ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି ; ପୁରୀ ହେବ ମହାନଗର ନିଗମ

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି ; ପୁରୀ ହେବ ମହାନଗର ନିଗମ

ଭୁବନେଶ୍ବର, ୪/୭ : ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି । ପୁରୀ ହେବ ମହାନଗର ନିଗମ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ନେଇ ଘୋଷଣା କରିଛନ୍ତି । ସେ କହିଛନ୍ତି ଏବେ ପବିତ୍ର ପୁରୀ ସହରରେ ମହାପ୍ରଭୁଙ୍କ ଘୋଷଯାତ୍ରା ଜାରି ରହିଛି। ବାହୁଡା ଯାତ୍ରା ପାଇଁ ମହାପ୍ରଭୁ ଆଜ୍ଞା ଦେଇ ସାରିଛନ୍ତି। ଏହି ଯାତ୍ରାକୁ ସୂଚାରୁ ରୂପେ ଏବଂ ସୁରକ୍ଷିତ ଢଙ୍ଗରେ ସଂପୂର୍ଣ୍ଣ କରିବା ପାଇଁ ଠାକୁରଙ୍କ ନିର୍ଦ୍ଦେଶରେ ସମସ୍ତେ ନିଜ ନିଜ ସେବା ପ୍ରଦାନ କରୁଛନ୍ତି। ପୁରୀ ଜଗନ୍ନାଥ ଧାମ ସାରା ଭାରତର ସବୁ ଧର୍ମସ୍ଥଳୀଠାରୁ ଅନନ୍ୟ। ଏଠାରେ ଭକ୍ତ ଜାତି, ଧର୍ମ, ବର୍ଣ୍ଣ, ସମ୍ପ୍ରଦାୟ ନିର୍ବିଶେଷରେ ସମସ୍ତେ ଏକାକାର ହୋଇ ଯାଆନ୍ତି । ନବ ଦିନ ବ୍ୟାପ୍ତ ଏହି ପବିତ୍ର ଯାତ୍ରା ସମୟରେ ବଡଦାଣ୍ଡରେ ଚାଲୁଥିବା ସବୁ ଭକ୍ତ ଜଣେ ଜଣେ ଦାସିଆ। ମୁଁ ବି ଏହି ଅସଂଖ୍ୟ ଜଗନ୍ନାଥ ଭକ୍ତଙ୍କ ମଧ୍ୟରୁ ଜଣେ ସାଧାରଣ ଭକ୍ତ। 

ରାଜ୍ୟର ମୁଖ୍ୟ ସେବକ ଭାବେ ରାଜ୍ୟବାସୀ ଯେଉଁ ଗୁରୁ ଦାୟିତ୍ଵ ମୋତେ ଅର୍ପଣ କରିଛନ୍ତି, ସେଥି ମଧ୍ୟରୁ, ପୁରୀକୁ ଆସୁଥିବା ଲକ୍ଷ ଲକ୍ଷ ଭକ୍ତଙ୍କ ସହିତ ପୁରୀବାସୀଙ୍କୁ ଗୁଣାତ୍ମକ ମୌଳିକ ସୁବିଧା ପ୍ରଦାନ କରିବା। ମୁଁ ବ୍ୟକ୍ତିଗତ ଭାବେ ପୂର୍ବରୁ ଅନୁଭବ କରିଛି ଯେ କୌଣସି ନା କୌଣସି କାରଣରୁ ବର୍ତ୍ତମାନର ପୁରୀ ପୌରପାଳିକା ଉଭୟ ଭକ୍ତ ଏବଂ ସହରବାସୀଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବାରେ ସମର୍ଥ ହୋଇନାହିଁ। 

