ନୂଆପଡ଼ା ଉପନିର୍ବାଚନ : କମୁଛି ନବୀନଙ୍କ କ୍ରେଜ୍ !
ଭୁବନେଶ୍ବର,୧୫/୧୧ : କମୁଛି ନବୀନଙ୍କ କ୍ରେଜ୍ ! ଏହି ପ୍ରଶ୍ନ ଏବେ ସାରା ରାଜ୍ୟର ବିଜେଡି କର୍ମୀଙ୍କ ମନରେ ଉଙ୍କି ମାରୁଛି । ଗତକାଲିର ନୂଆପଡ଼ା ନିର୍ବାଚନରେ ବିଜେଡି ପରାଜୟ ହୋଇନି ବରଂ ପ୍ରଥମ ସ୍ଥାନରୁ ତୃତୀୟ ସ୍ଥାନକୁ ନିଜର ରାଙ୍କ୍ କମେଇଛି । ଦୁଇ ଦୁଇ ଥର ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନୂଆପଡ଼ା ଉପନିର୍ବାଚନ ମଇଦାନରେ ଓହ୍ଲାଇଥିଲେ । ମାତ୍ର ଭୋଟରେ ପରିଣତ ହେଲାନି । ଏଥିରୁ ସ୍ପଷ୍ଟ ଅନୁମେୟରେ ନବୀନଙ୍କ କ୍ରେଜ୍ ଧିରେ ଧିରେ କମିବାରେ ଲାଗିଛି ।
ନୂଆପଡ଼ା ବିଧାନସଭା ଉପନିର୍ବାଚନରେ ଚାଲିଲା ମୋହନ ମ୍ୟାଜିକ୍। ଉପନିର୍ବାଚନରେ ବିଜେଡିକୁ ଶକ୍ତ ଧକ୍କା ଲାଗିଛି। ଦଳ କେବଳ ଏଠାରେ ପରାଜିତ ହୋଇନି, ବରଂ କଂଗ୍ରେସଠୁ କମ୍ ଭୋଟ୍ ପାଇ ତୃତୀୟ ସ୍ଥାନକୁ ଖସିଯାଇଛି। ରାଜ୍ୟରେ ପ୍ରମୁଖ ବିରୋଧୀ ଦଳ ମାନ୍ୟତା ପାଇଥିବା ବିଜେଡି ପାଇଁ ଏହା ସବୁଠୁ ବଡ଼ ଲଜ୍ଜା ବୋଲି କୁହାଯାଉଛି। ଦିନ ଥିଲା, ନବୀନ ପଟ୍ଟନାୟକ ହାତ ହଲେଇ ଦେଲେ ବିଜେଡି ପ୍ରାର୍ଥୀଙ୍କ ବିଜୟ ଏକପ୍ରକାର ସ୍ପଷ୍ଟ ହୋଇଯାଉଥିଲା। ହେଲେ ଏବେ ସମୟ ବଦଳିଛି। କ୍ଷମତାରୁ ଯିବା ପରେ ନବୀନଙ୍କ ଲୋକପ୍ରିୟତା ପ୍ରଭାବିତ ହୋଇଛି। ଶାସକ ଦଳ ବିରୋଧରେ ବିଭିନ୍ନ ପ୍ରସଙ୍ଗରେ ଲଢ଼େଇ କରୁଥିବା ଏବଂ ପ୍ରତିକୂଳ ପରିସ୍ଥିତି ଦେଇ ଗତି କରୁଥିବା ବିଜେଡି ପାଇଁ ଏହି ଉପନିର୍ବାଚନ ସମ୍ମାନର ପ୍ରଶ୍ନ ଥିଲା। ହେଲେ ନୂଆପଡ଼ାରେ ଦଳ ସମ୍ମାନ ହରାଇଛି। ବିଜେଡିର ଶୋଚନୀୟ ପରାଜୟ ଦଳୀୟ କର୍ମୀ ଓ ନେତାଙ୍କୁ ବ୍ୟଥିତ କରିଛି। ପରାଜୟ ପାଇଁ ତୁଙ୍ଗ ନେତା ସରକାରୀ କଳ ଉପରେ ଦୋଷ ଲଦୁଥିଲେ ହେଁ ଆତ୍ମସମୀକ୍ଷା ଜରୁରୀ ହୋଇପଡ଼ିଛି ବୋଲି ରାଜନୈତିକ ବିଶ୍ଳେଷକ ମତ ରଖିଛନ୍ତି।
