ଦେବୀ ଦୁର୍ଗା

ଶରତ ଋତୁର ଆଗମନରେ ଆଶ୍ୱିନ ମାସ ଶୁକ୍ଳ ପକ୍ଷରେ ମା' ଦୁର୍ଗା ଧରା ପୃଷ୍ଠରେ ପଦାର୍ପଣ କରନ୍ତି।ମା'ଙ୍କ ଆଗମନରେ ସାରା ସଂସାର ଉଲ୍ଲସିତ ହୋଇଉଠେ।ଚତୁର୍ଦ୍ଦିଗ ରେ ଆନନ୍ଦ ଉଲ୍ଲାସ ଖେଳି ଯାଏ। ଏହି ବର୍ଷ ବି ଦଶହରା ପାଇଁ ସବୁ ଆଡ଼େ ଆୟୋଜନ ଚାଲିଛି। ଏହାକୁ ପାଳିବା ପାଇଁ କଟକ ସହର ଏକ ନବ ବଧୁ ଭଳି ସଜେଇ ହୋଇଛି। ଚାରିଆଡ଼େ ଆଲୋକ ହିଁ ଆଲୋକ। କେତେ ବଡ଼ ବଡ଼ ତୋରଣ ସବୁ ତିଆରି ହୋଇଛି। ସହର ଯାକ ଚାନ୍ଦୀ ମେଢ଼। କାହିଁ କେତେ ଦୁରୁ ଲୋକେ ଧାଇଁ ଆସିଛନ୍ତି ଦେଖିବା ପାଇଁ। ସହର ଯାକ ଛକ ଛକ ରେ ମେଳା ଲାଗିଛି। କଟକ ପ୍ରସିଦ୍ଧ ଦହିବରା ଆଳୁଦମ୍, ଚାଟ୍, ଗୁପ୍ ଚୁପ୍, ଆଇସ୍ କ୍ରିମ, ଖେଳନା ଆଦିର ପସରା ମେଲି ଯାଇଛି। ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଏ ଆୟୋଜନ କରାଯାଇଛି। ଲୋକଙ୍କ ସୁଅ ଛୁଟିଛି ଚାନ୍ଦୀ ମେଢ଼ ସାଙ୍ଗକୁ ମା ଦୁର୍ଗା ଙ୍କ ଦର୍ଶନ କରିବେ। ସହର ବୁଲିବେ, ଆନନ୍ଦ ଅନୁଭବ କରିବେ।
ଏହି ସମୟରେ ଚାନ୍ଦିନୀ ଚୌକ୍ ଠାରେ ଦୂର୍ଗା ଘର ସାମନା ପଡ଼ିଆରେ ଛୋଟ ମେଳା ଟିଏ ହୁଏ। ଦେଖିବାକୁ ଭାରି ଭଲ ଲାଗେ। ଲୋକ ଧାଡ଼ି ଧାଡ଼ି ହୋଇ ମା ଙ୍କୁ ଦର୍ଶନ କରିବା ପାଇଁ ଭିଡ଼ ଲାଗି ଥାଏ। କିଏ କେତେ କଣ ଆଶା ନେଇ ମା' ଙ୍କୁ ମନାସି ମାନସିକ କରୁଛି। କିଏ କେତେ ଫଳ ମୂଳ, ଧୂପ ଦୀପ, ନୈବେଦ୍ୟ ଦେଇ ମା ଙ୍କ ପୁଜା ଅର୍ଚ୍ଚନା କରୁଛି। ସମସ୍ତେ ମା' ଙ୍କୁ ଦର୍ଶନ କରିବା ପାଇଁ ବ୍ୟସ୍ତ। କିନ୍ତୁ ମା' ଙ୍କ ସମ୍ମୁଖରେ ଦୂର୍ଗା ଘର ବାହାରେ ମା ଟି ବସିଛି। କୋଳରେ କୁନି ପୁଅଟିକୁ ଧରିଛି। ପାଖରେ ଦୁଇ ବର୍ଷର ଝିଅଟି ବସିଛି। ମା କାହାକୁ ଭିକ୍ଷା ମାଗୁନି, କିଛି କହୁନି କେବଳ ବଲ ବଲ ହେଇ ଲୋକଙ୍କୁ ଚାହୁଁଛି ତ ପୁଣି ଟିକେ ମା' ଦୁର୍ଗାଙ୍କୁ ଚାହୁଁଛି। କୁନି ପୁଅଟି ମା କୋଳରେ ଶୋଇ ପଡ଼ିଛି। ଝିଅ ଟି ଲୋକଙ୍କୁ ଚାହୁଁଛି ।