ଏହି ଲକ୍ଷ୍ୟ ହାସଲ କରିବା ପାଇଁ ସ୍ଥାନୀୟ ସ୍ଵାୟତ୍ତ ଶାସନ ପଦ୍ଧତିରେ ସଂସ୍କାର ଆଣିବାକୁ ପଡିବ। ବିଭିନ୍ନ ବିକାଶମୂଳକ କାର୍ୟ୍ୟଷକୁ ତଦାରଖ, ପୁନର୍ବିନ୍ୟାସ ଏବଂ ରକ୍ଷଣାବେକ୍ଷଣ କରିବା ପାଇଁ ନୂତନ ଢାଞ୍ଚାର ଆବଶ୍ୟକତା ରହିଛି। କ୍ରମ ବର୍ଦ୍ଧିଷ୍ଣୁ ଜନସଂଖ୍ୟା ସହିତ ବର୍ଷସାରା ସହରକୁ ଆସୁଥିବା ଭକ୍ତ ଏବଂ ପର୍ଯ୍ୟଟକଙ୍କୁ ଗୁଣାତ୍ମକ ସୁବିଧା ଯୋଗାଇବା ପାଇଁ ଆମ ସରକାର ପୁରୀ ପୌରପାଳିକାକୁ ମହାନଗର ନିଗମରେ ପରିଣତ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ପୁରୀ ସହର ଏବଂ ଆଖପାଖ ଅବସ୍ଥିତ ଗ୍ରାମ ପଞ୍ଚାୟତକୁ ସାମିଲ କରି ପୁରୀ ମହାନଗର ନିଗମ ଗଠିତ ହେବ। ଏହା ଦ୍ଵାରା ପୁରୀ ସଦର ଏବଂ ବ୍ରହ୍ମଗିରି ବ୍ଲକର ପ୍ରାୟ ସାତରୁ ଆଠଗୋଟି ଗ୍ରାମ ପଞ୍ଚାୟତକୁ ସାମିଲ କରାଯିବ, ଯାହା ଫଳରେ ଏହି ପଞ୍ଚାୟତବାସୀ ସହର ପରି ସୁବିଧା ପାଇ ପାରିବେ। ଆସନ୍ତା କାଲି ଠାରୁ ଏହ ସମ୍ବନ୍ଧୀୟ ସମସ୍ତ ପ୍ରକ୍ରିୟା ଆରମ୍ଭ କରାଯିବ। 

ପୁରୀକୁ ଦେଶର ସର୍ବଶ୍ରେଷ୍ଠ ଧର୍ମୀୟ ଓ ପର୍ୟ୍ୟଆଟନ ସ୍ଥଳ ଭାବେ ଗଢି ଗୋଳିବାକୁ ଆମ ସରକାର ବଦ୍ଧପରିକର। ଏଥିପାଇଁ ଅନେକ ନୂତନ ପ୍ରକଳ୍ପର ନିର୍ମାଣ ଏବଂ ରକ୍ଷଣା ବେକ୍ଷଣର ଅବଶ୍ୟକତା ରହିଛି। ୨୦୩୬ ସୁଦ୍ଧା ପୁରୀକୁ ଦେଶର ଏକ ମୁଖ୍ୟ ଧର୍ମୀୟ ଓ ପର୍ୟ୍ୟ ଟନ ସ୍ଥଳରେ ପରିଣତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଏକ ସୁନ୍ଦର, ସବୁଜ, ବିକଶିତ ପୁରୀ ସହର ବିନା ସମୃଦ୍ଧ ଓଡିଶାର ପରିକଳ୍ପନା ଅସମ୍ଭବ। ଆଜିର ଏହି ଘୋଷଣା ସରକାରଙ୍କ ଏହି ଭିଜନର ଏକ ଅଂଶ ବିଶେଷ। 

ସେହିଭଳି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆହୁରି ମଧ୍ୟ କହିଛନ୍ତି, ଲୀଳାମୟ ପ୍ରଭୁଙ୍କ ନବଦିନ ବ୍ୟାପୀ ଘୋଷଯାତ୍ରା ଜାରି ରହିଛି। ଠାକୁର ବାହୁଡିବା ପାଇଁ ନିର୍ଦ୍ଦେଶ ଦେଇସାରିଛନ୍ତି। ସେବକ, ସେବାୟତ, କର୍ମଚାରୀ, ଅଧିକାରୀ ଏହି ବାହୁଡା ଯାତ୍ରାକୁ ସୁନ୍ଦର ସାବଲୀଳ କରିବା ପାଇଁ ସମସ୍ତେ ନିଜ ନିଜ କର୍ତ୍ତବ୍ୟ ସମର୍ପଣ ଭାବ ନେଇ ସେବା ପ୍ରଦାନ କରୁଛନ୍ତି। ଜଗନ୍ନାଥ ସଂସ୍କୃତି ଓ ପରମ୍ପରା ଅନନ୍ୟ। ନୟାଗଡର ଘଞ୍ଚ ଜଙ୍ଗଲର ଏକଦା ଅଧିଷ୍ଠିତ ପ୍ରବୁ ନୀଳମାଧବଙ୍କ ନୀଳକନ୍ଦରକୁ ଯାତ୍ରା ହେଉଛି ଅବିସ୍ମରଣୀୟ। ଜଗନ୍ନାଥ ଧାମର ସ୍ଵର୍ଣ୍ଣିମ ଇତିହାସ ଓ ପରମ୍ପରାକୁ ଅଗଣିତ ଲୋକକଥା, ଅନେକ କାହାଣୀ ଏବଂ ଐତିହାସିକ ଘଟଣାବଳୀ ସମୃଦ୍ଧ କରିଛି। ଏହି ସଂସ୍କୃତି ସହିତ ଅନେକ ଧର୍ମୀୟ ମହାନୁଭବ, ଲେଖକ, କବି, ଗାୟକ, ନୃତ୍ୟଶିଳ୍ପୀ, କାରିଗର ନିଜ ନିଜର ଅବଦାନ ଦେଇ ଆହୁରି ପରିପୃଷ୍ଟ କରିଛନ୍ତି। 

