ସମ୍ବଲପୁରୀ ଭାଷାକୁ ସରକାରୀ ମାନ୍ୟତା ପ୍ରସଙ୍ଗ ; ମୁଖ୍ୟମନ୍ତ୍ରୀ ଏବଂ ସଂସ୍କୃତି ମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ

ସମ୍ବଲପୁର, ୨୩/୩ : ପୂର୍ବତନ ମନ୍ତ୍ରୀ ତଥା ଜିଲ୍ଲା ବିଜେଡି ସଭାପତି ଇଂ ରୋହିତ ପୂଜାରୀଙ୍କ ନେତୃତ୍ୱରେ ସମ୍ବଲପୁର ସହର ଗୋଲବଜାର ଛକଠାରେ ସମ୍ବଲପୁର ବିଜୁ ଜନତା ଦଳ ପକ୍ଷରୁ ଓଡ଼ିଶା ସରକାରଙ୍କ ଭାଷା ଓ ସଂସ୍କୃତି ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ ବିଧାନସଭାରେ ଦେଇଥିବା ମନ୍ତବ୍ୟ "ସମ୍ବଲପୁରୀ/ କୋଶଳୀ ଭାଷାକୁ ସରକାରୀ ମାନ୍ୟତା ଦେବା ସରକାରଙ୍କ ପ୍ରସ୍ତାବ ନାହିଁ" ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ଏବଂ ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଇଂ ପୂଜାରୀ କହିଛନ୍ତି ଯେ, ସମ୍ବଲପୁରୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଛେଦରେ ସାମିଲ କରିବା ଏବଂ ସରକାରୀ ମାନ୍ୟତା ଦେବା ପାଇଁ କୌଣସି ପ୍ରସ୍ତାବ ରାଜ୍ୟ ସରକାରଙ୍କ ପକ୍ଷରୁ ନ ଥିବା ଦୁର୍ଭାଗ୍ୟଜନକ। ସମ୍ବଲପୁରୀ ଭାଷା ଏବଂ ସଂସ୍କୃତି ହେଉଛି ସମୃଦ୍ଧ ସଂସ୍କୃତି ଯାହା କି ବିଶ୍ଵ ଦରବାରରେ ସୁପରିଚିତ। ଓଡ଼ିଶାର ଅର୍ଦ୍ଧଭାଗରେ ସମ୍ବଲପୁରୀ ଭାଷା ବହୁଳ ମାତ୍ରାରେ ପ୍ରଚଳିତ l
ପଶ୍ଚିମ ଓଡିଶାର ୨ କୋଟି ଲୋକ ଏହି ଭାଷାକୁ ବ୍ୟବହାର କରୁଛନ୍ତି l ଏହାସହ ଓଡ଼ିଶା ସୀମାନ୍ତ ଛତିଶଗଡ଼ ଏବଂ ଝାରଖଣ୍ଡର ଅନେକାଂଶରେ ସମ୍ବଲପୁରୀ ଭାଷା ଭଲ ଭାବରେ ପ୍ରଚଳିତ। ବିଗତ ସରକାର ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବଲପୁରୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିବା ପାଇଁ କେନ୍ଦ୍ରକୁ ପ୍ରସ୍ତାବ ଦେଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା l କିନ୍ତୁ ବର୍ତ୍ତମାନ ଡବଲ ଇଞ୍ଜିନ ସରକାରର ସମୟ, ଯଦି ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ଚାହିଁବେ ତା ହେଲେ ସମ୍ବଲପୁରୀ ଭାଷାକୁ ସରକାରୀ ମାନ୍ୟତା ଏବଂ ଅଷ୍ଟମ ଅନୁଛେଦରେ ସାମିଲ କରିବା କାଠିକର ପାଠ ନୁହେଁ। ବିଧାନସଭାରେ ମାନ୍ୟବର ଭାଷା, ସାହିତ୍ୟ ସଂସ୍କୃତି ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ ଜଣାଇଥିଲେ ଯେ ସମ୍ବଲପୁରୀ ଭାଷାକୁ ସରକାରୀ ଭାଷାର ମାନ୍ୟତା ଦେବା ସମ୍ବନ୍ଧରେ ସରକାରଙ୍କ କୌଣସି ପ୍ରସ୍ତାବ ନାହି, ଏହା ସମଗ୍ର ପଶ୍ଚିମ ଓଡ଼ିଶାର ଜନସାଧାରଣଙ୍କ ଭାବାବେଗକୁ ଆଘାତ ଦେଇଛି, ସେମାନେ ଆମ ଅସ୍ଥିତ୍ୱ ଓ ପରିଚୟ ସହ ଖେଳୁଛନ୍ତି l
ଏଥିରୁ ସ୍ପଷ୍ଟ ଭାବରେ ଜଣାପଡ଼ୁଛି ଯେ ରାଜ୍ୟ ସରକାରଙ୍କ ପଶ୍ଚିମ ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ରହିଛି। ଦେଖିବାକୁ ଗଲେ ପଶ୍ଚିମ ଓଡ଼ିଶାରୁ ବିଜେପି ବିଧାୟକ ତଥା ଜନପ୍ରତିନିଧି ମାନେ ବିଗତ ସାଧାରଣ ନିର୍ବାଚନ ସମୟରେ ଅନ୍ୟଦଳ ତୁଳନାରେ ଅଧିକ ନିର୍ବାଚିତ ହୋଇଛନ୍ତି। ଏହା ସହ ସରକାରୀ ଦଳର ମନ୍ତ୍ରୀ ଏବଂ ବିଧାୟକଙ୍କ କଥାରେ ତାଳମେଳ ନ ରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ l ମନ୍ତ୍ରୀ ବିଧାନସଭାରେ ଗୋଟିଏ ଉତ୍ତର ରଖୁଥିବା ବେଳେ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ସେ କିଛି ଜାଣି ନାହାନ୍ତି କହିବା ଚିନ୍ତାଜନକ। ସମ୍ବଲପୁର ବାସୀ, ସରକାରୀ ଦଳ ଏବଂ ନିଜ ବିଧାୟକଙ୍କୁ ବାଛିଛନ୍ତି ନିଜ କାମ ହାସଲ କରିବା ପାଇଁ l ଯଦି ଲୋକଙ୍କ କାମ କରିବାରେ ବିଧାୟକ ଅସମର୍ଥ ଆଉ ସରକାର ସରକାରୀ ଦଳର ବିଧାୟକଙ୍କ କଥାକୁ ହିଁ ଗୁରୁତ୍ବ ଦେଉନାହାନ୍ତି,ତାହେଲେ ସେ ଇସ୍ତଫା ଦେଇଦେବା ଉଚିତ୍ ହେବ। ସରକାର ଏବଂ ସରକାରୀ ଦଳର ମନ୍ତ୍ରୀ ଓ ବିଧାୟକ ମାନେ ଯେଉଁ ଡ୍ରାମା ଚଲେଇଛନ୍ତି ନିଜେ ଭୂତ ହୋଇକି ଲାଗୁଛନ୍ତି ଅନ୍ୟପଟେ ନିଜେ ଗୁଣିଆ ହୋଇକି ଛଡାଉଛନ୍ତି l
ତାହା ତୁରନ୍ତ ବନ୍ଦ କରି କିଭଳି ଭାବରେ ସମ୍ବଲପୁରୀ ଭାଷାକୁ ସରକାରୀ ମାନ୍ୟତା ମିଳିବ ଏବଂ ସମ୍ବଲପୁରୀ ଭାଷା ସମ୍ବିଧାନର ଅଷ୍ଟମ ଅନୁଛେଦରେ ସାମିଲ ହେବ ସେ ଦିଗରେ ଚିନ୍ତା କଲେ ଭଲ ହେବ ବୋଲି ଇଂ ରୋହିତ ପୂଜାରୀ ଦାବୀ କରିଛନ୍ତି।