ନଭେମ୍ବର ୧୦ ଓ ୧୧ରେ ହେବ ‘ଅନ୍ତର୍ଜାତୀୟ ଶ୍ରୀ ଅନ୍ନ ଏବଂ ବିସ୍ମୃତ ଖାଦ୍ୟ ସମ୍ମିଳନୀ’

ନଭେମ୍ବର ୧୦ ଓ ୧୧ରେ ହେବ ‘ଅନ୍ତର୍ଜାତୀୟ ଶ୍ରୀ ଅନ୍ନ ଏବଂ ବିସ୍ମୃତ ଖାଦ୍ୟ ସମ୍ମିଳନୀ’

ଭୁବନେଶ୍ବର, ୫/୧୧ : ନଭେମ୍ବର ୧୦ ଓ ୧୧ତାରିଖରେ ଭୁବନେଶ୍ୱରରେ ଦୁଇ ଦିନିଆ ‘ଅନ୍ତର୍ଜାତୀୟ ଶ୍ରୀ ଅନ୍ନ ଏବଂ ବିସ୍ମୃତ ଖାଦ୍ୟ ସମ୍ମିଳନୀ’ ଆୟୋଜିତ ହେବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବେ। ଏଥିରେ ‘ଓଡ଼ିଶାର ଶ୍ରୀ ଅନ୍ନ ଓ କୃଷି ଐତିହ୍ୟ’ ଶୀର୍ଷକ ବିଷୟବସ୍ତୁ ଉପରେ ଆଲୋଚନା କରାଯିବା ସହ ଖାଦ୍ୟ ନିରାପତ୍ତା ତଥା ଚିରନ୍ତନ କୃଷି ପଦ୍ଧତି ଏବଂ ବିସ୍ମୃତ ଖାଦ୍ୟର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ପ୍ରୋତ୍ସାହନ ଦିଆଯିବ।

ବିସ୍ମୃତ ଫସଲଗୁଡ଼ିକ ଜଳବାୟୁ ପରିବର୍ତ୍ତନ, ଚିରନ୍ତନ ଚାଷ ପଦ୍ଧତିରେ ସହାୟତା ଏବଂ ପୌଷ୍ଟିକତା ବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏଥି ମଧ୍ୟରୁ ଅନେକ ଫସଲ ମରୁଡ଼ି ସହନଶୀଳ ଏବଂ କୀଟନାଶକକୁ ପ୍ରତିରୋଧ କରିବାର କ୍ଷମତା ରଖିଥାଏ । ଓଡ଼ିଶାର ପାରମ୍ପରିକ ଶସ୍ୟ ଗୁଡ଼ିକ ଏହି ଫସଲ ସହିତ ଜଡ଼ିତ, ଯାହା ଯେ କୌଣସି ପରିବେଶରେ ଖାପଖୁଆଇ ଭଲ ଭାବେ ବଢ଼ିପାରେ। 

ଶ୍ରୀ ଅନ୍ନ ଏବଂ ବିସ୍ମୃତ ଖାଦ୍ୟ ସମ୍ମିଳନୀ ବିଷୟରେ ସୂଚନା ଦେଇ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଥିଲେ ଯେ ଆମେ ନିଜର ଦୈନନ୍ଦିନ ଜୀବନରେ ଶ୍ରୀ ଅନ୍ନ ଏବଂ ବିସ୍ମୃତ ଖାଦ୍ୟକୁ ସାମିଲ କରି ଓଡ଼ିଶାର କୃଷି ଐତିହ୍ୟକୁ ସୁରକ୍ଷା ଦେବା ସହ ନିଜକୁ ସୁସ୍ଥ ରଖିପାରିବା। ଏଣୁ ଆପଣମାନେ ନିଜର ଖାଦ୍ୟରେ ଏସବୁକୁ ସାମିଲ କରନ୍ତୁ ଏବଂ ରାଜ୍ୟର ଶେଷତମ ଧାଡ଼ିରେ ଥିବା ଚାଷୀକୁ ଆର୍ଥିକ ରୂପେ ସ୍ୱାବଲମ୍ବୀ ହେବାରେ ସହାୟକ ହୁଅନ୍ତୁ। 

ଏହି ସମ୍ମିଳନୀ ମାଧ୍ୟମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, କୃଷକ ଉତ୍ପାଦକ ସଂଗଠନ, ନୀତି ନିର୍ଦ୍ଧାରକ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ, ଗବେଷଣା ପ୍ରତିଷ୍ଠାନ, ସ୍ୱାସ୍ଥ୍ୟ ଅନୁଷ୍ଠାନ, ହୋଟେଲ ଆସୋସିଏସନ୍‌, ସେଫ୍‌ ସଂଗଠନ, ବ୍ଲଗର୍‌ ଏବଂ ଛାତ୍ରଙ୍କ ସମେତ ବହୁ ହିତାଧିକାରୀଙ୍କୁ ସାମିଲ କରାଯାଇ ଶ୍ରୀ ଅନ୍ନ ଏବଂ ବିସ୍ମୃତ ଖାଦ୍ୟକୁ ପ୍ରୋତ୍ସାହିତ କରିବା ଦିଗରେ ଏକ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରିବା ନେଇ ଲକ୍ଷ୍ୟ ରଖାଯାଇଛି।