ମାଲିରେ ୩ ଭାରତୀୟଙ୍କୁ ଅପହରଣ ଘଟଣା ; ଦଶହରାରେ ମୁକୁଳିଲେ ଗଞ୍ଜାମର ଭେଙ୍କଟ
ଭୁବନେଶ୍ବର,୪/୧୦ : ପଶ୍ଚିମ ଆଫ୍ରିକାର ମାଲିରେ ୩ଜଣ ଭାରତୀୟଙ୍କୁ ଗତ ପ୍ରାୟ ୩ମାସ ତଳେ ଏକ ଆତଙ୍କବାଦୀ ସଙ୍ଗଠନ ଅପହରଣ କରି ନେଇଥିଲା। ତନ୍ମଧ୍ୟରେ ଓଡ଼ିଶା ଗଞ୍ଜାମ ଜିଲ୍ଲା ସମରଝୋଳ ଗ୍ରାମର ପି.ଭେଙ୍କଟ ରମଣା (୨୮) ରହିଥିଲେ। ଶେଷରେ ଅପହରଣକାରୀଙ୍କ କବଳରୁ ଭେଙ୍କଟ ମୁକୁଳିଛନ୍ତି।
ଦଶହରାରେ ସେ ଘରକୁ ଫେରିଛନ୍ତି। ବର୍ତ୍ତମାନ ଭେଙ୍କଟ ମୁମ୍ବାଇରେ ରହୁଥିବା ତାଙ୍କ ସାନଭାଇ ପି. ସୁନୀଲଙ୍କ ସହିତ ଅଛନ୍ତି। ଭେଙ୍କଟଙ୍କ ମା’ ପି. ନାର୍ସାମ୍ମା ମଧ୍ୟ ସେଠାରେ ଅଛନ୍ତି। ପୁଅକୁ ସୁରକ୍ଷିତ ଅବସ୍ଥାରେ ଫେରି ପାଇଥିବାରୁ ମା’ ନାର୍ସାମ୍ମାଙ୍କ ଖୁସି କହିଲେ ନ ସରେ। ପୁଅକୁ ଫେରାଇ ଆଣିଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି।
ସମରଝୋଳ ଗ୍ରାମର ସ୍ବର୍ଗତ ପି.ନାରାୟଣଙ୍କ ପୁଅ ଭେଙ୍କଟ ମୁମ୍ବାଇ ସ୍ଥିତ ବ୍ଲୁ-ଷ୍ଟାର୍ ନାମକ ଏକ ଘରୋଇ କମ୍ପାନିରେ ପ୍ରାୟ ୭ମାସ ହେଲା କାମ କରୁଥିଲେ। କମ୍ପାନି ତରଫରୁ ତାଙ୍କୁ ପଶ୍ଚିମ ଆଫ୍ରିକାର ମାଲିରେ ଥିବା ଡାଇମଣ୍ଡ୍ ସିମେଣ୍ଟ୍ କମ୍ପାନିକୁ ପଠାଯାଇଥିଲା। ସେଠାରେ ଗତ ଜୁଲାଇ ୧ତାରିଖରେ ଅଲ୍କାଏଦା ସହ ସମ୍ପୃକ୍ତ ଏକ ଆତଙ୍କବାଦୀ ସଂଗଠନ ୩ଜଣ ଭାତରୀୟଙ୍କୁ ଅପହରଣ କରି ନେଇଥିଲା। ସେମାନଙ୍କ ମଧ୍ୟରେ ଭେଙ୍କଟ ରହିଥିଲେ। ଏହି ଘଟଣା ପରେ ମୁମ୍ବାଇ ସ୍ଥିତ ବ୍ଲୁ-ଷ୍ଟାର୍ କମ୍ପାନିରୁ ଜଣେ ଅଧିକାରୀ ଭେଙ୍କଟଙ୍କ ପରିବାରବର୍ଗଙ୍କୁ ଫୋନ୍ କରିଥିଲେ। ‘ମାଲିରେ କିଛି ଅଘଟଣ ହୋଇଛି, ଆପଣଙ୍କ ପୁଅ ସେଠାରେ ସୁରକ୍ଷିତ ଅଛନ୍ତି, ବ୍ୟସ୍ତ ହୁଅନ୍ତୁ ନାହିଁ’ ବୋଲି କହିଥିଲେ। ପରିବାରବର୍ଗ ତୁରନ୍ତ ଭେଙ୍କଟଙ୍କୁ କଲ୍ କରିଥିଲେ ହେଁ, ତାଙ୍କ ମୋବାଇଲ୍ ସ୍ବିଚ୍ଅଫ୍ ରହିଥିଲା। ଏ ନେଇ ଭେଙ୍କଟଙ୍କ ମା’ ପି.ନାର୍ସାମ୍ମା ହିଂଜିଳିକାଟୁ ଥାନାରେ ଲିଖିତ ଅଭିଯୋଗ କରିବା ସହିତ ପୁଅକୁ ଉଦ୍ଧାର ପାଇଁ ଜିଲ୍ଲା ପ୍ରଶାସନକୁ ନିବେଦନ କରିଥିଲେ।

Editor 


