ରାୟଗଡ଼ରେ ବର୍ଷା ବିତ୍ପାତ ; ଜନ ଜୀବନ ଅସ୍ତବ୍ୟସ୍ତ
ଭୁବନେଶ୍ବର, ୩/୧୦ : ଲଘୁଚାପ ଜନିତ ବର୍ଷା ବିତ୍ପାତରୁ ଜିଲ୍ଲାର ଅନେକ ସ୍ଥାନରେ ଭୁସ୍ଖଳନ ହେବା ସହ ରାସ୍ତା ଘାଟ ପୋଲ ଧୋଇ ହୋଇ ଯାତାୟତ ବାଧାପ୍ରାପ୍ତ ହୋଇଛି । ବର୍ଷା ପାଣି ପଶି ଅନେକ ଧନ ଜୀବନ ନଷ୍ଟ ହୋଇଛି। ଜିଲ୍ଲାର ରାୟଗଡ ବ୍ଲକ ଅନ୍ତର୍ଗତ ମାର୍ଲଭା ପଞ୍ଚାୟତ ପେକେଟ ଗାଁର ଚାଷ ଜମିରୁ ଫେରିବାବେଳେ ପାହାଡ ଧସି ପାଣି ମାଡି ଆସିବାରୁ ବାପ ପୁଅ କାର୍ତ୍ତିକ ଶବର ଓ ରାଜିକ ଶବର ଦୁଇ ଜଣ ନିଖୋଜ ଅଛନ୍ତି। ଗତକାଲି ରାତିରେ ଅନ୍ଧାର କାରଣରୁ ଉଦ୍ଧାର କାର୍ଯ୍ୟ ସମ୍ଭବ ପର ହୋଇପାରି ନ ଥିଲା। ଆଜି ସକାଳୁ ଅଗ୍ନିଶମ ବାହିନୀ ଓ ପୋଲିସ କର୍ମଚାରୀଙ୍କ ମିଳିତ ଉଦ୍ୟମରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ଘଟଣା ସମ୍ପର୍କରେ ଖବରପାଇ ଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ତୁରନ୍ତ ସହାୟତା ଯୋଗାଇଦେବା ସହ ସ୍ଥିତିର ଅନୁଧ୍ୟାନ ପାଇଁ ମନ୍ତ୍ରୀ ବିଭୁତି ଜେନାଙ୍କୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ। ସେପଟେ ଘଟଣାସ୍ଥଳର ଦୃଶ୍ୟ ଦେଖିଲେ ଛାତି ଥରି ଯାଉଥିବାବେଳେ ଯେଉଁ ଆଡେ ଦେଖିଲେ ବଡ ବଡ ପଥର , ମାଟି ଅତଡା ଆଉ କାଦୁଅ । ଚାଷ ଜମି , ନଦୀ , ରାସ୍ତା ସବୁ ଏକାକାର ହୋଇଛି, ଆଉ ତାରି ଭିତରେ ନିଖୋଜଙ୍କୁ ଖୋଜା ଚାଲିଛି । ଘଟଣାକୁ ୩୦ଘଣ୍ଟା ବିତିଥିବାବେଳେ ଖୋଜାଖୋଜିକୁ ୨୦ଘଣ୍ଟାରୁ ଅଧିକ ସମୟ ବିତିଲାଣି ତଥାପି କୈଣଶି ସନ୍ଧାନ ମିଳି ପାରିନାହିଁ ।
ସେହିଭଳି ମହେନ୍ଦ୍ରଗିରିର କଈଁପୁରଠାରୁ ବୁରୁଖତ ମଧ୍ୟରେ ପାହାଡ ଧସି ରାସ୍ତା ଅବରୋଧ ହୋଇଛି। ଫଳରେ ଗତକାଲି ଏମସ୍ରୁ ଆସିଥିବା ୧୫ରୁ ଅଧିକ ପର୍ଯ୍ୟଟକ ରାସ୍ତା ମଝିରେ ଫସି ରହିଥିବା ବେଳେ ଖବରପାଇ ବିଳମ୍ବିତ ରାତିରେ ବନ ବିଭାଗ ଓ ପୋଲିସ୍, ଅଗ୍ନୀଶମ କର୍ମଚାରୀ ପହଞ୍ଚି ଫସି ରହିଥିବା ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ବନ ବିଭାଗ ଅତିଥି ଭବନରେ ରଖିବା ସହ ସକାଳୁ ସ୍ବତନ୍ତ୍ର ଗାଡିରେ ପଠାଯାଇଛି। ରା ଉଦୟଗିରିଠାରୁ ରାମଗିରି ରାସ୍ତା ଧୋଇ ଯିବା ଫଳରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଗୁମ୍ମା ବ୍ଲକର ସେରଙ୍ଗ - ଅଜୟଗଡ ରାସ୍ତାର ଅଙ୍ଗେଡାଠାରେ ମାଟି ଅତଡ଼ା ଓ ବଡବଡ ଗଛପଡି ଦୀର୍ଘ ସମୟ ଧରି ରାସ୍ତା ଅବରୋଧ ହୋଇଥିବା ପ୍ରଶାସନ ପହଞ୍ଚି ରାସ୍ତା ସଫା କରାଯାଇଛି । ତରଙ୍ଗଡା ପଞ୍ଚାୟତର ଅଡରସିଂଠାରେ ରାସ୍ତା ଧୋଇ ହୋଇ ଗମନାଗମନ ବାଧାପ୍ରାପ୍ତ ହୋଇଛି । ପୁଣି ଆଶ୍ରୟଗଡ ଠାରୁ ବୁରୁଡିଂ ରାସ୍ତାରେ ଏକ ପୋଲ ଭାସିଯାଇ ଗମନାଗମନ ରେ ବାଧା ଉପୁଜୁଛି। ଏପଟେ ଗୋଷାଣୀ ବ୍ଲକର ମହେନ୍ଦ୍ର ତନୟା ନଦୀର ଜଳସ୍ତର ବୃଦ୍ଧି ପାଈ ନଦୀ କୂଳରେ ଥିବା ବାଘଶାଳା ଓ ବାପୁଜୀ ପେଣ୍ଠ ଗାଁ ଭିତରେ ନଦୀର ବଢିପାଣି ପଶିଥଲା ଫଳରେ ପ୍ରଭାବିତ ହୋଇଥିଲେ ଗ୍ରାମବାସୀ। କାଶୀନଗର ନିକଟରେ ବଂଶଧାରା ନଦୀରେ ଜଳସ୍ତର ବୃଦ୍ଧି ପାଇବା କାରଣରୁ କାଶୀନଗର ବିଜ୍ଞାପିତ ପରିଷଦ ଅଞ୍ଚଳର ତଳି ଅଞ୍ଚଳରେ ନଦୀ ପାଣି ପଶିଯାଇଥିଲା, ଅନେକ ଗାଁରେ ମଧ୍ୟ ପାଣି ପଶିଥିବା ବେଳେ ଚାଷଜମି ଜଳମଗ୍ନ ହୋଇଛି ।

Editor 


