ରାଉରକେଲା ମହାନଗର ନିଗମ ପକ୍ଷରୁ "ସୁଭଦ୍ରା" ପ୍ରଶିକ୍ଷଣ ଶିବିର

ରାଉରକେଲା ୩/୯ : "ସୁଭଦ୍ରା" ଯୋଜନା ପୋର୍ଟାଲର ଶୁଭାରମ୍ଭ ପରେ, ରାଉରକେଲା ମହାନଗର ନିଗମ ପକ୍ଷରୁ ଅଙ୍ଗନଓ୍ବାଡି କର୍ମୀ ଓ ଗ୍ରାହକ ସେବା କେନ୍ଦ୍ର (ସି ଏସ୍ ସି)ର ମାଲିକମାନଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିରର ଆୟୋଜନ ଗତକାଲି ସନ୍ଧ୍ୟାରେ ଛେଣ୍ଡ କଲୋନୀ ସ୍ଥିତ ମଧୁସୂଦନ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରଶିକ୍ଷଣ ଶିବିରରେ ରାଉରକେଲା ମହାନଗର ନିଗମ ଉପ ପୌର ଆୟୁକ୍ତ (ଡେପୁଟୀ କମିଶନର) ତରୁଣକାନ୍ତ, ଯୁଗ୍ମ ପୌର ଆୟୁକ୍ତ (ଜଏଣ୍ଟ ଡେପୁଟି କମିଶନର) ଶ୍ରୀମତୀ ପଲ୍ଲବୀ ନାଏକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୀମା ଫାତିମା ଏକ୍କାଙ୍କ ସମେତ ରାଉରକେଲା ସିଡିପିଓ ଦର୍ଶନୀ ଏକ୍କା, ଇଣ୍ଡଷ୍ଟ୍ରିଆଲ ଏରିଆ ଓ ସିଭିଲ୍ ଟାଉନ୍ ସିପ୍ ସିଡିପିଓ ଉପସ୍ଥିତ ଥିଲେ।
ରାଉରକେଲା ମହାନଗର ନିଗମ ଯୁଗ୍ମ ପୌର ଆୟୁକ୍ତ ପଲ୍ଲବୀ ନାଏକ ସୁଭଦ୍ରା ଯୋଜନା ସମ୍ପର୍କରେ ପ୍ରାରମ୍ଭିକ ସୂଚନାଦେଇ କହିଥିଲେ ଯେ, ସୁଭଦ୍ରା ଯୋଜନାରେ ହିତାଧିକାରୀ ମହିଳାମାନେ, ସେମାନଙ୍କ ଏରିଆରେ ଥିବା ଅଙ୍ଗନଓ୍ବାଡି କେନ୍ଦ୍ରରେ ଥିବା ଅଙ୍ଗନଓ୍ବାଡି ଦିଦିଙ୍କ ନିକଟରୁ ସୁଭଦ୍ରା ଯୋଜନାର ଫର୍ମ ନେଇ, ପୂରଣ କରିସାରିବା ପରେ ନିକଟସ୍ଥ ଗ୍ରାହକ ସେବା କେନ୍ଦ୍ର ବା ସିଏସସିକୁ ଯାଇ ଫର୍ମ ଜମା କରିବେ। ଫର୍ମ ସହିତ ନିଜର ଆଧାର କାର୍ଡ ଓ ବ୍ଯାଙ୍କ୍ ପାସ୍ ବୁକ୍ ନେବା ଆବଶ୍ୟକ ଏବଂ ନିଜର ମୋବାଇଲ ନମ୍ବର ବ୍ଯାଙ୍କ୍ ଏକାଉଣ୍ଟ୍ ସହିତ ସଂଯୁକ୍ତ ହୋଇଥିବା ଆବଶ୍ୟକ। ମହିଳାଙ୍କର ଆଧାର କାର୍ଡ ଓଡିଶାରେ ହୋଇଥିବା ଆବଶ୍ୟକ।
ଆରଏମସିର ଡେପୁଟି କମିଶନର (ଉପ ପୌର ଆୟୁକ୍ତ) ତରୁଣ କାନ୍ତ ଏହି ଅବସରରେ ସୂଚନା ଦେଇଥିଲେ ଯେ, କୌଣସି ମହିଳାଙ୍କର ବ୍ଯାଙ୍କ୍ ଆକାଉଣ୍ଟ ନଥାଏ କିମ୍ବା ସଂଯୁକ୍ତ ଏକାଉଣ୍ଟ୍ ପରିବାରର କୌଣସି ସଦସ୍ଯଙ୍କ ସହିତ ଜଡିତ ରହିଥାଏ, ତେବେ ସେଭଳି କ୍ଷେତ୍ରରେ ମହିଳାଙ୍କୁ ଅନ୍ଯ ଏକ ନୂତନ ବ୍ଯାଙ୍କ୍ ଏକାଉଣ୍ଟ୍ ଖୋଲି ନିଜର ମୋବାଇଲ ନମ୍ବର ସହିତ ଆଧାର ସଂଯୁକ୍ତ ହେବା ଆବଶ୍ୟକ। ମହିଳାମାନେ, ଅଙ୍ଗନଓ୍ବାଡି ଦିଦିଙ୍କ ପାଖରୁ ଫର୍ମ ପାଇବା ପରେ ଫର୍ମ ପୂରଣ କରିବେ ନଚେତ୍, ଜନସେବା କେନ୍ଦ୍ର ବା ଗ୍ରାହକ ସେବା (ସିଏସସି)କୁ ଯାଇ ସେଠାରେ ଫର୍ମ ପୂରଣ କରି ଜମା ଦେବେ। ଜନସେବା କେନ୍ଦ୍ରରେ ଥିବା ନୋଡାଲ ଅଫିସରଙ୍କ ତତ୍ତ୍ବାବଧାନରେ ସେଠାରେ ଫର୍ମ ଅପ୍ ଲୋଡ୍ ହେବ ।
ସଂପୃକ୍ତ ମହିଳା ନିଜର ବ୍ଯାଙ୍କ୍ ପାସ୍ ବୁକ୍ ଓ ଆଧାର କାର୍ଡ ନିଜ ସହିତ ନେଇଥିବା ଆବଶ୍ୟକ। ଜନସେବା କେନ୍ଦ୍ରରେ ଫର୍ମ ଅପ୍ ଲୋଡ୍ ହେବା ପରେ, ଫର୍ମର ଗୋଟିଏ ଜେରକ୍ସ କପି ସାଥିରେ ଆଣିବା ଆବଶ୍ୟକ। ଏହି ସମସ୍ତ କାର୍ଯ୍ୟ ପାଇଁ ଗୋଟିଏ ଟଙ୍କା ଲାଗିବ ନାହିଁ। ଯଦି ଜନସେବା କେନ୍ଦ୍ରର ମାଲିକ କିମ୍ବା ଅଙ୍ଗନଓ୍ବାଡି ଦିଦି କୌଣସି ଟଙ୍କା ମାଗନ୍ତି, ତେବେ ଏ ବିଷୟରେ ରାଉରକେଲା ମହାନଗର ନିଗମରେ ଜଣାଇବାକୁ ଡେପୁଟି କମିଶନର ସୂଚନା ଦେଇଛନ୍ତି ।