ଓଡ଼ିଆ ସିନେମା ଓ ଡିଜିଟାଲ ମିଡ଼ିଆ

ଓଡ଼ିଆ ସିନେମା ଓ ଡିଜିଟାଲ ମିଡ଼ିଆ

ଓଡ଼ିଆ ସିନେମା ଶିଳ୍ପ । ହାତ ଗଣତି ଆଉ କେତେ ବର୍ଷ ପରେ ୧୦୦ବର୍ଷରେ ପଦାର୍ପଣ କରିବ । ବୟସ ବଢୁଛି ଦୁର୍ନାମ ସହ ସୁନାମ ବି ପାଉଛି । ପୂର୍ବାପେକ୍ଷା ଭଲ ସିନେମା ବି ଆସିବାରେ ଲାଗିଛି । ମାତ୍ର ଓଡ଼ିଆ ଦର୍ଶକଙ୍କ ମନରେ ସେହି ୮୦ଦଶକର ସିନେମା ଆଜି ବି ଘର କରି ରହିଯାଇଛି । ଏବେ ବି ପଚାରିଲେ ମୁହଁରେ ବାହାରୁଛି ସେବେକାର ଫିଲ୍ମର ନାଁ । ଯେପରିକି ଦଣ୍ଡା ବାଳୁଙ୍ଗା, ଅଲିଭା ଦାଗ, ଅନୁରାଧା, ଉଲକା ଏଭଳି କେତେକ ନାଁ ପ୍ରଥମେ ଆସିବ । ସେହିଭଳି ଏବେର ଯୁବ ପିଢୀଙ୍କୁ ପଚାରିଲେ ସେମାନଙ୍କ ମୁହଁରେ ନବେ ଦଶକର ଫିଲ୍ମ ନାଁ ପ୍ରଥମେ ଆସୁଛି ନ ହେଲେ କାଁ ଭାଁ ବିଂଶ ଶତାଦ୍ଦୀର ପ୍ରାରମ୍ଭରେ ଆସିଥିବା ଫିଲ୍ମର ନାଁ କହିବେ । କିନ୍ତୁ ଏବେ ର ଫିଲ୍ମ ନାଁ ଯେମିତି ମନେ ପଡ଼ୁ ନାହିଁ କିମ୍ବା ମନେ ରଖିବାକୁ ଚାହୁଁନାହାନ୍ତି । ଇଣ୍ଡଷ୍ଟ୍ରିରେ କାମ କରୁଥିବା ବ୍ୟକ୍ତିଙ୍କ ମଧ୍ୟରେ ଅନେକ ତିକ୍ତତା ଦେଖାଯାଉଛି । କାହା ମନରେ କେତେ କଥା । ନିଜ ଫିଲ୍ମକୁ ନେଇ ସମସ୍ତେ ଚିନ୍ତିତ । କେମିତି କ’ଣ କରି ନିଜ ଫିଲ୍ମର ପ୍ରମୋଶନ ହୋଇଯାଉ । ଅନ୍ୟ କାହାର ଫିଲ୍ମ ପ୍ରମୋଶନ ହେଲେ ଖୁସି ନ ହେଲେ ନାହିଁ । ତେବେ ପ୍ରମୋଶନ କଥା ଯେତେବେଳେ ଆମ ମନକୁ ଆସିଲା ଏବେର ପ୍ରମୋଶନ ଉପରେ କିଛି ଆଲୋଚନା କରିବାକୁ ଭାବିଲି । କ’ଣ ପାଇଁ ଲୋକେ ଆଉ ମନେ ରଖିବାକୁ ଚାହୁଁନାହାନ୍ତି ଓଡ଼ିଆ ସିନେମାର ନାଁକୁ । 

