ରୋଜାଲିନି ସେନାପତିଙ୍କ ଗଳ୍ପ ସଙ୍କଳନ ‘ନାରୀ ଏକ ଝୁଲନ୍ତା ତରବାରି’ ଉନ୍ମୋଚିତ

ରୋଜାଲିନି ସେନାପତିଙ୍କ ଗଳ୍ପ ସଙ୍କଳନ ‘ନାରୀ ଏକ ଝୁଲନ୍ତା ତରବାରି’ ଉନ୍ମୋଚିତ

ଭୁବନେଶ୍ବର,୩/୯ : ବିକ୍ଷିପ୍ତା ସାହିତ୍ଯ ପ୍ରତିଷ୍ଠାନ ବୁଗୁଡ଼ା, ଗଞ୍ଜାମ ଦ୍ୱାରା ଶଶିଭୂଷଣ ରଥ (ସ୍ଵୟଂଶାସିତ) ସରକାରୀ ମହିଳା ମହାବିଦ୍ୟାଳୟ ପରିସରରେ ପୁସ୍ତକ ଉନ୍ମୋଚନ, ଆଲୋଚନା ଚକ୍ର ଓ କବିତା ଆସର ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଏହି ସାହିତ୍ଯ ମହାସଭାରେ ପ୍ରାୟ ୨୦୦ରୁ ଊର୍ଦ୍ଧ୍ବ କବି, କବୟିତ୍ରୀ, ସାହିତ୍ୟିକ, ସଂଗଠକ ଓ ସାହିତ୍ଯ ପ୍ରେମୀ ଯୋଗଦାନ କରିଥିଲେ । ଏହି ପୁସ୍ତକ ଉନ୍ମୋଚନ ଉତ୍ସବକୁ ବିଶିଷ୍ଟ ନାଟ୍ୟକାର ଇଂ. ଯାମିନୀକାନ୍ତ ଦାସ ଉଦଘାଟନ କରିଥିଲେ । 

ମୁଖ୍ୟ ଅତିଥି ରୂପେ ବରିଷ୍ଠ କବି, ସଂଗଠକ ତଥା ଓଡିଶା ସାହିତ୍ୟ ଏକାଡେମୀର ପ୍ରାକ୍ତନ ସଦସ୍ୟ ଏବଂ ବ୍ରହ୍ମପୁର ସାହିତ୍ୟ ପରିଷଦର ସଭାପତି ସୁଶାନ୍ତ ଦାଶ, ମୁଖ୍ଯବକ୍ତା ଭାବେ ବୌଦ୍ଧ ଜିଲ୍ଲା ଓଡିଶା ସାହିତ୍ୟ ଏକାଡେମୀର ପ୍ରାକ୍ତନ ସଦସ୍ୟ ଇଂ. ଡ. ସଞ୍ଜୟ କୁମାର ପଣ୍ଡା, ବରେଣ୍ୟ ଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଚିତରଞ୍ଜନ ଶତପଥୀ, ସମ୍ମାନିତ ଅତିଥି ଭାବେ କବି ଡାକ୍ତର ରାଜେନ୍ଦ୍ର ବେହେରା, ମହାବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ଯ ବିଭାଗ ମୁଖ୍ଯ ଶାନ୍ତନୁ ସୁନା ଓଡ଼ିଆ ସାହିତ୍ୟର ବିଭିନ୍ନ ଦିଗ ଉପରେ ନିଜ ନିଜର ମତ ଉପସ୍ଥାପନ କରିଥିଲେ । ବିକ୍ଷିପ୍ତା ସାହିତ୍ଯ ପ୍ରତିଷ୍ଠାନର ସଭାପତି ଗୌରୀପତି ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସାହିତ୍ଯ ସଭାରେ ବିକ୍ଷିପ୍ତା ସାହିତ୍ୟ ପ୍ରତିଷ୍ଠାନ ତରଫରୁ ବ୍ରହ୍ମପୁର ସାହିତ୍ୟ ପରିଷଦ ଦ୍ୱାରା ପ୍ରକାଶିତ କବିତା ସଂକଳନ 'କାବ୍ୟଧାରା' ସହ ଭୁବନେଶ୍ୱରର ସୁପରିଚିତା ଗାଳ୍ପିକା, କବୟିତ୍ରୀ, ସମାଜସେଵୀ ଏବଂ ସଙ୍ଗଠିକା ରୋଜାଲିନ ସେନାପତିଙ୍କ କ୍ଷୁଦ୍ର ଗଳ୍ପ ସଙ୍କଳନ "ନାରୀ ଏକ ଝୁଲନ୍ତା ତରବାରୀ" ଏହି ଅବସରରେ ଉନ୍ମୋଚିତ ହେବାସହ ଶ୍ରୀମତୀ ସେନାପତିଙ୍କୁ ଉପଢୌକନ, ପ୍ରଶଂସାପତ୍ର, ଉପେନ୍ଦ୍ରଭଞ୍ଜଙ୍କ ଫୋଟୋଚିତ୍ର ଏବଂ ସ୍ମୃତିଫଳକ ପ୍ରଦାନକରି ବିକ୍ଷିପ୍ତା ସାହିତ୍ୟ ପ୍ରତିଷ୍ଠାନ ସମ୍ମାନିତ କରାଯାଇଥିଲା ।