କିନ୍ତୁ, ପରିତାପର ବିଷୟ ଯେ ଆଜିର ଯୁବ ସମାଜ ତଥା ପୁରୀକୁ ଆସୁଥିବା ଭକ୍ତଗଣ ଜଗନ୍ନାଥ ସଂସ୍କୃତିର ଧନିକ ଇତିହାସ ବିଷୟରେ ବେଶୀ କିଛି ଜାଣନ୍ତି ନାହିଁ। ତା’ଠୁ ଦୁଃଖର ବିଷୟ ଯେ ଏହି ସଂସ୍କୃତି ଏବଂ ଇତିହାସକୁ ଜଣାଇବା ପାଇଁ ପୁରୀ ଠାରେ କିଛି ବ୍ୟବସ୍ଥା ଗତ ସାଢେ ସାତ ଦଶନ୍ଧିରେ କରାଯାଇ ପାରିଲା ନାହିଁ। ଏତଦ ବ୍ଯତୀତ ପୁରୀକୁ ଏକ ଉତ୍ତମ ପର୍ଯ୍ୟଟନ ସ୍ଥଳୀ ଭାବେ ଗଢି ତୋଳିବା ପାଇଁ ବିଶେଷ କିଛି ପଦକ୍ଷେପ ନିଆଯାଇନାହିଁ। ଚିନ୍ତା କରନ୍ତୁ, ଆଜି ଜଣେ ପର୍ଯ୍ୟଟକ ପୁରୀ ଆସିଲେ, ତା’ ପାଇଁ ମୁଖ୍ୟତଃ ଦୁଇଟି ଠିକଣା। ଜଗନ୍ନାଥ ମନ୍ଦିର ଏବଂ ବେଳାଭୂମି। ଏହାକୁ ଛାଡିଦେଲେ ଅନ୍ୟ କୌଣସି ମନୋରଞ୍ଜନ କିମ୍ବା ପର୍ଯ୍ୟଟନ ଭିତ୍ତିଭୂମି ନାହିଁ, ଯେଉଁଠାରେ ସେ କିଛି ସମୟ ବ୍ଯତୀତ କରି ପାରିବ। ଯେ କୌଣସି ପର୍ଯ୍ୟଟନ ସ୍ଥଳକୁ ବିକାଶ କରିବାକୁ ହେଲେ, ପ୍ରଥମ ନିୟମ ହେଉଛି କିପରି ଜଣେ ପର୍ଯ୍ୟଟକ ସେଠାରେ ଅଧିକ ରୁ ଅଧିକ ସମୟ ବ୍ଯତୀତ କରିବ। ଯାହାଦ୍ୱାରା ସେ ଅଧିକ ଖର୍ଚ୍ଚ ବି କରିବ। କିନ୍ତୁ, ପୁରୀ ଠାରେ ସେମିତି କିଛି ବ୍ୟବସ୍ଥା ନାହିଁ।

