ପାରମ୍ପରିକ ସମ୍ବଲପୁରୀ ନୃତ୍ୟ ଉପରେ ପୁସ୍ତକ ରଚନା କରିଥିବା ଡ଼ ସପନ ମିଶ୍ରଙ୍କ ଉଦ୍ଦେଶ୍ୟରେ ସମ୍ବର୍ଦ୍ଧନା ସଭା

ଭୁବନେଶ୍ବର,୬/୮ : ସମ୍ବଲପୁରୀ ନୃତ୍ୟର ଆନୁଷ୍ଠାନିକ ଶିକ୍ଷା ଦାନ ତଥା ଏହି ଦିଗରେ ଗବେଷଣାରତ ଗବେଷକଙ୍କ ପାଇଁ ପୁସ୍ତକ ଆକାରରେ ଡ. ସପନ ମିଶ୍ରଙ୍କ ଗବେଷଣାଲବ୍ଧ ନିବନ୍ଧ ଉପାଦେୟ ହୋଇପାରିବ। ପଶ୍ଚିମ ଓଡ଼ିଶାର ଲୋକ ଗୀତ ନୃତ୍ୟ ବାଦ୍ୟର ବ୍ୟାକରଣୀକ ପକ୍ଷ ସମ୍ବନ୍ଧରେ ଗବେଷଣା କରି ସମ୍ବଲ୍ପୁର ବିଶ୍ବବିଦ୍ୟାଳୟ ପକ୍ଷରୁ ନିକଟ ଅତୀତରେ ଡକ୍ଟରେଟ୍ ପାଇଥିବା ଡ. ସପନ ମିଶ୍ରଙ୍କର ସମ୍ମାନାର୍ଥେ ଅୟୋଜିତ ଏକ ସମ୍ବର୍ଦ୍ଧନା ସଭାରେ ନିମନ୍ତ୍ରିତ ବକ୍ତା ଭାବରେ ଯୋଗ ଦେଇ ଗୁରୁ ରଣ୍ଜିତ ନାଗ ଏହା ପ୍ରକାଶ କରିଛନ୍ତି। ଡ. ସପନ ମିଶ୍ରଙ୍କର ଏହି ଗବେଷଣା ପଶ୍ଚିମାଂଚଳର ଲୋକ ଗୀତନୃତ୍ୟବାଦ୍ୟ ସମୂହର ଓ ବିଶେଷ କରି 'ସମ୍ବଲପୁରୀ ନୃତ୍ୟ' ର ନୀତିରୀତି ଓ ଶୈକ୍ଷିକ ପଦ୍ଦତି ବାବଦରେ ନୂତନ ଦିଗନ୍ତ ଉନ୍ମୋଚିତ କରିବାରେ ସହାୟକ ହେବ। ଏ ଦିଗରେ ଡ. ମିଶ୍ର ପ୍ରାୟ ଚାରି ଦଶନ୍ଧି ଧରି ସଂଗ୍ରହ ଓ ବିଶ୍ଲେଷଣ କରିଥିବା ଏହି ଅଂଚଳର ସମସ୍ତ ଗୀତ, ନୃତ୍ୟ, ବାଦ୍ୟ,ଆଭୂଷଣ,ପ୍ରଭୃତିର ସୂତ୍ରକୁ ପ୍ରଦର୍ଶନକାରୀ ସଂସ୍ଥା ଓ ସଂଗଠନମାନେ ବ୍ୟବହାରରେ ଆଣିପାରିବେ।
ଏ ଦିଗରେ ଗବେଷଣା କରୁଥିବା କଳାକାରମାନେ ଏଥିରୁ ପ୍ରଭୂତ ଲାଭ ପାଇପାରିବେ। ଏ ଅଂଚଳର ଗୀତର ରାଗ, ଛନ୍ଦ, ସର୍ଗମ୍, ଆଦି ନିର୍ଣିତ ହୋଇ ଇଛ୍ଛୁକ ଶିକ୍ଷାର୍ଥୀ ଓ ଗବେଷକଙ୍କ କାର୍ଯ୍ୟରେ ଆସିବ। ବାଦ୍ୟର ତାଳ ନିରୂପିତ ହୋଇ ଆବଶ୍ୟକୀୟ ସ୍ଥଳେ ନୂତନ ସଂରଚନା ସମୟରେ ବ୍ୟବହୃତ ହୋଇ ପାରିବ। ବର୍ତ୍ତମାନ ଅବାଂଛିତ ଭାବରେ କ୍ରମ ବିକୃତ ହୋଇ ଚାଲିଥିବା ସମ୍ବଲପୁରୀ ନୃତ୍ୟରେ ଲଗାମ୍ ଲଗାଯାଇପାରିବ। ଉପଯୁକ୍ତ ଭଙ୍ଗୀ ପ୍ରୟୋଜନ ମୁତାବକ ବ୍ୟବହାରରେ ଆସିବ । ଫଳରେ ଏହାର ମୌଳିକତା ରକ୍ଷା ହେବା ସହ ଭବିଷ୍ୟତର ପ୍ରୟୋଗାତ୍ମକ ନୃତ୍ୟ ସମାର୍ଜ୍ଜନା ଆଶାନୁରୂପ ଭାବରେ ସମାହିତ ହୋଇ ପାରିବ। ସମ୍ବର୍ଦ୍ଦନା ଓ ଆଲୋଚନା ସଭାର ସମ୍ମାନିତ ବକ୍ତା ସଂଗୀତଜ୍ଞ ଡ.କ୍ଷୀରୋଦ ମହାରଣା ସମ୍ବଲପୁରୀ ଗୀତବାଦ୍ୟର ନୋଟେସନ୍ସ୍ ବା ସଂଗୀତ ଲିପି ବାବଦରେ ବିଶଦ ଆଲୋଚନା କରି ଏହି ପ୍ରକ୍ରିୟାର ସାମ୍ଭବ୍ୟ ତୃଟି ବିଚ୍ୟୁତି ବାବଦରେ ଦର୍ଶାଇଥିଲେ।
ସମ୍ମାନିତ ବକ୍ତା ସୁଲେଖକ କ୍ଷେତ୍ରମଣି ବିଭାର କହିଥିଲେ ଯେ, ଡ. ମିଶ୍ର ଏକ ପ୍ରକାଣ୍ଡ ପରିଧିରେ ନିଜସ୍ବ ଗବେଷଣା କରି ଆମ ଅଂଚଳର ଅତି ଦୁର୍ଲଭ ସଂଗୀତ ସୂତ୍ର ଗୁଡ଼ିକୁ ଆବିଷ୍କାର କରି ଏକ ସମୟପୋଯୋଗୀ ଗ୍ରନ୍ଥ ପ୍ରଣୟନ କରିଛନ୍ତି ବୋଲି । ସାହିତ୍ୟିକ ପ୍ରଫେସର୍ ମୋହନ ସାହୁ ଆମ ଅଂଚଳର ସଂଗୀତ ତତ୍ତ୍ବକୁ ଏକତ୍ରିତ କରି ଗୀତ ଗୁଡ଼ିକର ସ୍ବର,ଲୟ ବାଦ୍ୟର ତାଳ,ପାର୍ ଓ ନୃତ୍ୟର ଭଙ୍ଗୀ,ମୁଦ୍ରାକୁ ପ୍ରତିଭାତ କରିବା ଅତି ଆବଶ୍ୟକ ଥିଲା। ଡ. ମିଶ୍ରଙ୍କ ପ୍ରତିଟି ଅଧ୍ୟାୟ ଉପରେ ଆଗାମୀ ଦିନରେ ଆହୁରି ଅଧିକ ନୂଆ ଗବେଷକ ପ୍ରେରିତ ହେବେ। ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ପୂର୍ବତନ କୂଳପତି ପ୍ରଫେସର ଆଦିତ୍ୟ ପ୍ରସାଦ ପାଢ଼ୀ ଆମ ଅଂଚଳର ସଂସ୍କୃତି ଓ ଅସ୍ମିତାର ସଂସ୍ଥାପନା ପାଇଁ ଏହିଭଳି ଶିକ୍ଷାତ୍ମକ ଗବେଷଣା ହିଁ ବିଧେୟ ବୋଲି ଦିଗ ଦର୍ଶନ ଦେଇଥିଲେ।