ଓଡିଶା ଛାଡ଼ିବେ ଭିକେ ପାଣ୍ଡିଆନ !

ଭୁବନେଶ୍ବର, ୨୧/୩ : ଭି.କେ ପାଣ୍ଡିଆନକୁ ନେଇ ପୁଣି ଚର୍ଚ୍ଚା । ଓଡିଶା ଛାଡ଼ିବେ ପାଣ୍ଡିଆନ । ଖୁବଶୀଘ୍ର ପାଣ୍ଡିଆନ ଓଡ଼ିଶା ଛାଡ଼ିପାରନ୍ତି ବୋଲି ଚର୍ଚ୍ଚା ଜାରି ରହିଛି । ରାଜନୀତି ନୁହେଁ ବରଂ ଚାକିରୀରେ ଯୋଗଦେବାକୁ ଓଡ଼ିଶା ଛାଡ଼ିପାରନ୍ତି । ଏକ ଅନ୍ତର୍ଜାତୀୟ ସଂସ୍ଥାରୁ ତାଙ୍କ ପାଖକୁ ଚାକିରୀ ଆସିଛି । କୁହାଯାଉଛି ଯେ ଲଣ୍ଡନରେ ଏହାର ମୁଖ୍ୟ କାର୍ଯ୍ୟାଳୟ ଅଛି । ସେ ସେଠାକୁ ଯିବାକୁ ମନ ବଳାଇଛନ୍ତି ବୋଲି ଏବେ ଚର୍ଚ୍ଚା ଜୋର ଧରିଛି । ସେଠାରେ ଯୋଗଦେବାକୁ ଖୁବ୍ ଶୀଘ୍ର ଓଡ଼ିଶା ଛାଡ଼ିବେ ବୋଲି ତାଙ୍କୁ ଅତି ପାଖରୁ ଦେଖିପାରୁଥିବା ଏକ ୱେବ୍ ପୋର୍ଟାଲ୍ ରେ ଖବର ପ୍ରକାଶ ପାଇଛି ।
ସେଥିରେ କୁହାଯାଇଛି ଯେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଅତି ବିଶ୍ୱସ୍ତ ଭି.କେ.ପାଣ୍ଡିଆନ୍ ଅନ୍ତର୍ଜାତୀୟ ସଂସ୍ଥାରେ ଯୋଗଦେବାକୁ ଖୁବଶୀଘ୍ର ନବୀନ ନିବାସ ଛାଡ଼ିବେ । ତେବେ ଯେ ଯୋଗଦେବାକୁ ଯାଉଥିବା ସଂସ୍ଥାଟି କ’ଣ ସେ ସମ୍ପର୍କରେ ଉଲ୍ଲେଖ କରାଯାଇନାହିଁ । ଏହା କେତେ ସତ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ।
ପ୍ରକାଶ ଯେ, ବିଜେଡିର ଶୋଚନୀୟ ପରାଜୟ ପରେ ରାଜନୀତିରୁ ଅବସର ଘୋଷଣା କରିଥିଲେ ଭି.କେ ପାଣ୍ଡିଆନ୍। ସୋସିଆଲ ମିଡ଼ିଆରେ ଭିଡିଓ ବାର୍ତ୍ତା ଜାରି କରି ବିଜେଡିରୁ ଅବସର ନେଉଥିବା ଘୋଷଣା କରିଥିଲେ । ଏଥିସହ ହାତ ଯୋଡ଼ି ବିଜେଡି କର୍ମକର୍ତ୍ତାଙ୍କୁ ଭୁଲ୍ ମାଗିଥିଲେ ଭିକେ ପାଣ୍ଡିଆନ୍।
ଭିଡିଓ ବାର୍ତ୍ତା ଜାରି କରି ଭି.କେ ପାଣ୍ଡିଆନ୍ କହିଥିଲେ, ମୁଁ ଗୋଟିଏ ଛୋଟିଆ ଗାଁର ଏକ ବିନମ୍ର ପରିବାରରୁ ଆସିଛି। ଆଇଏଏସ୍ ଅଫିସର ହୋଇ ଲୋକଙ୍କ ପାଇଁ ସେବା କରିବାକୁ ପିଲା ଦିନରୁ ସ୍ୱପ୍ନ ଦେଖୁଥିଲି। ପ୍ରଭୁ ଜଗନ୍ନାଥଙ୍କ କୃପାରୁ ଏହା ସମ୍ଭବ ହୋଇଛି। ମୋ ପରିବାର କେନ୍ଦ୍ରପଡ଼ାର ହୋଇଥିବାରୁ ମୁଁ ଓଡ଼ିଶା ଆସିବାକୁ ସୁଯୋଗ ପାଇଥିଲି। ଏ ମାଟିରେ ପାଦ ଦେବାଠାରୁ ଓଡ଼ିଶାବାସୀଙ୍କଠାରୁ ଭଲ ପାଇବା ଓ ସ୍ନେହ ପାଇଛି। ଧର୍ମଗଡ଼ରୁ ଆରମ୍ଭ କରି ରାଉରକେଲା,ମୟୂରଭଞ୍ଜ, ଗଞ୍ଜାମ ଯାଏ ମୁଁ ଲୋକମାନଙ୍କ ପାଇଁ ବହୁ ପରିଶ୍ରମ ସହ କାମ କରିବାକୁ ଚେଷ୍ଟା କରିଛି। ୧୨ବର୍ଷ ତଳେ ମୁଖ୍ୟମନ୍ତ୍ରୀଙ୍କ ଅଫିସରେ ଯୋଗଦେଇଥିଲି। ନବୀନ ପଟ୍ଟନାୟକଙ୍କ ପାଇଁ କାମ କରିବା ମୋ ପାଇଁ ସମ୍ମାନର ବିଷୟ ଥିଲା।
ଜୀବନରେ ତାଙ୍କଠାରୁ ବହୁ ଶିଖିଛି। ନେତୃତ୍ୱ, ନୀତି ଓ ଏହାଛଡ଼ା ଓଡ଼ଶା ଲୋକଙ୍କ ପ୍ରତି ତାଙ୍କର ଭଲପାଇବା ମୋତେ ପ୍ରଭାବିତ କରିଥିଲା। ଓଡ଼ିଶା ପାଇଁ ତାଙ୍କର ଥିବା ଦୂରଦୃଷ୍ଟି ଲାଗୁ କରିବା ହିଁ ସେ ମୋ ଠାରୁ ଆଶା ରଖିଥିଲେ। ସେ ସଫଳତାର ବହୁ କୀର୍ତ୍ତିମାନ ଅତିକ୍ରମ କରିଛନ୍ତି। ସ୍ୱାସ୍ଥ୍ୟ, ଶିକ୍ଷା, ଦ୍ରାରିଦ୍ର୍ୟ ଦୂରୀକରଣ, କ୍ରୀଡ଼ା, ପୁଞ୍ଜିନିବେଶ, ନାରୀ ସଶକ୍ତିକରଣ, ଭିତ୍ତିଭୂମିର ବିକାଶ ଓ ମନ୍ଦିର ଐତିହ୍ୟର ବିକାଶ ହୋଇଛି ବୋଲି ପାଣ୍ଡିଆନ୍ କହିଥିଲେ।
ସେ ଆହୁରି କହିଥିଲେ, କଲେଜ ଓ ସ୍କୁଲ ପିଲାଙ୍କ ପାଇଁ କାମ କରିବ ମୋତେ ଆତ୍ମ ସନ୍ତୋଷ ଦେଇଛି । ସରକାରୀ ସ୍କୁଲ ପଢ଼ୁଥିବା ବେଳେ ମୋ ପାଖରେ ପିଲା ଦିନର ଅଭିଜ୍ଞତା ନବୀନ ପଟ୍ଟନାୟକଙ୍କ ସ୍କୁଲ ନବୀକରଣ ଦୂରଦୃଷ୍ଟିକୁ 5-T ମାଧ୍ୟମରେ ଲାଗୁ କରିବାରେ ମୋତେ ସହାୟକ ହୋଇଥିଲା। କୋଭିଡ୍ ସମୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ସଜାଡ଼ିବା ଲକ୍ଷ୍ୟରେ ଆମେ ପ୍ରାୟ ୩୦ ଜିଲ୍ଲା ଗସ୍ତ କରିଥିଲୁ। ସେହି ସମୟରେ ଆମେ ଦୁଇଟି ବାତ୍ୟା ଫନି ଓ ଫାଇଲିନର ସମ୍ମୁଖୀନ ହୋଇଥିଲୁ। ସେହି ସମୟରେ ପ୍ରତିଟି ଜୀବନ ବଞ୍ଚାଇବା ପାଇଁ ବହୁ କଠିନ ପରିଶ୍ରମ କରିଥିଲୁ ବୋଲି ସେ କହିଥିଲେ ।