ଏହି ସାହିତ୍ଯ ସଭାରରେ ଏକକାଳୀନ ଅନୁଷ୍ଠିତ ହୋଇଥିବା ତିନୋଟି କବିତା ଆସରରେ କୃତିବାସ ବିଶ୍ବାଳ, ଦୀପ୍ତିମିତା ମହାପାତ୍ର ଏବଂ ଡ. ଲକ୍ଷ୍ମୀନାରାୟଣ ଦାଶ ସଭାପତିତ୍ବ କରିଥିଲେ । ବରିଷ୍ଠ କବୟିତ୍ରୀ ଅଞ୍ଜଳି ଦାଶ, କନ୍ଧମାଳ ଲେଖକ ସାମୁଖ୍ୟର ସଙ୍ଗଠନ ସମ୍ପାଦକ ପ୍ରସନ୍ନ ପଣ୍ଡା, ଭୁବନେଶ୍ବରର କବୟିତ୍ରୀ, ଗାଳ୍ପିକା ଏବଂ ସମାଜସେବୀ ରୋଜାଲିନି ସେନାପତି ଏବଂ କବି ବଂଶୀଧର ସେଠୀ କବିତା ଆସରରେ ଅତିଥିଭାବେ ଯୋଗଦେଇ ମାର୍ଗ ଦର୍ଶନ କରିଥିଲେ । ୧୮୦ ଜଣ କବୟିତ୍ରୀ ଏବଂ କବିଙ୍କ କବିତା ଗୁଡିକୁ ସୁଚେତା ପାଣିଗ୍ରାହୀ, ନୀହାରିକା ସାହୁ, ରାଇରଂଜନ ନନ୍ଦ ଓ ମାଧବ ବାଡ଼ତ୍ୟା ସଂଯୋଜନା କରିଥିଲେ ।

ଶେଷରେ ବିକ୍ଷିପ୍ତା ସାହିତ୍ୟ ପ୍ରତିଷ୍ଠାନ ପରିଚାଳନା ସମିତି ସଦସ୍ୟ ଵିଜୟ ଚନ୍ଦ୍ର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ବିକ୍ଷିପ୍ତା ସାହିତ୍ଯ ପ୍ରତିଷ୍ଠାନର ପ୍ରତିଷ୍ଠାତା ଏବଂ ସାଧାରଣ ସଂପାଦକ ଡ. ଶ୍ୟାମା ପ୍ରସାଦ ମିଶ୍ର ଏବଂ ବିକ୍ଷିପ୍ତା ସାହିତ୍ଯ ପ୍ରତିଷ୍ଠାନର ସମସ୍ତ କର୍ମକର୍ତ୍ତା ମାନେ ଏହି ସାହିତ୍ଯ ଆସରର ପରିଚାଳନାରେ ସହଯୋଗ କରି ଆସରକୁ ସଫଳତା ପ୍ରଦାନ କରିଥିଲେ ।