ବେଳେ ବେଳେ ତା ମା' କୁ କହୁଛି ଖାଇବା ବୋଲି। ଏତେ ଲୋକ ସେଇ ବାଟ ଦେଇ ଯାଉଛନ୍ତି। କେମିତି କାହାରି ଦୃଷ୍ଟି ପଡ଼ୁନି। କେହିବି ଆହା ପଦେ କହୁ ନାହାଁନ୍ତି। ମା' ଦୂର୍ଗା ଙ୍କୁ ଦର୍ଶନ କରିବା ପାଇଁ କେତେ ମା' ମାନଙ୍କର ସୁଅ ଛୁଟିଛି। କିନ୍ତୁ ଏଇ ଅଭାଗି ମାଆ କୁ କେମିତି କେହି ଦେଖି ପାରୁ ନାହାଁନ୍ତି। ମା ତ ମାଆ ର କଷ୍ଟ ବୁଝି ପାରେ। ମା ଟି ସାତ ସିହଁ।ଲୁଗା ଖଣ୍ଡେ ପିନ୍ଧିଛି। ତା ପିଲା ଦୁଇଟି ଅତି ମଇଳା ପୋଷାକ ପିନ୍ଧିଛନ୍ତି। ମନେ ହେଉଛି ଦୁଇ ତିନି ଦିନ ହେବ ସେମାନେ କିଛି ଖାଇ ନାହାଁନ୍ତି। ମୁହଁ ଶୁଖି ଯାଇଛି। ସହୃଦୟ ବ୍ୟକ୍ତି କେହି ଜଣେ ପାଞ୍ଚ ଟଙ୍କିଆ ବିସ୍କୁଟ ପ୍ୟାକେଟ ଟି ମା ହାତକୁ ବଢ଼େଇ ଦେଲେ। ବିଚାରି ମା ସେଇ ବିସ୍କୁଟ କୁ ତା କୁନି ଝିଅ ହାତରେ ଦେଲା। ଝିଅ ଟି ବିସ୍କୁଟ ପ୍ୟାକେଟ ଟି ଖୋଲି ନ ପାରି, ତାକୁ ଚାଟୁଛି। କିଛି ସମୟ ପରେ ତା ମା ବିସ୍କୁଟ ଖୋଲି ଦେବା ପରେ ଝିଅର ଆନନ୍ଦ କହିଲେ ନ ସରେ। ସେ ଖୁସିରେ ଖାଉଛି। କେହି ଛୁଆଟିକୁ ଫଳ ଟିଏ ଯାଚୁ ନାହାଁନ୍ତି। କେତେ କଣ ଭୋଗ କରି ବୋହି ନେଉଛନ୍ତି।କେହି ପଚାରୁ ନାହାଁନ୍ତି ଖାଇଛୁ କି ନାହିଁ ବୋଲି। କେତେ ଭୋଗ ଲାଗୁଛି ମା ଙ୍କ ପାଖରେ ହେଲେ କେହି ଆଣି ଏ ଛୁଆଙ୍କୁ ଦେଉ ନାହାଁନ୍ତି। ସେଇଠି ପିଲାମାନେ ଦୋଳି ଖେଳୁଛନ୍ତି। ଆଇଶ୍ କ୍ରିମ ଖାଉଛନ୍ତି। ରଙ୍ଗ ବେରଙ୍ଗର ପୋଷାକ ପିନ୍ଧି ସେଇ ବାଟରେ ଯିବା ଆସିବା କରୁଛନ୍ତି। ଝିଅଟି ସମସ୍ତଙ୍କୁ ଚାହୁଁଛି। ସିଏ କିଛି ବୁଝି ପାରୁନି। ବେଳେ ବେଳେ ମା କୁ କହୁଛି ଖେଳନା କିଣିବ, ପୁଣି କେତେବେଳେ ଦୋଳି ଦେଖେଇ କହୁଛି ଦୋଳିରେ ଝୁଲିବ ବୋଲି, ପୁଣି କେତେବେଳେ ମା କୁ କଣ୍ଢେଇ ଦେଖେଇ କହୁଛି ତାକୁ ଦେବା ପାଇଁ।ମା ବା କଣ କରିବ,ବିକଳରେ ଚାହିଁଛି। କାହାକୁ ଚାହିଁଲେ ବି କେହି ତା ଆଡ଼କୁ ଚାହୁଁ ନାହାଁନ୍ତି କି ସାହାଯ୍ୟର ହାତ ବଢ଼ାଉ ନାହାଁନ୍ତି।