ପ୍ରମୋଶନ । ଏହା ଏଭଳି ଏକ ଶଦ୍ଦ ଯାହାକୁ ନେଇ ଆମେ ଅନେକ ବାଟ ଆଗକୁ ଯାଇପାରିବା । ପୂର୍ବ କଥା ଯଦି କହିବା ତେବେ ଫିଲ୍ମର ପ୍ରମୋଶନ ପାଇଁ ଅନେକ ଅର୍ଥ ଖର୍ଚ୍ଚ ସହ ଭିନ୍ନ ଭିନ୍ନ ଅନ୍ଦାଜରେ କରାଯାଉଥିଲା । ଯେମିତି କି ପ୍ରତି ଗାଁରେ ରିକ୍ସା ମାଧ୍ୟମରେ ଫିଲ୍ମର ପ୍ରଚାର ବି ଆମ ମନରେ ଏବେ ବି ଘର କରି ରହିଛି । ପ୍ରତ୍ୟେକ ଗାଁ ଛକ ହେଉ କିମ୍ବା ବିଭିନ୍ନ କାନ୍ଥରେ ବି ପୋଷ୍ଟର ଦେଖିବାକୁ ମିଳେ । କିନ୍ତୁ ଏବେ ସେଭଳି ଦେଖାଯାଉନାହିଁ । ଆମେ ଏବେ ବିଭିନ୍ନ କଣ୍ଟେ୍ରାଭର୍ସିକୁ ଆଳ କରି ଫିଲ୍ମର ପ୍ରମୋଶନ ଦିଗକୁ ଲକ୍ଷ୍ୟ ରଖୁଛୁ । ଏହି ଟ୍ରେଣ୍ଡ ପ୍ରାୟତ କରୋନା ପରେ ପରେ ଆସିଛି କହିଲେ ଅତ୍ୟୁକ୍ତି ହେବ ନାହିଁ । କରୋନା ପରେ କିଛିମାତ୍ରାରେ ଭଲ ଓଡ଼ିଆ ସିନେମା ଆସିଛି । କିନ୍ତୁ କହିପାରିବାନି ଯେ ଖରାପ ସିନେମା ଆସିନାହିଁ । ଖରାପ ଓ ଭଲ ତ ଲାଗି ରହିବ । ମାତ୍ର ଏହାରି ଭିତରେ ଆମ ଇଣ୍ଡଷ୍ଟ୍ରିରେ ପୂର୍ବାପେକ୍ଷା ଫିଲ୍ମର ସଂଖ୍ୟା ବି ଅଧିକ ହୋଇଛି । ଯାହା ବେଶ ଖୁସିର ବିଷୟ । କିନ୍ତୁ ସବୁଠୁ ଚିନ୍ତାର ବିଷୟ ପାଲଟିଛି ଫିଲ୍ମ ପ୍ରମୋଶନ । ଯେଉଁଥିପାଇଁ ପ୍ରତ୍ୟେକ ସମୟରେ ଏହି ବିଷୟକୁ ନେଇ ଆଲୋଚନା ସମୟରେ ପ୍ରଥମେ ବଜେଟର ଆଳ ଦେଖାଇ ସମେସ୍ତ ଖସି ଯିବାକୁ ଚେଷ୍ଟା କରିଥାନ୍ତି । କୁହନ୍ତି ଏବେ ଏହା ପାଇଁ ବଜେଟ ନାହିଁ । ପୂର୍ବରୁ ମଧ୍ୟ କପି ସିନେମା ଆସିଛି ଏବେ ବି ଆସୁଛି । ଏହା ଜାରି ରହିବ । ତଥାପି ମୌଳିକ ସିନେମା ଆସୁଛି । ହେଲେ ପ୍ରମୋଶନ କ୍ଷେତ୍ରରେ ଏବେ ଯେମିତି ଓଡ଼ିଆ ସିନେମାକୁ ଡିଜିଟାଲ ମିଡ଼ିଆ ଭରସା ସାଜିଛି । ଡିଜିଟାଲରେ କଣ୍ଟେ୍ରାଭର୍ସି କରି ଫିଲ୍ମର ନାଁକୁ ଆଗକୁ ଆଣିବା ଏବେ ଯେମିତି ମାଧ୍ୟମ ସାଜିଛି ।