ପାଣ୍ଡିଆନ୍ କହିଥିଲେ, ମୁଁ ଆଇଏଏସ୍ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇ ବିଜେଡିରେ ଯୋଗଦେଇଥିଲି। ମୁଁ ମୋ ମେଣ୍ଟୋର ନବୀନ ପଟ୍ଟନାୟକଙ୍କୁ ସାହାଯ୍ୟ କରିବାକୁ ଚାହୁଁଥିଲି। ତାଙ୍କ ସହଯୋଗ କରିବା ହିଁ ମୋର ଏକମାତ୍ର ଉଦ୍ଦେଶ୍ୟ ରହିଥିଲା। ରାଜନୀତିକୁ ମୁଁ କମ ସମୟ ହେଲା ଆସିଥିବାରୁ ସମ୍ଭବତଃ ମୁଁ ରାଜନୀତିକ ଅପପ୍ରଚାର ଓ ଧାରଣାକୁ ଠିକ ସମୟରେ ସଫଳତାର ସହ କାଉଣ୍ଟର କରିବାରେ ବିଫଳ ହୋଇଥିଲି। ମୁଁ ପୁଣି କହିବାକୁ ଚାହୁଁଛି ଯେ ମୁଁ କେବଳ ମୋ ମେଣ୍ଟୋର ନବୀନ ପଟ୍ଟନାୟକଙ୍କୁ ସହଯୋଗ କରିବାକୁ ରାଜନୀତିକୁ ଆସିଥିଲି।
ଏହାଛଡ଼ା ଅନ୍ୟ କୌଣସି ଲକ୍ଷ୍ୟ ନେଇ ମୁଁ ବିଜେଡିକୁ ଆସିନଥିଲି। ଏଥିପାଇଁ କୌଣସି ଦଳୀୟ ପଦ ପଦବୀରେ କିମ୍ବା ପ୍ରାର୍ଥୀ ହୋଇ ନଥିଲି। ଦୀର୍ଘ ୧୨ ବର୍ଷ ହେବ ମୁଁ ଭୋର ୪ଟାରୁ ବିଳମ୍ୱିତ ରାତି ପର୍ଯ୍ୟନ୍ତ କାମ କରୁଥିଲି। ଓଡ଼ିଶା ଓ ନବୀନ ପଟ୍ଟନାୟକଙ୍କୁ ଫୋକସରେ ରଖି ମୁଁ କାମ କରି ଚାଲିଥିଲି। ଆଜି ପର୍ଯ୍ୟନ୍ତ ମୋର ସମ୍ପତ୍ତି ହେଉଛି ମୋ ବ୍ୟାଙ୍କ ବାଲାନ୍ସ। ଏହାଛଡ଼ା ମୋ ପାଖରେ କିମ୍ବା ମୋ ପାରିବାର ପାଖରେ ବିଶ୍ୱର କୌଣସି ସ୍ଥାନରେ ସମ୍ପତ୍ତି ନାହିଁ। ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେବା ବେଳେ ମୋ ସମ୍ପତ୍ତି ବିବୃତି ଯାହା ଥିଲା, ଏବେ ୨୪ ବର୍ଷ ପରେ ମଧ୍ୟ ସେୟା ଅଛି।
ମୋ ଜୀବନରେ ସବୁଠାରୁ ବଡ଼ ସମ୍ପତ୍ତି ହେଉଛି ଓଡ଼ିଶାର ଲୋକବାସୀଙ୍କ ଭଲ ପାଇବା ଓ ସ୍ନେହ। ନବୀନ ବାବୁଙ୍କୁ ସହଯୋଗ କରିବା ହିଁ ମୋର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏଥିପାଇଁ ମୁଁ ରାଜନୀତିରେ ସାମିଲ ହୋଇଥିଲି। କିନ୍ତୁ ଆଜି ମୁଁ ଏବେ ରାଜନୀତିରୁ ଅବସର ନେବାକୁ ନିଷ୍ପତ୍ତି ନେଇଛି।
ଏଭଳି କିଛି କହି ସେ ରାଜନୀତିରୁ ସନ୍ନ୍ୟାସ ନେଇଥିଲେ । ମାତ୍ର ଏବେ ଆଉ ସେ ଭଲ ଭାବେ ବୁଝିଗଲେଣି କି ରାଜନୀତିରେ ଓଡ଼ିଶାବାସୀ ତାଙ୍କୁ ଚାହୁଁନାହାନ୍ତି । ସେଥିପାଇଁ ସେ ଏଭଳି ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ଜୋର ଧରିଛି ।