ସପକ୍ଷରେ ସାକ୍ଷୀ ନ ଦେବାକୁ ନେଇ ଗୋଡ଼େଇ ଗୋଡ଼େଇ ହତ୍ୟା, ଜଣେ ଗିରଫ

ସପକ୍ଷରେ ସାକ୍ଷୀ ନ ଦେବାକୁ ନେଇ ଗୋଡ଼େଇ ଗୋଡ଼େଇ ହତ୍ୟା, ଜଣେ ଗିରଫ

ଖୁଣ୍ଟା,୨୪/୨ : ପୂର୍ବ ଏକ ହତ୍ୟା ଘଟଣାରେ ସାଖି ଦେବାକୁ କେନ୍ଦ୍ର କରି ଜନୈକ ବ୍ୟକ୍ତିଙ୍କୁ ସର୍ବ ସମ୍ମୁଖ ଗାଁ ଦାଣ୍ଡରେ ଗୋଡ଼େଇ ଗୋଡ଼େଇ ପିଟି ପିଟି ମାରି ଦେବା ଭଳି ଲୋମ ହର୍ଷଣକାରୀ ଘଟଣା ଏବେ ଆଲୋଡ଼ନ ସୃଷ୍ଟି କରିଛି । ଏଭଳି ଅମାନୁଷିକ ହତ୍ୟାକାଣ୍ଡ ଘଟିଯାଇଛି ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଧିନ ଗଡ଼ିଗାଁ ଗ୍ରାମରେ ।

ପ୍ରକାଶ ଯେ, ଗତ ନଭେମ୍ବର ୧୮ତାରିଖ ଧାନ ଘେରା ଗ୍ରାମରେ ରାତିରେ ଗ୍ୟାସ ସିଲିଣ୍ଡର ଚୋରି କରୁଥିବାବେଳେ ଗ୍ରାମବାସୀ ଗଡିଗାଁ ଦେଉଳା ଗ୍ରାମର ବାପି କୋହ୍ଲାର ଏବଂ କାହ୍ନୁ ମଢେଇଙ୍କୁ ଧରିବା ସହ ଉଭୟଙ୍କୁ ମାଡ଼ ମାରିଥିଲେ । ଗ୍ରାମବାସୀଙ୍କ ଏହି ମିଳିତ ଆକ୍ରମଣାରେ ଗ୍ୟାସ୍ ସିଲିଣ୍ଡର ଚ଼ୋରି ଅଭିଯୁକ୍ତ ବାପି କୋହ୍ଲାରର ଉକ୍ତ ରାତ୍ରିରେ ମୃତ୍ୟୁ ହୋଇଥିଲା। ଏବଂ ତାର ସହଯୋଗୀ କାହ୍ନୁ ମଢେଇକୁ ଚୋରି ମାମଲାରେ ପୋଲିସ ଗିରଫ କରିବା ସହ କୋର୍ଟଚ଼ାଲାଣ କରିଥିବାବେଳେ ବାପିକୁ ପିଟି ପିଟି ହତ୍ୟା କରିଥିବା ୧୧ଜଣ ଅଭିଯୁକ୍ତକୁ ଖୁଣ୍ଟା ପୋଲିସ ଗିରଫ କରି ସେମାନଙ୍କ ନାମରେ ହତ୍ୟା ମାମଲା ରୁଜୁ କରି କୋର୍ଟଚାଲାଣ କରିଥିଲା । 

ତେବେ ଚ଼ୋରି ଅଭିଯୁକ୍ତ କାହ୍ନୁ ଜେଲରୁ ଗତ ଡିସେମ୍ବର ୧୨ତାରିଖରେ ଜାମିନରେ ଆସିଥିବାବେଳେ ତାର ସାଥି ବାପି କୋହ୍ଲାର ହତ୍ୟା ଘଟଣାରେ ସିଏ ହିଁ ଏକ ମାତ୍ର ପ୍ରତ୍ୟେକ୍ଷଦର୍ଶୀ ଥିଲା। ତେବେ ସୋମବାର ଉକ୍ତ ହତ୍ୟାକାଣ୍ଡ ଘଟଣାରେ ସାକ୍ଷୀ ଦେବାକୁ କୋର୍ଟଯାଇଥିଲା କାହ୍ନୁ । ସେଠାରୁ ଫେରିବା ପରେ ସେହି ହତ୍ୟା ମାମଲାରେ ଜେଲରେ ଥିବା ଅଭିଯୁକ୍ତଙ୍କ ସମ୍ପର୍କୀୟ ଦୁଲାରାମ ମୁର୍ମୁ ଏବଂ ଅନ୍ୟ ୩ଜଣଙ୍କ ସହ କାହ୍ନୁ ମଢେଇର ଝଗଡ଼ା ହୋଇଥିଲା। କୋର୍ଟରେ ଥିବା ଅଭିଯୁକ୍ତମାନଙ୍କ ସପକ୍ଷରେ ସାକ୍ଷୀ ଦେବାକୁ କାହ୍ନୁ ମଢେଇକୁ ବାଧ୍ୟ କରିଥିଲେ ଦୁଲାରାମ।

