ଛାତ୍ର କଂଗ୍ରେସ ପକ୍ଷରୁ “କ୍ୟାମ୍ପସ ଚଲୋ ଅଭିଯାନ” ର ଶୁଭାରମ୍ଭ

ଛାତ୍ର କଂଗ୍ରେସ ପକ୍ଷରୁ “କ୍ୟାମ୍ପସ ଚଲୋ ଅଭିଯାନ” ର ଶୁଭାରମ୍ଭ

ଭୁବନେଶ୍ୱର,୨୦/୮ : ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଛାତ୍ର କଂଗ୍ରେସର ରାଷ୍ଟ୍ରୀୟ ସମ୍ପାଦକ ତଥା ଓଡ଼ିଶା ପ୍ରଭାରୀ କରଣ ତାମସେ ତୱାର ଛାତ୍ର କଂଗ୍ରେସର “କ୍ୟାମ୍ପସ ଚଲୋ ଅଭିଯାନ”ର ଶୁଭାରମ୍ଭ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଉଦ୍‌ଘାଟନ କରିଥିଲେ ।

ଏହି ଅବସରରେ ଛାତ୍ର କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଥିଲା ଯେ ବିଜେପି ସରକାର ୟୁନିଭର୍ସିଟି ଓ କଲେଜରେ ନିର୍ବାଚନ ନ କରାଇ ଦେବା ପାଇଁ ଷଡ଼ଯନ୍ତ୍ର କରୁଛନ୍ତି । ବାଲେଶ୍ୱର ଫକୀରମୋହନ ସ୍ୱଂୟ ଶାସିତ ବିଶ୍ୱବିଦ୍ୟାଳୟର ଛାତ୍ରୀ ମୃତ୍ୟୁ ପଛରେ ଏବିଭିପିର ସଂପୂର୍ଣ୍ଣ ହାତ ରହିଥିବାର ଜଣାପଡ଼ିବା ପରେ ସାରା ଓଡ଼ିଶାର ଶିକ୍ଷାନୁଷ୍ଠାନର କ୍ୟାମ୍ପସରେ ଏବିଭିପି ବଦନାମ ହୋଇଯାଇଛି । କ୍ୟାମ୍ପସ ଭିତରେ ହିଂସା ଏବଂ ଅପରାଧିକ କାର୍ଯ୍ୟ କରିବା ପାଇଁ ଏବିଭିପିରଷଡ଼ଯନ୍ତ୍ରକୁ ଓଡ଼ିଶାର ଛାତ୍ର ସମାଜ, ଅଭିଭାବକ ଏବଂ ବୁଦ୍ଧିଜୀବିମାନେ ଅନୁଭବ କରି ସାରିଛନ୍ତି । ତେଣୁ ଛାତ୍ରଛାତ୍ରୀମାନଙ୍କର ସମର୍ଥନ ନ ପାଇବାର ଆଭାସ ପାଇ ବିଜେପି ସରକାର ଛାତ୍ର ସଂସଦ ନିର୍ବାଚନ ନ କରାଇ ଦେବା ପାଇଁ ଷଡ଼ଯନ୍ତ୍ର ଆରମ୍ଭ କଲେଣି ବୋଲି ଛାତ୍ର କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି ।