ଅଭିନେତା – ଅଭିନେତ୍ରୀମାନେ ଆଜିର ଡିଜିଟାଲ ଯୁଗରେ ନିଜ ଫିଲ୍ମକୁ ପ୍ରମୋଶନ କରିବାକୁ ୟୁଟ୍ୟୁବରେ ବ୍ୟସ୍ତ ରହୁଛନ୍ତି । ଏହା ଯେମିତି ଏବେ ଏକମାତ୍ର ଭରସା ପାଲଟିଛି । ସେମିତି କି ଏବେ ସମସ୍ତଙ୍କ ହାତରେ ମୋବାଇଲ୍ । ହାତ ପାହାନ୍ତାରେ ସାରା ବିଶ୍ବର ଖବର । କିନ୍ତୁ ଓଡ଼ିଆ ସିନେମାର ପ୍ରମୋଶନ ପାଇଁ ଏବେ ଯେମିତି ୟୁଟ୍ୟୁବ ହିଁ ଭରସା ପାଲଟିଛି । ରାତାରାତି କୌଣସି ପ୍ରସଙ୍ଗକୁ ନେଇ କଣ୍ଟେ୍ରାର୍ଭସି କର ଆଉ ତା’ପରେ ବାକ୍ ବିତଣ୍ଡା କରି ଫିଲ୍ମର ନାମକୁ ଆଗକୁ ଆଣ । ଏହା ହିଁ ଏକମାତ୍ର ସାହା ଭରସା ପାଲଟିଛି । ଏହା ବି ସମସ୍ତଙ୍କୁ ଏକ ପ୍ରକାର ସୁହାଉଛି । କିନ୍ତୁ ପୂର୍ବ ଭଳି ପ୍ରମୋଶନ ହେଉଥିବା ନଜରକୁ ଆସୁନାହିଁ । କେବଳ ଯୁବ ପିଢୀଙ୍କ ପାଖରେ ପହଞ୍ଚିବାକୁ ଏବେ ଡିଜିଟାଲ ପ୍ଲାଟଫର୍ମ ହିଁ ଏକ ମାତ୍ର ସାହାରା ପାଲଟିଛି । ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା । କାହିଁକି ନୂଆ ଫିଲ୍ମ ଲୋକଲୋଚନକୁ ଆସୁନାହିଁ । କେବେ ଫିଲ୍ମ ରିଲିଜ ହେଉଛି ଏବଂ କେବେ ତାହା ହଲରୁ ପଳାଉଛି ତାହା କେବଳ ଫିଲ୍ମର କ୍ର୍ୟୁ ମେମ୍ବରଙ୍କ ବ୍ୟତୀତ ଆଉ କହା ପାଖରେ ଅପଡେଟ୍ ରହୁନାହିଁ । ଏହା ଚିନ୍ତାର ବିଷୟ ପାଲଟିଛି । ସମସ୍ତଙ୍କ ମନରେ ଏହାକୁ ନେଇ ଏବେ ଗୋଟିଏ ପ୍ରଶ୍ନ କେବେ ପୁଣି ପ୍ରମୋଶନ ପାଇଁ ରହିବ ସମ୍ପୂର୍ଣ୍ଣ ବଜେଟ । ନାଁ କେବଳ କଣ୍ଟେ୍ରାଭର୍ସି ହିଁ ମାଧ୍ୟମ ସାଜିବ ଓଡ଼ିଆ ସିନେମାର ପ୍ରମୋଶନ ପାଇଁ । କେତେକ ଫିଲ୍ମକୁ ଛାଡ଼ି ଦେଲେ ଅନ୍ୟ ସବୁ ସିନେମା ୟୁଟ୍ୟୁବରେ ହିଁ ରହିଯାଉଛି । ପ୍ରକୃତ ଓଡ଼ିଆ ସିନେମା ପ୍ରେମୀଙ୍କ ପାଖରେ ପହଞ୍ଚୁ ନାହିଁ ଓଡ଼ିଆ ସିନେମାର ନାମ । ଯାହା ଏବେ ଅନୁଶୀଳନର ବେଳ । ଏମିତି ନ ହେଉ କି ଆମେ ୟୁଟ୍ୟୁବ ପ୍ରେମରେ ପଡ଼ି ଦର୍ଶକଙ୍କଠାରୁ ଦୂରେଇ ଯିବା । ମନା କରୁନି କି ଫିଲ୍ମ ପ୍ରମୋଶନ ପାଇଁ ଅଭିନେତା ଅଭିନେତ୍ରୀମାନେ ଜୋରସୋର ଝାଳ ବୁହାଉଛନ୍ତି । କିନ୍ତୁ ହାତ ଗଣତି କେତେ ଜଣଙ୍କୁ ଛାଡ଼ି ଦେଲେ ଅନ୍ୟମାନେ ୟୁଟ୍ୟୁବ, ଫେସବୁକ, ଇନଷ୍ଟାଗ୍ରାମ ଭରସାରେ ରହିଯାଉଛନ୍ତି । ନ ହେଲେ ସର୍ବ ଶେଷରେ କିଛି କଣ୍ଟେ୍ରାଭର୍ସି ହିଁ ଏକମାତ୍ର ଭରସା ସାଜୁଛି । 

ଆପଣଙ୍କ କଥାକାର 

ଗୁରୁପଦ ନାଥ

୮୯୦୮୮୩୪୭୩୪