ନୂଆପଡ଼ାରେ ବାଜି ମାରିଲେ ଜୟ ଢୋଲକିଆ

ନୂଆପଡ଼ାରେ ବାଜି ମାରିଲେ ଜୟ ଢୋଲକିଆ

ନୂଆପଡ଼ା, ୧୪/୧୧: ନୂଆପଡ଼ାରେ ବାଜି ମାରିଲେ ଜୟ ଢୋଲକିଆ । ୮୪ ହଜାରରୁ ଅଧିକ ଭୋଟରେ ଜିତିଲେ ଜୟ। ବିଜେଡ଼ି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ଓ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ଜୟଙ୍କ ଠାରୁ ଭୋଟ ବ୍ୟବଧାନରେ ବହୁ ପଛରେ ରହିଛନ୍ତି । ୧,୨୩,୨୪୩ରୁ ଅଧିକ ଭୋଟ ପାଇ ଜୟ ବିଜୟୀ ହୋଇଛନ୍ତି। ଏଥିସହ ବିଜେପି ନୂଆପଡା ଆସନ ଦଖଲ କରିଛି। ବିଜେଡି ହାତରୁ ଖସିଯାଇଛି ନୂଆପଡା। ସ୍ନେହାଙ୍ଗିନୀ ୩୮,୨୫୬ ଭୋଟ ପାଇ ୩ୟ ସ୍ଥାନରେ ଥିବା ବେଳେ ଘାସିରାମ ୪୦,୦୩୯ ଭୋଟ ପାଇ ୨ୟ ସ୍ଥାନରେ ରହିଛନ୍ତି।

୨୦୧୯ ଓ ୨୦୨୪ରେ ନିର୍ବାଚନରେ ବିଜେଡି କବଜାରେ ଥିବା ନୂଆପଡା ଆସନ । ୨୦୨୫ ଉପନିର୍ବାଚନରେ ବିଜେଡି ହାତରୁ ଖସିଯାଇଛି। କହିବାକୁ ଗଲେ ନିଜ ଗଡ ରଖିପାରିନି ବିଜେଡି। ଏପରିକି ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗୀନୀ ବିଜେପିକୁ କଡା ଟକ୍କର ଦେବାରେ ସକ୍ଷମ ମଧ୍ୟ ହୋଇ ନାହାନ୍ତି। ୩ୟ ସ୍ଥାନକୁ ଖସି ଆସିଥିଲେ। ଅନ୍ୟପକ୍ଷରେ କଂଗ୍ରେସ ପ୍ରାର୍ଥୀ ଘାସିରାମ ୨୦୨୪ ନିର୍ବାଚନ ଭଳି ଏଥର ମଧ୍ୟ ୨ ସ୍ଥାନରେ ରହିଛନ୍ତି। କିନ୍ତୁ ୨୦୨୪ ନିର୍ବାଚନ ତୁଳନାରେ ଘାସିରାମଙ୍କ ଭୋଟ କିଛି କମିଛି। 

ନିର୍ବାଚନ ଗଣତିର ପ୍ରଥମ ରାଉଣ୍ଡରୁ ଜୟଙ୍କ ବିଜୟ ଅଭିଯାନ ଆରମ୍ଭ ହୋଇଥିଲା। ପ୍ରଥମ ରାଉଣ୍ଡରୁ ୪୯୦୪ ଭୋଟ ପାଇ ଜୟ ଆଗୁଆ ରହିଥିଲେ। ସ୍ନେହାଙ୍ଗୀନୀ ୧୩୫୭ ଓ ଘାସିରାମ୧୩୦୮ ଭୋଟ ପାଇଥିଲେ। ୨ ୟ ରାଉଣ୍ଡରେ ଜୟ ୧୦,୪୮୬ ଭୋଟରେ ଆଗୁଆ ଥିଲେ। ସ୍ନେହାଙ୍ଗୀନୀ ୨୯୨୩ ଓ ଘାସିରାମ ୨୨୩୪ ଭୋଟ ପାଇଥିଲେ। ତେବେ ରାଉଣ୍ଡ ବଢିବା ସହ ଜୟଙ୍କ ଭୋଟ ବ୍ୟବଧାନ ବଢି ଚାଲିଥିଲା। ବିଜୟ ଅଭିମୁଖେ ଜୟଙ୍କ ଜୟଯାତ୍ରା ଜାରି ରହିଥିଲା। ଶେଷରେ ଜୟ ବିପୁଳ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ।