ଜାତୀୟ ଖୋ ଖୋ ଟିମକୁ ରାଜ୍ୟ ସରକାର ୩ବର୍ଷ ପାଇଁ ସ୍ପନସର୍ କରିବେ

ଭୁବନେଶ୍ୱର,୩/୧ : ଦେଶର ‘ଖୋ ଖୋ’ ଖେଳ ପାଇଁ ଆସିଛି ଏକ ସୁବର୍ଣ୍ଣ ସମୟ । ଓଡିଶା ସରକାର ଏହି ଖେଳକୁ ଯୋଗାଇ ଦେବେ ପ୍ରୋତ୍ସାହନ। ପୂର୍ବରୁ ଜାତୀୟ ହକି ଖେଳକୁ ଓଡିଶା ସ୍ପନସର୍ କରିଥିବା ବେଳେ, ଏବେ ଖୋ ଖୋ ଖେଳକୁ ପ୍ରୋତ୍ସାହନ ଦେବାକୁ ଆଗେଇ ଆସିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ ରାଜ୍ୟ ସରକାର ‘ଖୋ ଖୋ’ ଖେଳର ଜାତୀୟ ଟିମକୁ ଆଗାମୀ ୩ବର୍ଷ ପାଇଁ ସ୍ପନସର କରିବେ । ଏହି ସ୍ପନସରସିପର ଅବଧି ୨୦୨୫ ଜାନୁଆରୀରୁ ୨୦୨୭ ଡିସେମ୍ବର ପର୍ଯ୍ୟନ୍ତ ରହିବ। ଏଥିପାଇଁ ବର୍ଷକୁ ୫କୋଟି ଟଙ୍କା ଲେଖାଏଁ ସମୁଦାୟ ୧୫କୋଟି ଟଙ୍କା ଖର୍ଚ୍ଚ ହେବ। ଓଡିଶା ଖଣି ନିଗମ ପକ୍ଷରୁ ଏହି ଅର୍ଥ ପ୍ରଦାନ କରାଯିବ। ଏହାଦ୍ୱାରା ଭାରତୀୟ ଖୋ ଖୋ ଖେଳାଳୀ ପ୍ରୋତ୍ସାହନ ପାଇବା ସହ ଓଡିଶା ମଧ୍ୟ ଜାତୀୟ ଓ ଅନ୍ତର୍ଜାତୀୟ ଖେଳରେ ବ୍ରାଣ୍ଡିଂ ଜରିଆରେ ବିଶ୍ୱସ୍ତରରେ ରାଜ୍ୟର ଛବିକୁ ଉଜ୍ଜଳ କରିପାରିବ ।