ସୁନ୍ଦରଗଡ଼ ସଦର ମହକୁମାଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

ସୁନ୍ଦରଗଡ଼, ୫/୮: ସ୍ଥାନୀୟ ସଦଭାବନା ଭବନ ପରିସରରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭାରପ୍ରାପ୍ତ ଜିଲ୍ଲାପାଳ ତଥା ଅତିରିକ୍ତ ଜିଲ୍ଲାପାଳ, ରାଉରକେଲା ଆଶୁତୋଷ କୁଲକର୍ଣି ଏବଂ ଆରକ୍ଷୀ ଅଧିକ୍ଷକ ପ୍ରତ୍ୟୁଷ ଦିବାକର ଉପସ୍ଥିତ ରହି ଜନସାଧାରଣଙ୍କ ଅଭିଯୋଗ ଆଦିର ଶୁଣାଣି କରିଥିଲେ।
ଆଜି ମୋଟ ୧୨୫ଟି ଅଭିଯୋଗ ଆସିଥିଲା । ସେଥି ମଧ୍ୟରୁ ୧୦୮ଟି ବ୍ୟକ୍ତିଗତ ଅଭିଯୋଗ ରହିଥିବାବେଳେ ୧୭ ଗୋଟି ସାମୁହିକ ଅଭିଯୋଗ ରହିଥିଲା । ଆଜି ଆସିଥିବା ଅଭିଯୋଗ ଗୁଡ଼ିକ ମଧ୍ୟରୁ ୫୫ଗୋଟି ଅଭିଯୋଗର ତତ୍ କ୍ଷଣାତ ସମାଧାନ କରାଯାଇଥିଲା । ସେଥି ମଧ୍ୟରୁ ୩୩ଗୋଟି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଆର୍ଥିକ ସହାୟତା ନିମନ୍ତେ ଆବେଦନ ରହିଥିଲା । ସେହିଭଳି ଅନ୍ୟ ଅଭିଯୋଗ ଗୁଡ଼ିକର ସମାଧାନ ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।
ଆଜିର ଏହି ଯୁଗ୍ମ ଅଭିଯୋଗ ଶୁଣାଣିରେ ଅତିରିକ୍ତ ଜିଲ୍ଲାପାଳ ଅଭିମନ୍ୟୁ ମାଝୀ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଦୁଃଖବନ୍ଧୁ ନାୟକ, ସଦର ଉପଜିଲ୍ଲାପାଳ ଦାଶରଥି ସରାବୁ, ପି. ଏ. ଆଇ. ଟି. ଡି. ଏ. ଧୀରେନ୍ଦ୍ର ସେଠୀ ଏବଂ ସମସ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।