ହଠାତ ମେଡ଼ିକାଲ ଆଡ଼ମିସନ ଫି ବୃଦ୍ଧି ପ୍ରସଙ୍ଗ ; ଆଡ଼ମିସନ ପ୍ରକ୍ରିୟା ୧୫ଦିନ ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଓଡିଶା ଅଭିଭାବକ ମହାସଂଘର ଦାବି

ଭୁବନେଶ୍ୱର,୨୦/୮ : ପ୍ରାଇଭେଟ ମେଡିକାଲ କଲେଜରେ ଆଡ଼ମିସନ ଡେଟ ୧୫ଦିନ ପାଇଁ ବୃଦ୍ଧି ଜରୁରୀ ଅନୁଭବ କରି ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଆବଶ୍ୟକ କରି ଚିଠି ଲେଖିଛି ଓଡିଶା ଅଭିଭାବକ ମହାସଙ୍ଘ। ମହାସଂଘ ସଭାପତି ବାସୁଦେବ ଭଟ୍ଟ କହିଛନ୍ତି ହାଇଟେକ୍ ଏବଂ ଡ୍ରିମ୍ସ ମେଡିକାଲ କଲେଜ ସମେତ ଓଡ଼ିଶାର ବେସରକାରୀ ମେଡିକାଲ କଲେଜ ଗୁଡ଼ିକରେ ହଠାତ୍ ବେଆଇନ୍ ଭାବେ ୨୦୦% ପର୍ଯ୍ୟନ୍ତ ଆଡ଼ମିସନ ଫି ବୃଦ୍ଧି କରି ଦେଇଛନ୍ତି l ଅଭିଭାବକ କିମ୍ବା ଅଭିଭାବକ ସଂଗଠନ ସହିତ କୌଣସି ପରାମର୍ଶ ନ କରି ନିଆଯାଇଥିବା ଏହି ନିଷ୍ପତ୍ତି ଅନେକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ଖେଳି ଅଯଥା ଅସୁବିଧାର ସମ୍ମୁଖୀନ କରିଛି l
ଆଡ଼ମିସନ ପାଇଁ ନିର୍ଦ୍ଧାରିତ ତାରିଖର ମାତ୍ର ଗୋଟିଏ ଦିନ ପୂର୍ବରୁ ଫି ବୃଦ୍ଧି ଘୋଷଣା କରାଯାଇଥିଲା l ଯାହା ଅତ୍ୟନ୍ତ ଅନ୍ୟାୟ l ଫଳରେ ଆଡ଼ମିସନ ପାଇଁ ଅତିରିକ୍ତ ଆର୍ଥିକ ଅର୍ଥ ଯୋଗାଡ଼ କରିବା ଏକ ବିରାଟ ବୋଝ l ଅଧିକ ଅର୍ଥ ବନ୍ଦୋବସ୍ତ କରିବା ପାଇଁ ଅଭିଭାବକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନ ଥିଲା । ଅଭିଭାବକମାନେ ପୂର୍ବରୁ ମେଡିକାଲ କଲେଜମାନଙ୍କ ବ୍ରୋଚାରରେ ନିର୍ଦ୍ଧାରଣ ଅର୍ଥ ବିଭିନ୍ନ ଉତ୍ସରୁ ଯୋଗାଡ଼ କରି ସାରିଥିଲେ l ହଠାତ ଏତେ ଟଙ୍କା ବର୍ତ୍ତମାନ ବ୍ୟାଙ୍କ କିମ୍ବା ଅନ୍ୟାନ୍ୟ ଉତ୍ସରୁ ଯୋଗାଡ଼ କରିବା ପାଇଁ ଅତିରିକ୍ତ ସମୟ ଆବଶ୍ୟକ । ତେଣୁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଦୃଷ୍ଟିରୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (OJEE) କର୍ତ୍ତୃପକ୍ଷଙ୍କୁ ମେଡ଼ିକାଲ ଆଡ଼ମିସନ ପ୍ରକ୍ରିୟାର ଶେଷ ତାରିଖ ୧୫ଦିନ ବୃଦ୍ଧି କରିବାକୁ ମହାସଂଘ ଦାବି କରିଛି।୧୫ଦିନ ସମୟ ମିଳିଲେ ଅଭିଭାବକମାନଙ୍କୁ ଆବଶ୍ୟକୀୟ ବର୍ଦ୍ଧିତ ରାଶି ବ୍ୟବସ୍ଥା କରିବାକୁ ସାହାଯ୍ୟ କରିବ ଏବଂ ଆର୍ଥିକ ଦୁର୍ବଳ ଶ୍ରେଣୀର ମେଧାବୀ ମେଡ଼ିକାଲ ଆଡ଼ମିସନ ପାଇଁ ଯୋଗ୍ୟ ଛାତ୍ରଛାତ୍ରୀମାନଙ୍କୁ ଆଡ଼ମିସନରୁ ବଞ୍ଚିତ କରିବନି ବୋଲି କାର୍ଯ୍ୟକାରୀ ସଭାପତି ପ୍ରସନ୍ନ ବିଷୋୟୀ କହିଛନ୍ତି । ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗର ମେଡିକାଲ ଆଡ଼ମିସନ ଫି ବୃଦ୍ଧି ଘୋଷଣା କରାଯାଇଥିବା ବିଜ୍ଞପ୍ତି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଉଲ୍ଲଂଘନ କରିଛି l କାଉନ ସେଲିଙ୍ଗ ଆରମ୍ଭ ହେବା ପୂର୍ବରୁ ଫି ନିର୍ଦ୍ଧାରଣ କରି ପ୍ରକାଶନ କରିବା ବାଧ୍ୟତାମୂଳକ l