ଆସିଛି ନୂଆ ବରଷ

ଆସିଛି ନୂଆ ବରଷ

ପ୍ରତି ବର୍ଷ ପରି ଏଥର ବି ଗୋଟିଏ ବର୍ଷ ବିଦାୟ ନେଇସାରିଛି। ଛାଡି ଯାଇଛି ଅନେକ ସ୍ମୃତି ଓ ଅନୁଭୂତିକୁ। ଶିଖାଇଛି ଦୁଃଖ ଓ ସୁଖକୁ କେମିତି ଆପଣାଇ ଓଠରେ ହସ ଫୁଟାଇବାକୁ ପଡ଼େ। ଦେଖାଇଛି ଅନେକ ରାସ୍ତା ସବୁ ପରିସ୍ଥିତିକୁ କେମିତି ସାମ୍ନା କରିବାକୁ ହୁଏ। ତଥାପି ଏସବୁ ଭିତରେ, ଏକ ନୂତନ ବର୍ଷକୁ ସ୍ବାଗତ କରିବା ପାଇଁ ଆମେ ସର୍ବଦା ତତ୍ପର। କୁହୁଡ଼ିର ଛାତିକୁ ଚିରି ନୂତନ ସୁର୍ଯ୍ୟାଲୋକ ତାର ସୁନେଲି କିରଣରେ ଧରିତ୍ରିକୁ ଆଚ୍ଛାଦିତ କରି ସମସ୍ତଙ୍କୁ ଆମନ୍ତ୍ରିତ କରୁଛି, ଅତୀତକୁ ଭୁଲି ଶାନ୍ତି ଓ ମୈତ୍ରିର ବାର୍ତ୍ତା ଦେବାକୁ। ବର୍ତ୍ତମାନକୁ ନେଇ ଆଗକୁ ବଢିବାକୁ, ଭବିଷ୍ୟତ ପାଇଁ ପ୍ରସ୍ତୁତ ହେବାକୁ ଓ ବାକି ରହି ଯାଇଥିବା ସ୍ବପ୍ନକୁ ପୂରଣ କରିବାକୁ। ଖାଲି ଯେ ନୁଆ ବର୍ଷକୁ ପାଳନ କରିଦେଲେ ହୋଇଯିବ ତାହା ନୁହେଁ, ସମସ୍ତେ ପ୍ରତିଜ୍ଞା ବଦ୍ଧ ହେବା ଉଚିତ୍, ସମାଜରୁ ସବୁ ପ୍ରକାର କୁସଂସ୍କାରକୁ ଦୁରକରି, ସମସ୍ତେ ସମସ୍ତଙ୍କ ପାଇଁ ଏକ ପ୍ରକାର ସୁରକ୍ଷା ବଳୟ ସାଜି, ସାହାଯ୍ୟର ହାତ ବଢ଼ାଇ, ଏକ ପରିବର୍ତ୍ତନଶୀଳ ସମାଜ ତିଆରି କରିବା। ଯେଉଁ ଦିନ ଜନତା ସଚେତନ ହେବେ, କୌଣସି ଆଇନିର ଦରକାର ପଡିବ ନାହିଁ। ସକାଳର ଖବରରେ ଯେଉଁ ନାରୀ ନିର୍ଯାତନା, କୋମଳ ଶିଶୁଟିର ଆର୍ତ୍ତ ଚିତ୍କାର, ହତ୍ୟା, ଲୁଣ୍ଠନ ଆଦିର ଶୀକାର ହେବାକୁ ପଡୁଛି, ତାହା ଆଉ ଶୁଣିବାକୁ ମିଳିବନି।

ପ୍ରଭୁ ଜଗନ୍ନାଥଙ୍କ ପାଖରେ ଏତିକି ପ୍ରାର୍ଥନା, ଏହି ନୁଆ ବର୍ଷ ସବୁରି ମନର ଭରିଦେଉ ସୁଖ ଓ ସମୃଦ୍ଧି, ଆଣିଦେଉ ଅନେକ ସଦଭାବନା। ଜ

ଜୟ ଜଗନ୍ନାଥ 

ସଂଯୁକ୍ତା ଦାଶ

କଳିଙ୍ଗ ବିହାର, ଭୁବନେଶ୍ୱର