା , ନବସୃଜନ ଏବଂ ସାଂସ୍କୃତିକ ଗର୍ବର ସାମୂହିକ ଭାବନାରେ ସମ୍ପ୍ରଦାୟ, ଅନୁଷ୍ଠାନ ଏବଂ ବ୍ୟକ୍ତିବିଶେଷଙ୍କୁ ଏକତ୍ର କରିବା ପାଇଁ ଉଦ୍ଦିଷ୍ଟ। ଆଇଆଇଟି ଭୁବନେଶ୍ୱର ଏହାର ଅଂଶୀଦାରମାନଙ୍କ ପାଇଁ ବିଭିନ୍ନ କାର‌୍ୟ୍ୟକ୍ରମ ଆୟୋଜନ କରି ଏହି ପ୍ରୟାସରେ ସକ୍ରିୟ ଭାବରେ ଅଂଶଗ୍ରହଣ କରୁଛି। ଏହା ସହିତ, ସ୍ୱସ୍ଥ ନାରୀ, ସଶକ୍ତ ପରିବାର ଅଭିଯାନର ଏକ ଅଂଶ ଭାବରେ, ପ୍ରତିଷ୍ଠାନ ଏହାର ମହିଳା ସଦସ୍ୟଙ୍କ ସ୍ୱାସ୍ଥ୍ୟସେବା ଏବଂ କଲ୍ୟାଣ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ପରିଚାଳନା କରୁଛି।