ଆଜି ବାହୁଡ଼ିବେ ପରଂବ୍ରହ୍ମ: ଦିନ ୧୨ରେ ପହଣ୍ଡି

ଆଜି ବାହୁଡ଼ିବେ ପରଂବ୍ରହ୍ମ: ଦିନ ୧୨ରେ ପହଣ୍ଡି

ପୁରୀ, ୫/୭ : ଶ୍ରୀଗୁଣ୍ଡିଚା ମନ୍ଦିର ଜନ୍ମବେଦୀ ଲୀଳା ଶେଷକରି ଶନିବାର ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବେ ଚତୁର୍ଦ୍ଧା ବିଗ୍ରହ। ମହାପ୍ରଭୁଙ୍କ ଆଗମନ ପାଇଁ ଶରଧାବାଲିରେ ଅପେକ୍ଷା କରିଛନ୍ତି ତାଳଧ୍ୱଜ, ନନ୍ଦିଘୋଷ ଓ ଦର୍ପଦଳନ। ଲକ୍ଷ ଲକ୍ଷ ଭକ୍ତଙ୍କ ମେଳରେ ବାହୁଡ଼ା ଯାତ୍ରା କରିବେ ପରଂବ୍ରହ୍ମ। ସନ୍ଧ୍ୟାସୁଦ୍ଧା ତିନିରଥ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ପହଞ୍ଚିବା ସମ୍ଭାବନା ରହିଛି।

ଆଷାଢ଼ ଶୁକ୍ଳ ଦଶମୀ ତିଥିରେ ଶନିବାର ସକାଳ ଧୂପରେ ଖେଚୁଡ଼ି ଖାଇ ରଥ ଉପରେ ପହଣ୍ଡି ବିଜେ କରିବେ ମହାପ୍ରଭୁ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ ଓ ଦେବୀ ସୁଭଦ୍ରା। ପରମ୍ପରା ଅନୁଯାୟୀ, ବାହୁଡା ପହଣ୍ଡି ବେଳେ ଶ୍ରୀଜୀଉଙ୍କ ଶ୍ରୀ ମସ୍ତକରେ ଶୋଲ ଓ ଫୁଲରେ ନିର୍ମିତ ଆକର୍ଷଣୀୟ ଟାହିଆ ଲଗାଯିବ। ସେବକ ଓ ଭକ୍ତଙ୍କ ମେଳରେ ଝୁଲିଝୁଲି ରଥରେ ବିଜେ କରିବେ ବ୍ରହ୍ମାଣ୍ଡ ଠାକୁର। ଏଥିପାଇଁ ପୁରୀକୁ ଭକ୍ତଙ୍କ ସୁଅ ଛୁଟିଛି। ଜଳ, ସ୍ଥଳ, ଆକାଶ ପଥରେ ଅଭୂତପୂର୍ବ ସୁରକ୍ଷା ବ୍ୟବସ୍ଥା କରାଯାଇଛି।