“କ୍ୟାମ୍ପସ ଚଲୋ ଅଭିଯାନ” ମାଧ୍ୟମରେ ଏନଏସୟୁଆଇ (ଛାତ୍ର କଂଗ୍ରେସ)ର କର୍ମକର୍ତ୍ତା ଓ ସଭ୍ୟମାନେ ଓଡ଼ିଶାର ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ କ୍ୟାମ୍ପସକୁ ଯିବେ । ଛାତ ସଂସଦ ନିର୍ବାଚନ ପାଇଁ ଆନ୍ଦୋଳନ ହେବ ।କ୍ୟାମ୍ପସ ଭିତରେ ଅଶାନ୍ତି ଏବଂ ଅପରାଧିକ କାର୍ଯ୍ୟକୁ ପ୍ରତିବାଦ କରାଯିବ । ବିଶେଷ କରି ଛାତ୍ରୀମାନଙ୍କର ସୁରକ୍ଷା ଉପରେ ଦୃଷ୍ଟି ଦିଆଯିବ । ରାଗିଂ କ୍ଷେତ୍ରରେ ଓଡ଼ିଶା ଦେଶରେ ୩ନମ୍ବର ସ୍ଥାନରେ ରହିଛି । ରାଗିଂ ନିୟନ୍ତ୍ରଣ ପାଇଁ ସରକାର ଧ୍ୟାନ ଦେଉ ନାହାନ୍ତି । ତେଣୁ ରାଗିଂ ମୁକ୍ତ କ୍ୟାମ୍ପସ ପାଇଁ ଛାତ୍ର କଂଗ୍ରେସ ଆନ୍ଦୋଳନ କରିବ ।ସରକାରୀ ଶିକ୍ଷାନୁଷ୍ଠାନରେ ହେଉଥିବା ଦୁର୍ନିତିର ଦୃଢ଼ ପ୍ରତିବାଦ କରାଯିବ। ଓଡ଼ିଶାର ସରକାରୀ ବିଶ୍ୱ ବିଦ୍ୟାଳୟ ମାନଙ୍କରେ ୬୫ପ୍ରତିଶତ ଶିକ୍ଷକ ପଦବୀ ଖାଲି ପଡ଼ିଛି । ବିଶେଷ କରି କ୍ୟାମ୍ପସରେ ଯେଉଁ ନିମ୍ନ ତମ ସୁବିଧା ରହିବା କଥା ତାହା ମିଳୁନାହିଁ । ଶୌଚାଳୟଠାରୁ ଆରମ୍ଭ କରି, ପାନୀୟ ଜଳ ବ୍ୟବସ୍ଥା, ହଷ୍ଟେଲର ପରିବେଶ ସବୁଠି ଏକ ନୈରାଶ୍ୟ ଜନକ ସ୍ଥିତି ରହିଛି । 

ଓଡ଼ିଶାର ସରକାରୀ ଶିକ୍ଷା ବ୍ୟବସ୍ଥା ସଂପୂର୍ଣ୍ଣ ଭୁଷୁଡ଼ି ପଡ଼ୁଛି । ସେହିଭଳି ଏଡ଼େଡ ଏବଂ ସରକାରୀ ମହାବିଦ୍ୟାଳୟ ଏବଂ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଶିକ୍ଷକ ପଦବୀର ଚିତ୍ର ଅତ୍ୟନ୍ତ ନୈରାଶ୍ୟଜନକ । ପ୍ରାଥମିକ ବିଦ୍ୟାଳୟ ଠାରୁ ଉଚ୍ଚ ବିଦ୍ୟାଳୟ ପର୍ଯ୍ୟନ୍ତ ସବୁଠାରେ ଉତ୍କଟ ଶିକ୍ଷକ ଅଭାବ ଶିକ୍ଷା ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରି ଦେଇଛି ।ସରକାରୀ ଶିକ୍ଷା ବ୍ୟବସ୍ଥାକୁ ହତାଦର କରାଯାଇ ବେସରକାରୀ ଶିକ୍ଷାନୁଷ୍ଠାନକୁ ପ୍ରୋତ୍ସାହନ ଦିଆଯାଉଛି । ସୁତରାଂ ଏ ସରକାର ଏବଂ ଏ ବ୍ୟବସ୍ଥା ସଂପୂର୍ଣ୍ଣ ଛାତ୍ର ବିରୋଧି । ଅନ୍ୟପକ୍ଷରେ “ଭୋଟଚୋରୀ” ବିରୋଧରେ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା ହେବ ଏବଂ ନୂଆ ଭୋଟରମାନଙ୍କୁ ଭୋଟ ଚୋରୀ ବିଷୟରେ ସଚେତନ କରାଯିବ । ଏହି କାର୍ଯ୍ୟକ୍ରମରେ ପିସିସି ସାଧାରଣ ସମ୍ପାଦକ ସୟଦ ୟାସିର ନୱାଜ, ମନୋଜ ବିଶ୍ୱାଳ, ବିଭୁତି ଭୂଷଣ ମହାପାତ୍ର, ସାଗର ପଟ୍ଟନାୟକ, ଆଦିତ୍ୟ ପ୍ରୀତମ ଦାସ, ସାହାରୁଖ ଖାନ, ସୌମ୍ୟରଞ୍ଜନ ଜେନା ପ୍ରମୁଖ ଅଂଶଗ୍ରହଣ କରିଥିଲେ ।