ଓଡ଼ିଶା ପଲିଟିକ୍ସରେ ‘ବ୍ରାଣ୍ଡ୍’ : ବିଜୁ – ମହତାବ

ଭୁବନେଶ୍ବର,୧୭/୪ : ଶ୍ରାଦ୍ଧ ଦିବସ ଓ ଜନ୍ମ ଜୟନ୍ତୀ ପାଳନକୁ ନେଇ ରାଜନୈତିକ ମହଲ ଚର୍ଚ୍ଚା । ବିଜୁ – ମହତାବଙ୍କୁ ନେଇ ଆରମ୍ଭ ହୋଇଛି ରାଜନୀତି । ବିଜେଡି ବର୍ଷ ବର୍ଷ ଧରି ବିଜୁ ଲିଗାସିକୁ ନେଇ କ୍ଷମତାରେ ରହିବା ପରେ ଏବେ ସରକାରକୁ ଆସିଥିବା ବିଜେପି ମହତାବଙ୍କୁ ବଡ ବ୍ରାଣ୍ଡ୍ ଭାବେ ଓଡ଼ିଶାବାସୀଙ୍କ ସାମ୍ନାକୁ ଆଣିଛି ।
କ୍ଷମତାରୁ ଯିବା ପରେ ବିଜୁ ନାଁରେ ସହାନୁଭୂତି ସାଉଁଟିବାକୁ ବିଜେଡି ବିଜୁଙ୍କୁ ପୁଣି ଥରେ ମନେ ପକାଉଛି । ତିଥି ଅନୁସାରେ ରାଜ୍ୟବ୍ୟାପି ବିଜୁ ତିରୋଧାନ ଦିବସ ପାଳନ କରିଛନ୍ତି ବିଜେଡି ନେତା। ଏଥିରେ ବିଜେପି ବି ଭାଗ ବସାଇଛି । ଶ୍ରାଦ୍ଧ ଦିବସରେ ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ବିଜେପି ପୂଜ୍ୟ ପୂଜାରେ ବିଶ୍ବାସ କରେ ବୋଲି ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଅନ୍ୟପଟେ ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ଜାତୀୟ ସମ୍ମିଳନୀ ପାଳନ କରି ଓଡ଼ିଶାରେ ମହତାବ କାର୍ଡ ଖେଳି ବିଜେଡିକୁ ଚକମା ଦେଇଛନ୍ତି ମୋହନ । କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କ ମୁହଁରେ ସର୍ଦ୍ଦାର ପଟେଲଙ୍କ ସହ ତୁଳନା କରି ହରେକୃଷ୍ଣ ମହତାବଙ୍କୁ ଓଡ଼ିଶାର ବଡ ବ୍ରାଣ୍ଡର ପରିଚୟ ଦେଇଛନ୍ତି । ବିଜୁଙ୍କ ଭଳି ମହତାବଙ୍କୁ ଆଧୁନିକ ଓଡ଼ିଶାର ନିର୍ମାତାର ଆଖ୍ୟା ଦେଇ ଭୂୟସୀ ପ୍ରଂଶସା କରିଛନ୍ତି ଉଭୟ କେନ୍ଦ୍ରମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ।
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ପାଳନ ଭିତରେ ଶାସକ ବିଜେପିକୁ ତେରଛା ବାଣ ମାରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । କିଛି ଲୋକ ଇତିହାସ ବଦଳାଇବାକୁ ଚାହୁଁଥିବାର ସାଂଘାତିକ ଅଭିଯୋଗ ଆଣିଛନ୍ତି ନବୀନ । ଏପରିକି ବିଜୁ ବାବୁଙ୍କୁ ଅସମ୍ମାନ ବିଜେଡି ପାଇଁ ଅସହ୍ୟ ବୋଲି କହି ଦଳୀୟ ନେତା ରଣହୁଙ୍କାର ଦେଇଛନ୍ତି । ଅନ୍ୟପଟେ ନବୀନଙ୍କ ମନ୍ତବ୍ୟରେ ରାଜନୀତିର ଗନ୍ଧ ବାରିଛନ୍ତି ବିଜେପି ମୁଖିଆ । ନବୀନଙ୍କ ମନ୍ତବ୍ୟ ପଛରେ ଆଡଭାଇଜରଙ୍କ ତୁଣ୍ଡ ଥିବା ସନ୍ଦେହ କରିଛନ୍ତି ମନମୋହନ । ବିଜେଡି ୨୪ବର୍ଷର ବିଜୁ ବ୍ରାଣ୍ଡକୁ ନେଇ ଆଗକୁ ବଢୁଥିବା ବେଳେ ବିଜେପି ଏବେ ମହତାବ ବ୍ରାଣ୍ଡକୁ ଆପଣାଇଛି ।