ହୋଟେଲରେ ଖାଇବା ସମୟରେ ଗଣ୍ଡଗୋଳ କରି ବନ୍ଧା ହେଲେ ଦୁଇ ଯୁବକ

ଭୁବନେଶ୍ବର, ୨/୭ : ହୋଟେଲରେ ଖାଇବା ସମୟରେ ବଚସା କରିବା ପଡ଼ିଲା ମହଙ୍ଗା । ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଦ୍ବୟ ହେଲେ ଅଭିଯୁକ୍ତ ଯଶୋବନ୍ତ ମହାରଣା ଓରଫ ଚନ୍ଦନ ଓ ସଂଦୀପ ବାଗ ଓରଫ ଚିକୁଙ୍କୁ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଛି ।
ସୂଚନା ଅନୁସାରେ, ରାଧାରଣୀ ବେହେରା ଓ ତାଙ୍କ ବାପା ବନମାଳୀ ବେହେରା ଉଭୟ ମିଶି ଜୟଦେବ ବିହାର ଠାରେ “ବନା ଢାବା” ନାମରେ ଏକ ହୋଟେଲ ବ୍ୟବସାୟ କରନ୍ତି । ଗତ ତା.୧୩.୦୬.୨୦୨୫ ରିଖ ରାତି ପ୍ରାୟ ୧୦ଟା ସମୟରେ ନିମ୍ନୋକ୍ତ ଦୁଇ ଅଭିଯୁକ୍ତ ଏବଂ ତାଙ୍କ ସହଯୋଗୀମାନେ ଉକ୍ତ ଢାବାରେ ରାତ୍ରି ଭୋଜନ କରୁଥିବା ଜଣେ ଗ୍ରାହକଙ୍କ ସହ ଝଗଡା କରିବା ସହ ତାଙ୍କୁ ମାଡ଼ ମାରିଥିଲେ ।
ଅଭିଯୋଗକାରିଣୀଙ୍କ ବାପା ଏଥିରେ ହସ୍ତକ୍ଷେପ କରିବାରୁ ଅଭିଯୁକ୍ତ ମାନେ ତାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ମାଡ଼ ମଧ୍ୟ ମାରିଥିଲେ । ଇତି ମଧ୍ୟରେ ଅଭିଯୁକ୍ତ ଚନ୍ଦନ ନିକଟରେ ଥିବା ଏକ ଘର ଭିତରୁ ଖଣ୍ଡା ଆଣି ଅଭିଯୋଗକାରିଣୀଙ୍କ ବାପାଙ୍କୁ ଜୀବନରୁ ମାରିଦେବା ଉଦ୍ଦେଶ୍ୟରେ ଆକ୍ରମଣ କରିଥିଲେ । ଉପସ୍ଥିତ କିଛି ଲୋକଙ୍କ ହସ୍ତକ୍ଷେପ ଫଳରେ ଅଭିଯୋଗକାରିଣୀଙ୍କ ବାପା ଏହି ମରଣାନ୍ତକ ଆକ୍ରମଣରୁ ବର୍ତ୍ତିଯାଇଥିଲେ । ଏହା ବ୍ୟତୀତ ଅଭିଯୁକ୍ତ ମାନେ ହୋଟେଲକୁ ପଥର ନିକ୍ଷେପ କରିବା ସହ ହୋଟେଲର କବାଟକୁ ଗୋଇଠା ମାରିଥିଲେ ଏବଂ ହୋଟେଲରେ ଥିବା ବିଭିନ୍ନ ସାମଗ୍ରୀ ସବୁକୁ ନଷ୍ଟ କରିଦେଇଥିଲେ । ଅଭିଯୋଗକାରିଣୀ ଜଣକ ଅଭିଯୁକ୍ତଙ୍କର ବିରୋଧ କରିବାରୁ ଅଭିଯୁକ୍ତ ମାନେ ତାଙ୍କୁ ମଧ୍ୟ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ସର୍ବ ସାଧାରଣରେ ଅପମାନିତ କରିଥିଲେ ।
ଅଭିଯୋଗ ଆଧାରରେ ପୁଲିସ ମାମଲାର ତଦନ୍ତ କରିବା ପୂର୍ବକ ବିଶ୍ଵସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାଇ ଚଢଉ କରି ଦୁଇ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ । ପଚରାଉଚରା ସମୟରେ ଉଭୟ ନିଜ ଅପରାଧ ସ୍ଵୀକାର କରିଥିଲେ । ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଜାରି ରହିଛି ।