କିନ୍ତୁ ମା, ଦୁର୍ଗା ମା ଙ୍କୁ ଚାହିଁଛି। ପ୍ରଶ୍ନ ବାଚି ଆଖିରୁ ଧାର ଧାର ଲୁହ ବୋହି ଯାଉଛି। ସେ ମା ଙ୍କୁ ପଚାରୁଛି। ମା ମୋ ସ୍ୱାମୀ ଙ୍କୁ ନେଇ ଗଲୁ। ମତେ ଏ ସଂସାରରେ ସମ୍ପୂର୍ଣ୍ଣ ଏକୁଟିଆ କରିଦେଲୁ। କୋଳରେ ଦୁଇଟି ଛୁଆଙ୍କୁ ଦେଇଛୁ। କାହିଁକି ମା ମତେ ଏତେ ଅସମର୍ଥ କରିଛୁ ଯେ ମୁଁ ତାଙ୍କ ମୁହଁ ରେ ଅନ୍ନ ମୁଠାଏ ଦେଇ ପାରୁନି। ତତେ ବିଶ୍ବାସ କରିଛି। କେତେ ଆଶାରେ ତୋ ସାମନାରେ ବସିଛି। ତୁ କେମିତି ଧୈର୍ଯ୍ୟ ଧରି ମୋ କଷ୍ଟକୁ ଦେଖୁଛୁ। ତୁ ପରା ଦୁର୍ଗତି ନାଶିନୀ। ତତେ ମୁଁ ଆଶ୍ରା କରିଛି। ତୁ ମୋ ଦୁଃଖ ଦୁର୍ଦ୍ଦଶା ଦୁର ନକଲେ ଆଉ କିଏ କରିବ କହ। ତୁ ଜଗତ ଜନନୀ। ତୁ ମୋ ମାଆ। ସଂସାରରେ କେହି ଜାଣି ପାରୁ କି ନପାରୁ ମା ଆଗ ତା' ପିଲା କଥା ଜାଣି ପାରେ। ତା ମନ ବୁଝି ପାରେ। ମା ତୁ କେମିତି ମୋ କଥା ଜାଣି ପାରୁନୁ। ତତେ ମୁଁ କିଛି ମାଗି ନଥିଲି। ତୁ ତ ସବୁ ଦେଇଥିଲୁ। ପୁଣି ଛଡ଼େଇ ନେଲୁ। ମତେ ସର୍ବହରା କଲୁ। ମୋ ପିଲାଙ୍କୁ ଅନାଥ କଲୁ। କଣ ପାଇଁ ମା, ମୁଁ କି ଦୋଷ କରିଥିଲି। ମୋ କର୍ମ କଣ ଏତେ ଖରାପ। କାହାର କେତେ ଦୁଃଖ ଶୁଣୁଛୁ। ଦୁଃଖ ଲାଘବ କରୁଛୁ। କିନ୍ତୁ ମା ମୋ ପ୍ରତି କାହିଁକି ତୁ ବିମୁଖ। ମୁଁ ତୋ ଚରଣାଶ୍ରିତ। ତୁ ମତେ ରଖିଲେ ରଖିବୁ ମାରିଲେ ମାରିବୁ। ମୋର ଅନ୍ୟ ଗତି ନାହିଁ। ଜଗତ ଯାକରେ ହୁରି ପଡ଼ୁଛି ମା ତୁ ନ୍ୟାୟ ଦାତ୍ରୀ, ଦୟାମୟୀ, କରୁଣା ମୟୀ, ଶକ୍ତିର ଆଧାର । ତୁ ସର୍ବତ୍ର ବିଦ୍ୟମାନ। ତୁ ଥାଉ ଥାଉ ମା ମୁଁ ଆଉ ମୋ ପିଲାମାନେ କେମିତି ଅନାଥ ହେବା। ତୁ ପରା ମା'......,......। ତତେ ଏ ସଂସାର ଲାଗିଲା।
ଅଧ୍ୟାପିକା କୃଷ୍ଣପ୍ରିୟା ବେହେରାଅ
ର୍ଥନୀତି ବିଭାଗ
ଈମର୍ତ୍ତୀ ଦେବୀ ମହିଳା ମହାବିଦ୍ୟାଳୟ
କଟକ
ମୋ: ୯୯୩୭୪୩୪୯୨୨