ପ୍ରତ୍ୟେକ୍ଷଦର୍ଶୀ ଭାବେ କାହ୍ନୁ ମୁଖ୍ୟ ସାକ୍ଷୀ ହୋଇଥିବାବେଳେ ସେ ଅଭିଯୁକ୍ତମାନଙ୍କ ସପକ୍ଷରେ ସାକ୍ଷୀ ଦେଲେ ସେମାନେ ବେଲରେ ବାହାରି ପାରିବେ ବୋଲି କହିଥିଲେ ସମ୍ପର୍କୀୟ। ଏହାକୁ ନେଇ ଆରମ୍ଭ ହୋଇଥିଲା ଝଗଡା। ତେବେ ଝଗଡା ଏତେ ଉଗ୍ର ରୂପ ଧାରଣ କାରିଥିଲା ଯେ ୪ ଜଣ ଯୁବକ କାହ୍ନୁକୁ ଗାଁ ଦାଣ୍ଡରେ ସ୍ପଷ୍ଟ ଦିବାଲୋକରେ ଗୋଡ଼ାଇ ଗୋଡ଼ାଇ ମାରିବାକୁ ଉଦ୍ୟମ କରିଥିଲେ। ଏପରିକି ଗ୍ରାମ ରାସ୍ତାରେ କାହ୍ନୁକୁ ମାରିଦେବା ପାଇଁ ୩ ରୁ ୪ ଜଣ ଯୁବକ ଗୋଡ଼ାଇବା ସହିତ ତଳେ ପକାଇଥିଲେ, ଏବଂ ପଥର ଓ ବାଉଁଶ ଠେଙ୍ଗାରେ ମାରିବାକୁ ଉଦ୍ୟମ କରିଥିଲେ। ଯାହାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । 

ତେବେ କାହ୍ନୁଙ୍କୁ ହତ୍ୟା କରିବାକୁ ଅଭିଯୁକ୍ତମାନେ ଗୋଡ଼ାଇବାବେଳେ କାହ୍ନୁ ଜୀବନ ବଞ୍ଚାଇବାକୁ ଯାଇ ଉକ୍ତ ଗ୍ରାମର ପଶୁପତି ପାତ୍ରଙ୍କ ଘର ଭିତରକୁ ପଶି ଯାଇଥିଲେ। ମାତ୍ର, ପ୍ରତିଶୋଧ ପରାୟଣ ହୋଇ ଉଠିଥିବା ଦୁଲାରାମ ଏବଂ ତାର ସହଯୋଗୀମାନେ ନିଜର ହିତାହିତ ଜ୍ଞାନ ହରାଇ କାହ୍ନୁ ଆତ୍ମଗୋପନ କରିଥିବା ଘର ଭିତରେ ପଶିବା ସହ ଛାତ ଉପରକୁ ଯାଇ ସେଠାରେ ମାଡ଼ ମାରି ହତ୍ୟା କରିଥିଲେ। ହତ୍ୟା କାଣ୍ଡ ଭିଆଇବା ପରେ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଖବରପାଇ ଖୁଣ୍ଟା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ କେଶ ନମ୍ବର- ୫୦/୨୬ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଏହାସହ ସୋମବାର ରାତି ୧୦ଟା ସମୟରେ ଆକ୍ରମଣକାରିଙ୍କ ମଧ୍ୟରୁ ଦୁଲାରାମ ମୁର୍ମୁକୁ ପୋଲିସ ଗିରଫ କରି ପଚରାଉଚରା ଜାରି ରଖିଥିଲା । ଏହା ସହ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତକୁ ତ୍ୱରାନ୍ୱିତ କରିଛି । ତେବେ ପୋଲିସ ପ୍ରାଥମିକ ତଦନ୍ତରୁ ନଭେମ୍ବର ମାସର ସେହି ହତ୍ୟାକାଣ୍ଡ ଘଟଣାର ଅଭିଯୁକ୍ତମାନଙ୍କୁ ବଞ୍ଚାଇବା ପାଇଁ ଵା ସେମାନଙ୍କ ସପକ୍ଷରେ ସାକ୍ଷୀ ଦେବା ପାଇଁ କାହ୍ନୁ ମଢେଇକୁ କିଛି ଟଙ୍କା ଦିଆଯାଇଥିଲା, ତା ସହିତ ଦୁଲାରାମ ସହିତ ଝଗଡା ହେବା ପରେ ଏହି କାଣ୍ଡ ହୋଇଥିବା ଜାଣିବାକୁ ପାଇଥିଲା ପୋଲିସ । ଏହା ସହିତ ସିସିଟିଭିରେ କଏଦ ଦୃଶ୍ୟକୁ ଆଧାର କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବାବେଳେ ଏହି ଅମାନୁଷିକ ହତ୍ୟାକାଣ୍ତରେ ସଂପୃକ୍ତ ଥିବା ଅନ୍ୟମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି ଖୁଣ୍ଟା ଥାନା ଆଇଆଇସି ପଞ୍ଚାନନ ମହାନ୍ତି।