ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନାର 'ଲୋଗୋ' ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନାର 'ଲୋଗୋ' ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୪/୧୧ : ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ନିମନ୍ତେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ରାଜ୍ୟ ସରକାରଙ୍କ ମହତ୍ଵାକାଂକ୍ଷୀ ଯୋଜନା ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ କାର୍ଯ୍ୟକାରିତାକୁ ଆଉ ଗୋଟିଏ ପାଦ ଆଗକୁ ନେଇ ଆଜି ଲୋକସେବା ଭବନଠାରେ ଏହି ଯୋଜନାର ଲୋଗୋ ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଲୋଗୋକୁ ଉନ୍ମୋଚନ କରି କହିଛନ୍ତି ଯେ, ପିଲାଙ୍କୁ ଆଧୁନିକ ଏବଂ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ସହ ଶିକ୍ଷାକୁ ଆକର୍ଷଣୀୟ ଓ ପ୍ରଭାବଶାଳୀ କରିବା ପାଇଁ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ। 

ଉକ୍ତ ବୈଠକର ଆଲୋଚନାରୁ ଜଣାପଡିଛି ଯେ, ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ୨୨୦୦ବିଦ୍ୟାଳୟକୁ ସୁଦୃଢ଼ କରିବା ପାଇଁ ପ୍ରାୟ ୧୨ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ଆଗାମୀ ଚାରି ବର୍ଷ, ଅର୍ଥାତ୍ ୨୦୨୫-୨୬ରୁ ୨୦୨୮-୨୯ ଆର୍ଥିକ ବର୍ଷ ମଧ୍ୟରେ ଏହା ଖର୍ଚ୍ଚ କରାଯିବ । ଏହି ବିଦ୍ୟାଳୟଗୁଡ଼ିକ ପଞ୍ଚାୟତର ଏପରି ଏକ ଗ୍ରାମରେ ସ୍ଥାପିତ କରାଯିବ ଯେଉଁଠାରେ ଅନୁନ୍ୟ ୫ ଏକର ଜମି ଉପଲବ୍ଧ ଥିବା ସହିତ ଯେଉଁଠାକୁ ଗମନାଗମନ ସୁବିଧା ଥିବ। ପଞ୍ଚାୟତର ମଧ୍ୟ ସ୍ଥଳରେ ଅନ୍ୟୁନ ୫ଏକର ଜମି ଉପଲବ୍ଧ ଥିବା ସର୍ବବୃହତ ଗ୍ରାମକୁ ପ୍ରାଥମିକତା ଦିଆଯିବ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ଲୋଗୋ ଓଡ଼ିଆ ସଂସ୍କୃତିକୁ ବହନ କରୁଛି । ମହାନ ଶିକ୍ଷାବିତ୍ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଆଦର୍ଶକୁ ବହନ କରୁଛି । ଏହି ‘ଲୋଗୋ’ ଶିକ୍ଷାର ମହତ୍ଵ ଓ ଭୂମିକାକୁ ପ୍ରତିଫଳିତ କରୁଛି। ‘ଲୋଗୋ’ର ମଧ୍ୟ ଭାଗରେ ଏକ ଖୋଲା ପୁସ୍ତକ ଓ ଏକ କଲମ ମୁନ ରହିଛି । ଖୋଲା ପୁସ୍ତକ ଶିକ୍ଷା ଏବଂ ବୌଦ୍ଧିକ ଶକ୍ତିର ଜାଗରଣକୁ ବୁଝାଏ ଏବଂ କଲମ ମୁନ ସୃଜନଶୀଳତା ଓ ପ୍ରକାଶନକୁ ପ୍ରତିନିଧିତ୍ଵ କରେ । କଲମ ମୁନର ଉପରିଭାଗରେ ଜଳୁଥିବା ମଶାଲ୍, ଜ୍ଞାନ ଓ ସତ୍ୟର ପ୍ରତୀକ, ଯାହା ଅଜ୍ଞାନତା ଦୂର କରିଥାଏ ଏବଂ ପ୍ରଗତିକୁ ପ୍ରୋତ୍ସାହିତ କରିଥାଏ । ଏହା ଆମ ଛାତ୍ରଛାତ୍ରୀଙ୍କ ସ୍ଵପ୍ନକୁ ଜାଗରିତ କରିବ । 

ମଶାଲ୍ ଚାରିପାଖରେ ବିଛୁରିତ ହେଉଥିବା କିରଣ ନୈତିକ ଆଲୋକର ପ୍ରତୀକ । ‘ଲୋଗୋ’ର ବୃତ୍ତାକାର ରୂପ ଏକତା, ଅନ୍ତର୍ଭୁକ୍ତି ଏବଂ ସମନ୍ୱୟକୁ ବୁଝାଏ । ଲୋଗୋରେ ଥିବା ତିନୋଟି ତାରା - ଜ୍ଞାନ, ଚରିତ୍ର ଓ ସେବାକୁ ପ୍ରତିନିଧିତ୍ଵ କରେ। ଏଥିରେ ବ୍ୟବହୃତ ରଙ୍ଗ ସବୁ ବି ଗଭୀର ଅର୍ଥ ବହନ କରେ । ଲୋଗୋ ଚାରିପାଖରେ ଓଡ଼ିଆ ଲିପିରେ ଲିଖିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ, ଆମ ଓଡ଼ିଆ ଭାଷା ଓ ସଂସ୍କୃତି ପ୍ରତି ଆମର ଦୃଢ଼ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ଏହି ଆଦର୍ଶ ବିଦ୍ୟାଳୟ ନିର୍ମାଣ ଫଳରେ ଉକ୍ତ ଅଞ୍ଚଳରେ ଶିକ୍ଷା ଭିତ୍ତିଭୂମି ଏବଂ ଶିକ୍ଷଣ ପରିବେଶରେ ଉନ୍ନତି ଆସିବ । ଆଧୁନିକ ଶ୍ରେଣୀଗୃହ, ଡିଜିଟାଲ୍ ଉପକରଣ ଏବଂ କ୍ରୀଡ଼ା ଉପକରଣ ଭଳି ସୁବିଧା ସେହି ବିଦ୍ୟାଳୟରେ ଉପଲବ୍ଧ ହେବ। ପ୍ରତ୍ୟେକ ପିଲାଙ୍କୁ ମୌଳିକ ସାକ୍ଷରତା ଏବଂ ସଂଖ୍ୟା ଜ୍ଞାନ ଦକ୍ଷତାରେ ନିପୂଣ କରିବା ସହ ଗୁଣାତ୍ମକ ଶିକ୍ଷା ମାଧ୍ୟମରେ ସେମାନଙ୍କର ସାମଗ୍ରୀକ ବିକାଶ କରାଇବା ଏହି ଆଦର୍ଶ ବିଦ୍ୟାଳୟ ଗୁଡ଼ିକର ମୂଳ ଉଦ୍ଦେଶ୍ୟ । ଚଳିତ ବଜେଟରେ ଯେଉଁ ପ୍ରାବଧାନ କରାଯାଇଛି ଏବଂ ଏହି ସମ୍ବନ୍ଧରେ କ୍ଯାବିନେଟରେ ଯେଉଁ ନିଷ୍ପତ୍ତି ଗ୍ରହଣ କରା ଯାଇଛି, ତାକୁ ତୁରନ୍ତ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ଯାନ୍ୱୟନ କରାଯିବା ଆବଶ୍ୟକ।  

କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ, ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଏହି ଯୁଗାନ୍ତକାରୀ ଯୋଜନାର ଲୋଗୋ ଉନ୍ମୋଚନ ହୋଇଛି । ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ମାଧ୍ୟମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପିଲାମାନଙ୍କୁ ସାମାଜିକ ଏବଂ ଶୈକ୍ଷିକ ଉଭୟ କ୍ଷେତ୍ରରେ ଆଗକୁ ବଢ଼ିବାରେ ସାହାଯ୍ୟ, ସହଯୋଗ ଯୋଗାଇ ଦେବ । ଏହି ଯୋଜନା ଅଧିନରେ ପ୍ରାୟ ୨୨୦୦ ବିଦ୍ୟାଳୟକୁ ଚୟନ କରାଯିବ । ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା କେବଳ ଏକ ଶିକ୍ଷା ସଂସ୍କାର ଯୋଜନା ନୁହେଁ, ବରଂ ଏକ ସଂକଳ୍ପ - ପ୍ରତ୍ୟେକ ପିଲାଙ୍କ ପାଇଁ ଶିକ୍ଷାକୁ ସୁଗମ କରିବା ।

ଗ୍ରାମାଞ୍ଚଳରେ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ଲକ୍ଷ୍ୟରେ ଏହି ଯୋଜନା ଆରମ୍ଭ ହୋଇଛି । ଗ୍ରାମାଞ୍ଚଳରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ମୁଖ୍ୟମନ୍ତ୍ରୀଙ୍କ ନିଜସ୍ୱ ପରିକଳ୍ପନା । ପ୍ରାଥମିକ ଶ୍ରେଣୀଗୁଡ଼ିକ ଉଚ୍ଚ ବିଦ୍ୟାଳୟର ମୂଳଦୁଆ ସ୍ଥାପନ କରେ । ତେଣୁ ପ୍ରାଥମିକସ୍ତରରେ ପିଲାମାନଙ୍କୁ ପର୍ଯ୍ୟାପ୍ତ ପ୍ରସ୍ତୁତି ଏବଂ ଆବଶ୍ୟକୀୟ ଦକ୍ଷତା ପ୍ରଦାନ କରିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ପ୍ରମୁଖ ସଚିବ ଶାଶ୍ବତ ମିଶ୍ର, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ, ଡକ୍ଟର ଏନ. ତିରୁମାଲା ନାଏକ, ଓସେପାର ପ୍ରକଳ୍ପ ନିର୍ଦ୍ଦେଶିକା ଅନନ୍ୟା ଦାସ, ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ବାଳ ମୁକୁନ୍ଦ ଭୂୟାଁ ପ୍ରମୁଖ ଉପସ୍ଥିତ ଥିଲେ ।