ତେଣୁ ଏହି ଦୁଇ ସମସ୍ଯାକୁ ସମାଧାନ କରିବା ପାଇଁ ଆମ ସରକାର ପୁରୀ ଠାରେ ଏକ ବିଶ୍ଵ ସ୍ତରୀୟ ଶ୍ରୀ ଜଗନ୍ନାଥ ମ୍ୟୁଜିୟମ, ଲାଇବ୍ରେରୀ ଏବଂ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରିବାକୁ ନିଷ୍ଫତ୍ତି ନେଇଛନ୍ତି। ଗୋଟିଏ ପରିସରରେ ଏହା ନିର୍ମିତ ହେବ। ଶ୍ରୀ ଜଗନ୍ନାଥ ସଂଗ୍ରହାଳୟରେ ଜଗନ୍ନାଥ ସଂସ୍କୃତି ଓ ଇତିହାସ ଯେପରିକି ଏହାର ପୌରାଣିକ ମହତ୍ତ୍ଵ, ନୀଳବଧବଙ୍କ ଠାରୁ ମନ୍ଦିର ନିର୍ମାଣର ଇତିହାସ, ବିଗ୍ରହ ପ୍ରତିଷ୍ଠା, କାଞ୍ଚି ବିଜୟ, ଯାନିଯାତ୍ରା, ମନ୍ଦିର ରୀତିନୀତି, ଭକ୍ତ ଏବଂ ଭଗବାନଙ୍କ ମଧ୍ୟରେ ଭାବାବେଗ ଇତ୍ୟାଦି ପ୍ରଦର୍ଶିତ ହେବ। ଏହି ସବୁ ଘଟଣାବଳୀକୁ ବିଭିନ୍ନ ଚିତ୍ରକଳା,miniature ପ୍ରତିମୂର୍ତ୍ତି, ପଟ୍ଟଚିତ୍ର ଇତ୍ୟାଦି ମଧ୍ୟମରେ ପ୍ରଦର୍ଶିତ କରାଯାଇପାରିବ। ସେହିପରି ଏହି ପରିସରରେ ଏକ ପୁସ୍ତକାଗାର ଏବଂ ଜଗନ୍ନାଥ ସଂସ୍କୃତି ଗବେଷଣା କେନ୍ଦ୍ର ସ୍ଥାପିତ କରାଯିବ। ଏହି ପୁସ୍ତକାଗାରରେ ଜଗନ୍ନାଥ ସଂସ୍କୃତି ସହିତ ଓଡିଆ ସଂସ୍କୃତି ଓ ପରମ୍ପରା ସମ୍ବନ୍ଧୀୟ ପୁସ୍ତକ ବି ରହିବ। ଏହି ପୁସ୍ତକାଗାରରେ ଇ-ଲାଇବ୍ରେରୀର ସୁବିଧା ପ୍ରଦାନ କରାଯିବ ଏବଂ ପାଠକମାନେ ଇ-ଲାଇବ୍ରେରୀ ମଧ୍ୟମରେ ସବୁ ପ୍ରକାର ପଠନ ସାମଗ୍ରୀ ପାଇ ପାରିବେ। ଜଗନ୍ନାଥ ସଂସ୍କୃତି ଏବଂ ସାହିତ୍ଯକୁ ଋଦ୍ଧିମନ୍ତ କରିବା ପାଇଁ ଏହା ନିଶ୍ଚିତ ଭାବେ ସାହାଯ୍ୟ କରିବ। 

ଏଥି ସହିତ ଏହି ପରିସରରେ ପ୍ରାୟ ୩୦୦ ଆସନ ବିଶିଷ୍ଟ ଏକ ପ୍ରେକ୍ଷାଳୟ (ଅଡିଟରିଅମ) ନିର୍ମାଣ କରାଯିବ। ଏହି ଅଡିଟରିଅମରେ ପ୍ରତି ଦିନ ଲାଇଟ ଓ ସାଉଣ୍ଡ ଶୋ ପ୍ରସ୍ତୁତ କରାଯିବ। ଜଗନ୍ନାଥ ମନ୍ଦିର ଏବଂ ଠାକୁରଙ୍କୁ ନେଇ ଅନେକ କାହାଣୀ, ଅନେକ ପ୍ରସଙ୍ଗ ରହିଛି। ଏହି ସବୁ ପ୍ରସଙ୍ଗକୁ ବିଭିନ୍ନ ଅଧ୍ୟାୟରେ ବିଭାଜନ କରି ଗୋଟିଏ ଗୋଟିଏ ଅଧ୍ୟାୟ (ଏପିସଡ) ପ୍ରସ୍ତୁତ କରି ବିଭିନ୍ନ ଭାଷା ଯେପରିକି ଓଡିଆ, ହିନ୍ଦୀ, ଇଂରାଜୀ ଏବଂ ବଙ୍ଗାଳୀ ଭାଷାରେ ପ୍ରସ୍ତୁତ କରାଯାଇ ପ୍ରଦର୍ଶିତ କରାଯିବ। ତା’ ଛଡା ଏହି ପରିସର ମଧ୍ୟରେ ଏକ ମୁକ୍ତାକାଶ ରଙ୍ଗମଞ୍ଚ ବି ନିର୍ମିତ ହେବ ଯେଉଁଠି ରାଜ୍ୟର କଳାକାର ଏବଂ ସାଂସ୍କୃତିକ ଅନୁଷ୍ଠାନ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇପାରିବ। 

ଏହି ପ୍ରକଳ୍ପ ଜଗନ୍ନାଥ ସଂସ୍କୃତି, ପରମ୍ପରା ଏବଂ ସାହିତ୍ଯକୁ ସୁଦୃଢ ଏବଂ ପରିପୁଷ୍ଟ କରିବା ସହିତ ପୁରୀ ଜଗନ୍ନାଥ ଧାମକୁ ଆସୁଥିବା ହଜାର ହଜାର ପର୍ଯ୍ୟଟକଙ୍କ ପାଇଁ ଉତ୍କୃଷ୍ଟ ସମୟ ବ୍ଯତୀତ କରିବା ପାଇଁ ସୁଯୋଗ ପ୍ରଦାନ କରିବ। ଏହା ପୁରୀକୁ ଦେଶର ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ଵତନ୍ତ୍ର ସ୍ଥାନ ଦେବାରେ ସହାୟକ ହେବ ବୋଲି କୁହାଯାଇଛି ।