ନବୀନଙ୍କୁ ନୂଆପଡ଼ାବାସୀଙ୍କ ସମବେଦନା ବଦଳରେ ଓଲଟା ଫଳ ମିଳିଲା। ନିର୍ବାଚନ ପରିଚାଳନାରେ ମଧ୍ୟ କେତେକ ତ୍ରୁଟି ଦେଖିବାକୁ ମିଳିଲା। ପୂର୍ବରୁ ଉପନିର୍ବାଚନ ସମୟରେ ଦଳ ଯେପରି ମାଇକ୍ରୋ ମ୍ୟାନେଜମେଣ୍ଟ କରିଥାଏ, ଏଥର ସେଥିରେ ବହୁ ବ୍ୟତିକ୍ରମ ଦେଖାଦେଲା। ବିଜେପିର ତୁଙ୍ଗ ନେତାମାନେ ନୂଆପଡ଼ାରେ ବୁଥ୍ ମ୍ୟାନେଜମେଣ୍ଟ ଉପରେ ଗୁରୁତ୍ବ ଦେଇଥିବାବେଳେ ବିଜେଡି କେବଳ ବିଜେପି ବିରୋଧରେ ଅଭିଯୋଗ ଆଣିବାରେ ନିଜକୁ ସୀମିତ ରଖିଲା। ବିଜେଡିର ଏଭଳି ଆଚରଣରୁ ପରାଜୟର ଲକ୍ଷଣ ସ୍ପଷ୍ଟ ଜଣାପଡ଼ୁଥିଲା। ହେଲେ ଦଳ ତୃତୀୟ ସ୍ଥାନକୁ ଖସିଯିବା ଅନେକ ନେତା ହଜମ କରିପାରୁନାହାନ୍ତି। ଏହି ଉପନିର୍ବାଚନ ଫଳାଫଳ ବିଜେଡିର ଭବିଷ୍ୟତ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
କେହି କେହି ଏଭଳି ବି କହୁଛନ୍ତି ଭି.କେ.ପାଣ୍ଡିଆନଙ୍କ ଫ୍ୟାକ୍ଟର ପାଇଁ ବିଜେଡି ତୃତୀୟ ସ୍ଥାନ ଅଧିକାର କରିଛି । ଓଡ଼ିଶା ରାଜନୀତିରେ ପାଣ୍ଡିଆନଙ୍କ ଫ୍ୟାକ୍ଟର କାମ କରିବ ନାହିଁ ବୋଲି ଦୁଇ ଦୁଇ ଥର ଜନତା ଦେଖାଇଲେ । ଗତ ସାଧାରଣ ନିର୍ବାଚନ ଫଳାଫଳ ଯାହା ହେଲା ତାହା କାହାକୁ ଅଛପା ନାହିଁ । ଆଉ ଏବେ ଉପନିର୍ବାଚନର ଫଳାଫଳ ସମସ୍ତଙ୍କ ଆଗରେ ରହିଛି । ଏଣୁ ଏବେ ବିଜେଡିରେ ସମୟ ଆସିଛି ଆତ୍ମ ସମୀକ୍ଷାର । ଯଦି ଦେଖିବା ତେବେ ଶ୍ରୀମୟୀ ମିଶ୍ରଙ୍କ ଠାରୁ ଆରମ୍ଭ କରି ଏଲିନା ଦାଶଙ୍କ ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡ଼ିଆରେ ବିଜେଡିକୁ ଟାର୍ଗେଟ କରିବାକୁ ପଛାଉ ନାହାନ୍ତି । ସମୟ କହିବ ବିଜେଡିର ଭବିଷ୍ୟତ କ’ଣ ହେବ ।

Editor 


