ଲଗାଣ ବର୍ଷା ପରିବାରକୁ ଆଣି ଦେଲା ଦୁଃଖ ; କାନ୍ଥ ତଳେ ଚାପି ହୋଇ ଜଣେ ମୃତ

ଖୁଣ୍ଟା, ୧୬/ ୯ : ମୟୁରଭଞ୍ଜ ଜିଲ୍ଲା ଗୋପବନ୍ଧୁ ନଗର ବ୍ଲକ ଅଧିନ ଜୟପୁର ପଞ୍ଚାୟତର ମାରସିଗାଁ ଗାଁରେ ଲଗାଣ ବର୍ଷା ପ୍ରଭାବରେ କାନ୍ଥ ପଡ଼ିଯିବାରୁ କାନ୍ଥ ତଳେ ଚାପି ହୋଇ ଜଣେ ୫୮ ବର୍ଷୀୟ ବ୍ୟକ୍ତିଙ୍କ ଶୋଚନୀୟ ଭାବେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ବେଳେ ଏହି ଦୁଃଖଦ ଘଟଣାରେ ମୃତ ବ୍ୟକ୍ତିଙ୍କ ପରିବାରକୁ ଉଦଳା ବିଧାୟକ ଭାଷ୍କର ମଢ଼େଇ ଭେଟି ସମବେଦନା ଜ୍ଞାପନ କରିବା ସହ ଆର୍ଥିକ ସହାୟତା ପ୍ରଦାନ କରି ଫେରିଥିବା ଜଣାପଡ଼ିଛି ।
ପ୍ରକାଶ ଯେ, ଲଘୁଚାପ ଜନିତ କାରଣରୁ ଗତ ଦୁଇ ଦିନ ଧରି ଲଗାଣ ବର୍ଷା ଜାରି ରହିଥିବାବେଳେ ଶନିବାର ରାତ୍ରିର ମାରସିଗାଁ ଗାଁର ଟୁନୁ ବିନ୍ଧାଣୀ (୫୮) ଖାଇପିଇ ସାରି ତାଙ୍କ ଘର ବାରଣ୍ଡାରେ ଏକାକି ଶୋଇଥିଲେ । ଲଗାଣ ବର୍ଷା କାରଣରୁ ସେ ଶୋଇଥିବା ଘରର କାନ୍ଥଟି ଦୁର୍ବଳ ହୋଇ ପଡ଼ିବା ସହ ମଧ୍ୟ ରାତ୍ରିରେ କାନ୍ଥଟି ଭୁଶୁଡ଼ି ପଡ଼ିଥିଲା ।
ଫଳରେ ଟୁନୁ ଉକ୍ତ ଭଙ୍ଗା କାନ୍ଥ ତଳେ ଚାପି ହୋଇ ରହିଯାଇଥିଲେ, ଏବଂ ଟୁନୁ ଚିତ୍କାର କରିଥିଲେ । ବିଳମ୍ବିତ ରାତିରେ ଚିତ୍କାର ଶୁଣି ପରିବାର ଲୋକଙ୍କ ସମେତ ପାଖ ପୋଡ଼ଶୀ ପହଞ୍ଚି ଟୁନୁଙ୍କୁ କାନ୍ଥ ତଳୁ ତାଙ୍କୁ ଉଦ୍ଧାର କରିଥିଲେ ମଧ୍ୟ ତାଙ୍କର ମୃତ୍ୟୁ ଘଟିଥିଲା । ପରବର୍ତ୍ତି ସମୟରେ ଦୁର୍ଘଟଣା ସଂପର୍କରେ ଖବରପାଇ ଗୋପବନ୍ଧୁ ନଗର ବିଡିଓ କରୁଣାକର ଧିନ୍ଦା, ତହସିଲଦାର ଓମ ପ୍ରକାଶ ମହାନ୍ତି ଘଟଣାସ୍ଥଳରେ ପହଞ୍ଚି ଘଟଣାର ଅନୁଧ୍ୟାନ କରି ଫେରିଥିବା ଜଣାପଡ଼ିଛି ।