ନାବାଳିକାକୁ ଗଣଦୁଷ୍କର୍ମ ଘଟଣାରେ ହୁଡଦଙ୍ଗ୍ ବାର୍ ଏଣ୍ଡ ରେଷ୍ଟୁରାଣ୍ଟ ସିଲ୍

ନାବାଳିକାକୁ ଗଣଦୁଷ୍କର୍ମ ଘଟଣାରେ ହୁଡଦଙ୍ଗ୍ ବାର୍ ଏଣ୍ଡ ରେଷ୍ଟୁରାଣ୍ଟ ସିଲ୍

ରାଉରକେଲା,୨୯/୯ : ସିଭିଲ୍ ଟାଉନ୍ ସିପ୍ ରଘୁନାଥପାଲୀ ଥାନା ନିକଟସ୍ଥ ହୁଡଦଙ୍ଗ୍ ବାର୍ ଏଣ୍ଡ ରେଷ୍ଟୁରାଣ୍ଟକୁ ଗତ ରାତିରେ ସିଲ୍ କରାଯାଇଛି। ନାବାଳିକାକୁ ଗଣଦୁଷ୍କର୍ମ ଘଟଣାରେ ହୁଡଦଙ୍ଗ୍ ବାର୍ ଏଣ୍ଡ ରେଷ୍ଟୁରାଣ୍ଟରେ ପ୍ଲାନିଂ ହୋଇଥିଲା ବୋଲି ଅଭିଯୋଗ ହୋଇଆସୁଥିଲା। ରାଉରକେଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ଅବକାରୀ ଉପ-ଅଧିକ୍ଷକ ଅର୍ଚ୍ଚନା ବାରିକ୍ ଏବଂ ପାନପୋଷ ଏସଡିପିଓ ଉପାସନା ପାଢୀଙ୍କ ଉପସ୍ଥିତିରେ ଅବକାରୀ ପୋଲିସ୍ ଟିମ୍ ବାରକୁ ସିଲ୍ କରିଥିଲେ। ସମ୍ଭାବନା ଉତ୍ତେଜନାକୁ ଦୃଷ୍ଟିରେ ରଖି ବ୍ଯାପକ ପୋଲିସ୍ ଫୋର୍ସ ମୁତୟନ କରାଯାଇଥିଲା।

ଗଣଦୁଷ୍କର୍ମ ଘଟଣାକୁ ନେଇ ହୁଡଦଙ୍ଗ୍ ବାର୍ ଏଣ୍ଡ ରେଷ୍ଟୁରାଣ୍ଟ ଚର୍ଚ୍ଚରେ ଥିଲା। ଅବକାରୀ ବିଭାଗ ପକ୍ଷରୁ ୨୩ଟି ବାରକୁ ଲାଇସେନ୍ସ ଦିଆଯାଇଥିଲେ ମଧ୍ୟ, ରାଉରକେଲାରେ ସଂଖ୍ଯାଧିକ ବାର୍ ବିନା ଲାଇସେନ୍ସରେ ଚାଲିଛି। ହୁଡଦଙ୍ଗ୍ ବାର୍ ଏଣ୍ଡ ରେଷ୍ଟୁରାଣ୍ଟ ଲାଇସେନ୍ସ ପାଇଥିଲେ ମଧ୍ୟ, ଏଠାରେ ନିୟମ ବିରୋଧୀ କାର୍ଯ୍ୟ ହେଉଥିଲା ବୋଲି ଅଭିଯୋଗ ହୋଇଆସୁଥିଲା। ନାବାଳିକାମାନେ ବାରରେ ସାମିଲ ହେଉଥିଲେ। ଗତ ୨୪ ତାରିଖରେ ନାବାଳିକାକୁ ଦୁଷ୍କର୍ମ ଘଟଣାର ପ୍ଲାନିଂ, ଏଠାରୁ ହୋଇଥିବା ବିଷୟରେ ଅଭିଯୋଗ ହୋଇଆସୁଥିଲା।

ରାଉରକେଲା ସହରରେ ବହୁ ବାର୍ ଅବୈଧ ଭାବରେ ବର୍ଷ ବର୍ଷ ଧରି ଚାଲିଥିଲେ ମଧ୍ୟ ଅବକାରୀ ବିଭାଗ ଦେଖି ଦେଖିଲା ପରି ଆଖିବୁଜି ଦେଇଥିବା ଅଭିଯୋଗ ହୋଇଆସୁଛି। ଅନ୍ଯପକ୍ଷରେ ଠିପି ବନ୍ଦ୍ ମଦ ଦୋକାନ ଆଗରେ ମଦ୍ଯପମାନଙ୍କ ଆଡ୍ଡା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଅବକାରୀ ବିଭାଗ ଏବଂ ପୋଲିସ୍ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇ ଏସବୁର ନିରାକରଣ ପାଇଁ ଜନସାଧାରଣଙ୍କ ପକ୍ଷରୁ ଦାବୀ କରାଯାଇଛି।